ରାଜ୍ୟ

Nuakhai Today: ଆଜି ନୂଆଁଖାଇ: ଗାଁରୁ ସହର ଉତ୍ସବମୁଖର

ସକାଳ ହେଲେ ନୂଆଁଖାଇ। ପଶ୍ଚିମ ଓଡ଼ିଶାର ଏହି ଗଣପର୍ବ ପାଇଁ ଗାଁରୁ ସହର ସବୁ ଚଳଚଞ୍ଚଳ ହୋଇଉଠିଛି। ବର୍ଷଯାକର ମନୋମାଳିନ୍ୟ, ମତଭେଦ ଦୂର କରି ମଙ୍ଗଳବାର ଏକାଠି ନୂଆଁ ଖାଇବେ ପରିବାରର ସବୁ ସଦସ୍ୟ।

ସମ୍ବଲପୁର: ସକାଳ ହେଲେ ନୂଆଁଖାଇ। ପଶ୍ଚିମ ଓଡ଼ିଶାର ଏହି ଗଣପର୍ବ ପାଇଁ ଗାଁରୁ ସହର ସବୁ ଚଳଚଞ୍ଚଳ ହୋଇଉଠିଛି। ବର୍ଷଯାକର ମନୋମାଳିନ୍ୟ, ମତଭେଦ ଦୂର କରି ମଙ୍ଗଳବାର ଏକାଠି ନୂଆଁ ଖାଇବେ ପରିବାରର ସବୁ ସଦସ୍ୟ। ଜିଲ୍ଲା ତଥା ରାଜ୍ୟ ବାହାରେ ରହୁଥିବା ପରିବାର ସଦସ୍ୟ ବି ଏଥିପାଇଁ ଘରମୁହାଁ ହୋଇଛନ୍ତି। ୨ ଦିନ ହେବ ଏହି କାରଣରୁ ବସ୍‌ଷ୍ଟାଣ୍ଡ, ରେଳଷ୍ଟେସନରେ ଯାତ୍ରୀଙ୍କ ଭିଡ଼ ଯଥେଷ୍ଟ ବୃଦ୍ଧି ପାଇଛି। ସହରରେ ରହୁଥିବା ଲୋକେ ନିଜ ନିଜ ଗାଁକୁ ବାହାରିଥିବା ବେଳେ ଅନ୍ୟ ଜାଗାରେ ରହୁଥିବା ସହରୀ ଲୋକେ ବି ନିଜନିଜ ଘରକୁ ଫେରିଛନ୍ତି। ଘରେଘରେ ଲିପା ପୋଛା, ସଫାସୁତୁରା ହୋଇଛି। ଅନେକ ଘରେ ନବାନ୍ନ ପାଇଁ ନୂଆ ରଙ୍ଗ ବି ଦିଆଯାଇଛି। ନୂଆଁଖାଇ ପାଇଁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପୀଠରେ ସ୍ବତନ୍ତ୍ର ପ୍ରସ୍ତୁତି ହୋଇଛି। ମଙ୍ଗଳବାର ସକାଳ ୯ଟା ୪୦ରୁ ୯ଟା ୫୪ ମିନିଟ୍‌ ମଧ୍ୟରେ ମା’ଙ୍କଠାରେ ନୂଆଅନ୍ନ ଲାଗି ହେବ। ଏହାପରେ ସମଗ୍ର ପଶ୍ଚିମ ଓଡ଼ିଶାରେ ଘରେଘରେ ନୂଆଁଖାଇ ହେବ। ନୂଆଁ ଖାଇ ସାରିଲାପରେ ସାନମାନେ ବଡ଼ମାନଙ୍କୁ ମୁଣ୍ଡିଆମାରି ଆଶୀର୍ବାଦ ନେବାର ପରମ୍ପରା ରହିଛି।

ନିର୍ଦ୍ଧାରିତ ଲଗ୍ନରେ କ୍ଷେତ ପୂଜା, ଗୁରସ ରୁକା ଆଦି ପର୍ବ ପରେ ଇଷ୍ଟ ଦେବାଦେବୀ, ପିତୃପୁରୁଷଙ୍କୁ ନବାନ୍ନ ଲାଗି ହେବ। ଏହାପରେ ପରିବାରର ବରିଷ୍ଠ ସଦସ୍ୟ ଅନ୍ୟ ସମସ୍ତ ସଦସ୍ୟଙ୍କୁ ନବାନ୍ନ ଭୋଗ ପ୍ରଦାନ କରିବେ। ଏଥିପାଇଁ ଘରେଘରେ ନାନା ପିଠାପଣା ପ୍ରସ୍ତୁତି ବି ହେଲାଣି। ନୂଆଁଖାଇ ପାଇଁ କେବଳ ଘରେଘରେ ପ୍ରସ୍ତୁତି ଚାଲିଛି ତାହା ନୁହେଁ, ବଜାର ଗୁଡ଼ିକରେ ବି ଗ୍ରାହକଙ୍କ ଭିଡ଼ ଜମିଛି। ନୂଆଁଖାଇରେ ଲାଗି ହେବାକୁ ଥିବା ଦେଶୀ ପରିବା, ଦେଶୀ ଶାଗ ଆଦି ନେଇ ଗାଁ ଗହଳିରୁ ବିକ୍ରେତାମାନେ ସହରରେ ପସରା ମେଲାଇଛନ୍ତି। ଅନେକ ପରିବାରରେ ନୂଆ ମାଟି ସାମଗ୍ରୀ ମଧ୍ୟ ପୂଜାରେ ବ୍ୟବହାର ହେଉଥିବାରୁ ଠେକି, ଦୀପ, ସରା, ହାଣ୍ଡିର ସ୍ବତନ୍ତ୍ର ବଜାର ବି ବସିଛି। ନୂଆଁଖାଇ ପର୍ବ ସମୟରେ ଅନେକ ଲୋକ ନୂଆଁ ଲୁଗା ପିନ୍ଧୁଥିବାରୁ ପୋଷାକ ଓ ଲୁଗା ଦୋକାନଗୁଡ଼ିକରେ ବି ଆଜି ଭିଡ଼ ଦେଖିବାକୁ ମିଳିଛି। ମଙ୍ଗଳବାର ମଧ୍ୟାହ୍ନରେ ନୂଆଁଖାଇ ପର୍ବ ଶେଷ ହେବା ପରେ ସନ୍ଧ୍ୟାରୁ ନୂଆଁଖାଇ ଭେଟଘାଟ ଓ ଜୁହାର ବିଧି ଚାଲିବ। ନୂଆଁଖାଇ ଭେଟଘାଟ ପରମ୍ପରା ଏବେ ବଦଳି ଯାଇଥିବାରୁ ଗାଁ ଗହଳିରୁ ନେଇ ଦେଶବିଦେଶରେ ବି ଏହାର ଝଲକ ଦେଖିବାକୁ ମିଳୁଛି। ଯେଉଁଠି ନାନା ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ସମ୍ବଲପୁରୀ ଭାଷା, ସଂସ୍କୃତି, ଗୀତ ଓ ନୃତ୍ୟ ଦର୍ଶକଙ୍କ ମନମୋହିବ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button