Mayurbhanj Kabiraj Murder Case: ମୟୂରଭଞ୍ଜ କବିରାଜ ହତ୍ୟା ମାମଲାର ପର୍ଦ୍ଦାଫାସ, ପୂର୍ବଶତ୍ରୁତାରୁ ହତ୍ୟା, ଜଣେ ଗିରଫ
ମୟୂରଭଞ୍ଜର ଗୋରୁମହିଷାଣୀ ଥାନା ଅଞ୍ଚଳରେ କବିରାଜ ରାମେଶ୍ୱର ପିଙ୍ଗୁଆ ହତ୍ୟା ମାମଲାରେ ଜେନା ନାଏକ ଗିରଫ। ପୂର୍ବ ଶତ୍ରୁତାକୁ ହତ୍ୟାର କାରଣ ବୋଲି ପଚରାଉଚରାରେ ଅଭିଯୁକ୍ତ ସ୍ୱୀକାର କରିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।

ରାଇରଙ୍ଗପୁର/ଗୋରୁମହିଷାଣୀ:ମୟୂରଭଞ୍ଜଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ତାଣ୍ଡିପାଣି ଗ୍ରାମର କବିରାଜ ତଥା ମାଝୀ ବାବା ରାମେଶ୍ୱର ପିଙ୍ଗୁଆ (୪୫)ଙ୍କୁ ତେଲେଙ୍ଗାନା ଖଣ୍ଡାରେ କାକୁଡିରୁମା-ଖେଜୁରି ଗ୍ରାମ ଜଙ୍ଗଲ ରାସ୍ତାରେ ହତ୍ୟା କରାଯାଇଥିଲା। ଏହା ପଛରେ ଗୁଣିଗାରେଡ଼ି କିମ୍ବା ଟଙ୍କା ଲୋଭରେ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଥିଲା। ଶେଷରେ ଏହି ସନ୍ଦେହ ଉପରୁ ପରଦା ହଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟା ହୋଇଥିବା ଅଭିଯୁକ୍ତ ସ୍ବୀକାର କରିଛି।
ଉକ୍ତ ହତ୍ୟା ଘଟଣାରେ ଥାନାରେ କେସ ନଂ ୧୨୩/୨୬ ରେ ଏକ ମାମଲା ରୁଜୁ ହୋଇଥିଲା । ଗୋରୁମହିଷାଣୀ ଥାନା ଅଧିକାରୀ ଜଗନ୍ନାଥ ମୁଣ୍ଡା ଓ ରାଇରଙ୍ଗପୁର ଏସଡିପିଓ ବୀରେନ୍ଦ୍ର ସେନାପତିଙ୍କ ନେତୃତ୍ବରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ ଜାରି ରଖିଥିଲା ।
ତଦନ୍ତ ପରେ ସେହି ଗ୍ରାମର ଜେନା ନାଏକ (୫୦)ଙ୍କୁ ପୁଲିସ ଗିରଫ କରାଯାଇଛି। ଆସନ୍ତାକାଲି (ବୁଧବାର) ହତ୍ୟାକାରୀ ଜେନା ନାଏକଙ୍କୁ କୋର୍ଟ ଚାଲାଣ କରାଯିବ। ପଚରାଉଚରାରେ ଅଭିଯୁକ୍ତ ଜଣକ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା କରିଥିବା ସ୍ବୀକାର କରିଛି। କିଛି ମାସ ପୂର୍ବରୁ ଅଭିଯୁକ୍ତ ଜଣକ ଏକ ମାମଲରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଯାଇଥିଲେ । ତେବେ ସେହି ଘଟଣାରେ ମୃତକ କବିରାଜ (ମାଝୀ ବାବା) ଙ୍କ ପାଇଁ ଅଭିଯୁକ୍ତ ଜେଲ ଯାଇଥିବା ନେଇ ଅଭିଯୁକ୍ତ ଜଣକ ସନ୍ଦେହ କରୁଥିଲା।
ସୌଜନ୍ୟ ସମ୍ବାଦ




