Crime News : ଫେସ୍ବୁକ୍ରେ ସମ୍ବର ଶିଙ୍ଗ ବିକୁଥିଲେ, ମେରାଇନ୍ ଯନ୍ତ୍ରୀଙ୍କୁ ବାନ୍ଧିଲା ବନ ବିଭାଗ

ଭୁବନେଶ୍ୱର, ୨୮/୧୦ : ମରଚାଣ୍ଟ ନ୍ୟାଭିରେ ମେରାଇନ୍ ଇଞ୍ଜିନିୟର ଥିଲେ । ଉଚ୍ଚ ଦରମା ସାଙ୍ଗକୁ ସମ୍ଭ୍ରାନ୍ତ ଶୈଳୀରେ ଜୀବନ ବିତାଉଥିଲେ । କିନ୍ତୁ ଚାକିରି ଯିବା ପରେ ମୁଣ୍ଡରେ କୁବୁଦ୍ଧି ପଶିଲା । ଘରେ ରଖାଯାଇଥିବା ସମ୍ବର ଶିଙ୍ଗକୁ ବିକିବାକୁ ଫେସ୍ବୁକ୍ରେ ବିଜ୍ଞାପନ ଛାଡି଼ଲେ । ଶିଙ୍ଗ ଯୋଡ଼ାକୁ ୬ ଲକ୍ଷ ଟଙ୍କା । ବାସ୍, ସୋସିଆଲ ମିଡିଆ ପ୍ଲାଟଫର୍ମରେ ବନ୍ୟପ୍ରାଣୀ ତସ୍କରି କରୁଥିବା ଦର୍ଶାଇ ସମ୍ପୃକ୍ତ ଯନ୍ତ୍ରୀଙ୍କୁ କାବୁ କରିଛି ବନ ବିଭାଗ । ମେରାଇନ୍ ଇଞ୍ଜିନିୟର ଜଣକ ହେଲେ, ପ୍ରୀତମ ପଟ୍ଟନାୟକ । ତାଙ୍କ ଘର ଭୁବନେଶ୍ୱରର ନିକୋ ପାର୍କ ନିକଟ ମଧୁସୂଦନ ନଗରରେ । ସିଟି ଡିଏଫଓ (ଭୁବନେଶ୍ୱର)ର ଏକ ଟିମ୍ ଗତକାଲି ମଧ୍ୟାହ୍ଣରେ କେନ୍ଦ୍ରୀୟ ବିଦ୍ୟାଳୟ-୧ ନିକଟରୁ ପ୍ରୀତମଙ୍କୁ କାବୁ କରିଛି । ତାଙ୍କଠାରୁ ଯୋଡ଼ା ଶିଙ୍ଗ ଜବତ କରାଯାଇଛି । ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନରେ ମାମଲା ରୁଜୁ କରାଯାଇ ପ୍ରୀତମଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ତଦନ୍ତରୁ ଜଣାପଡି଼ଛି ଯେ କୌଣସି କାରଣରୁ ପ୍ରୀତମ୍ ମେ’ ମାସରୁ ମରଚାଣ୍ଟ ନ୍ୟାଭିର ଚାକିରି ଛାଡି଼ ଘରେ ରହୁଥିଲେ । ପ୍ରୀତମଙ୍କ ବାପା ଜଣେ ଠିକାଦାର । ଉକ୍ତ ଶିଙ୍ଗଟି ବହୁତବର୍ଷ ଧରି ତାଙ୍କ ଘରେ ଟଙ୍ଗା ହୋଇଥିଲା । କିଛି ଦିନ ତଳେ ସେ ବାପାଙ୍କ ଫେସ୍ବୁକ ଆକାଉଣ୍ଟରେ ଏହି ସମ୍ବର ଶିଙ୍ଗ ଫଟୋ ପୋଷ୍ଟ କରିଥିଲେ । କିଣିବାକୁ ଇଚ୍ଛୁକ ବ୍ୟକ୍ତିମାନେ ଯୋଗାଯୋଗ ପାଇଁ ବାପାଙ୍କ ମୋବାଇଲ୍ ନଂ ମଧ୍ୟ ଦେଇଥିଲେ । ସିଟି ଡିଏଫଓ (ଭୁବନେଶ୍ୱର) ଅମରେଶ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଏହି ତସ୍କରୀକୁ ଧରିବାକୁ ଏସିଏଫ୍ ବିବେକ ଦାସଙ୍କ ନେତୃତ୍ୱରେ ଏକ ଟିମ୍ ଗଢ଼ାଗଲା । ବିବେକ ନିଜେ ଗ୍ରାହକ ସାଜି ପ୍ରୀତମକୁ ଫୋନ୍ କରିଥିଲେ । ୫ ଲକ୍ଷ ଟଙ୍କାରେ ଦର ଛିଡି଼ବା ପରେ କେଭି-୧ ସ୍କୁଲ ପଛ ଗଳିକୁ ପ୍ରୀତମଙ୍କୁ ଡକାଇଥିଲେ । ସେଠାରେ ପୂର୍ବରୁ ଥିବା ବନ ବିଭାଗର ଟିମ୍ ତାଙ୍କୁ କାବୁ କରିଥିଲା । ଜବତ ଶିଙ୍ଗର କାର୍ବନ ଡେଟିଂ କରାଯିବ । ପରୀକ୍ଷାରୁ ସମ୍ବରର ବୟସ ଓ ଶିକାରର ସମୟ ଜଣାପଡି଼ବ ବୋଲି ଆଶା କରାଯାଉଛି ।
ସୌଜନ୍ୟ ପ୍ରମେୟ




