Maoist-free: ମାଓମୁକ୍ତ ହେଲା, ବିକାଶ ଛୁଉଁନି: ସୀମାନ୍ତ ଗାଁରେ ବଢ଼ୁଛି ତେଲୁଗୁ ଭାଷାର ପ୍ରଭାବ, ୭ କିମି ଭାରରେ ବୁହାହେଲେ ମିଳୁଛି ଆମ୍ବୁଲାନ୍ସ
ବଦଳୁନି ଚିତ୍ରକୋଣ୍ଡା ବ୍ଲକ୍ ଆନ୍ଧ୍ର ସୀମାନ୍ତବର୍ତ୍ତୀ କୋପାତୁଟି ପଞ୍ଚାୟତର ଚିତ୍ର। ଏକଦା ନକ୍ସଲ ପ୍ରଭାବିତ ଏହି ଅଞ୍ଚଳ ନକ୍ସଲମୁକ୍ତ ହେବା ପରେ ମଧ୍ୟ ବିକାଶ ସ୍ରୋତକୁ ଫେରିପାରୁନି।

ମାଲକାନଗିରି(ପ୍ରେମେନ୍ଦ୍ର ପରିଚ୍ଛା): ବଦଳୁନି ଚିତ୍ରକୋଣ୍ଡା ବ୍ଲକ୍ ଆନ୍ଧ୍ର ସୀମାନ୍ତବର୍ତ୍ତୀ କୋପାତୁଟି ପଞ୍ଚାୟତର ଚିତ୍ର। ଏକଦା ନକ୍ସଲ ପ୍ରଭାବିତ ଏହି ଅଞ୍ଚଳ ନକ୍ସଲମୁକ୍ତ ହେବା ପରେ ମଧ୍ୟ ବିକାଶ ସ୍ରୋତକୁ ଫେରିପାରୁନି। ପଞ୍ଚାୟତର ଦୁର୍ଗମ ଗାଁ ଗୁଡ଼ିକରେ ରାସ୍ତା, ଅଙ୍ଗନବାଡ଼ି, ସ୍ୱାସ୍ଥ୍ୟ ଓ ଶିକ୍ଷା ଭଳି ମୌଳିକ ସୁବିଧାର ଅଭାବ ଲୋକଙ୍କ ଜୀବନକୁ ଦୁର୍ବିସହ କରିଛି। ପ୍ରାୟ ୫ ହଜାର ଲୋକଙ୍କୁ ନେଇ ଗଠିତ କୋପାତୁଟି ପଞ୍ଚାୟତରେ ୨ଟି ରାଜସ୍ବ ଗ୍ରାମ ସହ ୧୨ଟି ଗାଁ ରହିଛି। ଏଥି ମଧ୍ୟରୁ ଇଟାଲଲେଙ୍କା, କାଲମେଟଲା ଓ ପେଦାଲେଙ୍କା ଭଳି ଅନେକ ଗାଁକୁ ସୁଗମ ରାସ୍ତା ନାହିଁ। ଏହି ଗାଁ ଗୁଡ଼ିକରେ ଅଙ୍ଗନବାଡ଼ି କେନ୍ଦ୍ରଟିଏ ମଧ୍ୟ ନଥିବା ଅଭିଯୋଗ ହୋଇଛି।
ଆନ୍ଧ୍ର ସୀମାକୁ ଲାଗିଥିବାରୁ ଏଠାକାର ଅନେକ ଗାଁର ନାମକରଣରେ ତେଲୁଗୁ ଭାଷାର ପ୍ରଭାବ ରହିଛି। ବହୁଦିନ ଧରି ଆନ୍ଧ୍ର ସହ ଯୋଗାଯୋଗ ଓ ନିର୍ଭରଶୀଳତା
ଯୋଗୁଁ ଅନେକ ଲୋକଙ୍କ ମଧ୍ୟରେ ଓଡ଼ିଆ ଭାଷାର ବ୍ୟବହାର ମଧ୍ୟ ଅତ୍ୟନ୍ତ କମ୍। ଶିକ୍ଷା ବ୍ୟବସ୍ଥା ନଥିବାରୁ ଓଡ଼ିଆ ଭାଷାର ସ୍ଥିତି ଆହୁରି ଗମ୍ଭୀର ହୋଇଛି। ସ୍ୱାସ୍ଥ୍ୟସେବା ମଧ୍ୟ ତଦ୍ରୁପ। ରାସ୍ତା ନଥିବାରୁ ଗୁରୁତର ରୋଗୀ ଓ ଗର୍ଭବତୀଙ୍କୁ ୫ରୁ ୭ କିମି ଭାରରେ ବୋହି ନେବାକୁ ପଡ଼ୁଛି। ତା’ପରେ ଆମ୍ବୁଲାନ୍ସ ସୁବିଧା ମିଳୁଛି। ଜରୁରୀ ସମୟରେ ଚିକିତ୍ସା ସୁବିଧା ମିଳୁନଥିବାରୁ ଲୋକ ଗୁଣିଆ ଓ ପାରମ୍ପରିକ ଚିକିତ୍ସା ଉପରେ ନିର୍ଭର କରୁଛନ୍ତି। ରାସ୍ତା ସମସ୍ୟା ଯୋଗୁଁ ବ୍ଲକ୍ ସଦର ମୁଖ୍ୟାଳୟକୁ ଯିବା ପାଇଁ ୩୫ କିମି ଦୂର ଯିବାକୁ ପଡ଼ୁଛି। ଫଳରେ ସରକାରୀ କାମ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ଲୋକେ ହଇରାଣ ହେଉଛନ୍ତି। ବର୍ଷା ଦିନରେ ଗାଁ ଗୁଡ଼ିକ ବିଚ୍ଛିନ୍ନ ହୋଇପଡ଼ୁଛି। ନକ୍ସଲ ସମସ୍ୟାରୁ ମୁକ୍ତି ପରେ ଅଞ୍ଚଳବାସୀ ବିକାଶ ହେବ ବୋଲି ଆଶାବାଦୀ ଥିଲେ। ହେଲେ କୋପାତୁଟିର ଅନେକ ସୀମାନ୍ତ ଗାଁ ମୌଳିକ ସୁବିଧାରୁ ଦୂରରେ।
ସୌଜନ୍ୟ ସମ୍ବାଦ




