Medicine: ଓଜନ ହ୍ରାସକାରୀ ଔଷଧର ବେଆଇନ ବିକ୍ରିକୁ ନେଇ ଭାରତରେ ୪୯ଟି ଫାର୍ମାସି ଓ କ୍ଲିନିକ୍‌ର ଅଡିଟ୍

ନୂଆଦିଲ୍ଲୀ: ଜିଏଲପି-୧ ନାମରେ ଜଣାଶୁଣା ଓଜନ ହ୍ରାସକାରୀ ଔଷଧର ଯୋଗାଣ ଶୃଙ୍ଖଳାରେ ନୈତିକ ଫାର୍ମାସ୍ୟୁଟିକାଲ୍ ଅଭ୍ୟାସ ନିଶ୍ଚିତ କରିବାକୁ, ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ଏହି ଔଷଧର ଅନଧିକୃତ ବିକ୍ରୟ ଓ ପ୍ରୋତ୍ସାହନ ବିରୋଧରେ ଏହାର ନିୟାମକ ନିରୀକ୍ଷଣକୁ ତୀବ୍ର କରିଛି।

ଜିଏଲ୍‌ପି-୧ ଔଷଧ ହେଉଛି ଏକ ନୂତନ ଶ୍ରେଣୀର ଔଷଧ ଯାହା ରକ୍ତରେ ଶର୍କରା ଓ ଭୋକକୁ ନିୟନ୍ତ୍ରଣ କରି ମଧୁମେହ ଓ ମେଦବହୁଳତାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ। ନିକଟରେ ଭାରତୀୟ ବଜାରରେ ଏହି ଔଷଧର ଏକାଧିକ ଜେନେରିକ୍ ଭାରିଆଣ୍ଟର ପ୍ରଚଳନ ସହିତ, ଖୁଚୁରା ଫାର୍ମାସି, ଅନଲାଇନ୍ ପ୍ଲାଟଫର୍ମ, ହୋଲସେଲର ଓ ୱେଲନେସ୍ କ୍ଲିନିକ୍ ମାଧ୍ୟମରେ ସେଗୁଡ଼ିକର ବ୍ୟାପକ ଉପଲବ୍ଧତାକୁ ନେଇ ଚିନ୍ତା ସୃଷ୍ଟି ହୋଇଛି। କାରଣ ଏହି ଔଷଧଗୁଡ଼ିକ, ଯେତେବେଳେ ଉପଯୁକ୍ତ ଡାକ୍ତରୀ ତଦାରଖ ବିନା ବ୍ୟବହାର କରାଯାଏ, ଗମ୍ଭୀର ପ୍ରତିକୂଳ ପ୍ରଭାବ ଓ ଆନୁଷଙ୍ଗିକ ସ୍ୱାସ୍ଥ୍ୟ ବିପଦ ସୃଷ୍ଟି କରିପାରେ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତର ଡ୍ରଗ୍ସ କଣ୍ଟ୍ରୋଲର, ରାଜ୍ୟ ନିୟାମକଙ୍କ ସହଯୋଗରେ, ଫାର୍ମାସ୍ୟୁଟିକାଲ୍ ଯୋଗାଣ ଶୃଙ୍ଖଳାରେ ସମ୍ଭାବ୍ୟ ଅନିୟମିତତାକୁ ତଥା ଅନଧିକୃତ ବିକ୍ରୟ ଓ ବ୍ୟବହାରକୁ ରୋକିବା ପାଇଁ ପଦକ୍ଷେପ ଆରମ୍ଭ କରିଛି। ମାର୍ଚ୍ଚ ୧୦, ୨୦୨୬ରେ ସମସ୍ତ ଉତ୍ପାଦକଙ୍କୁ ଏକ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଥିଲା, ଯେଉଁଥିରେ ପରୋକ୍ଷ ବିଜ୍ଞାପନ ଓ ପ୍ରଚାର ଉପରେ ସ୍ପଷ୍ଟ ଭାବରେ ପ୍ରତିବନ୍ଧକ ଲଗାଯାଇଥିଲା ଯାହା ଗ୍ରାହକଙ୍କୁ ବିଭ୍ରାନ୍ତ କରିପାରେ। ଗତ ସପ୍ତାହରେ ଅନଲାଇନ୍ ଫାର୍ମାସି ଗୋଦାମ, ଔଷଧ ହୋଲସେଲର, ଖୁଚୁରା ବ୍ୟବସାୟୀ ଏବଂ ୱେଲନେସ ଓ ସ୍ଲିମିଂ କ୍ଲିନିକ୍ ସମେତ ୪୯ଟି ସଂସ୍ଥାରେ ଅଡିଟ୍ ଓ ଯାଞ୍ଚ କରାଯାଇଥିଲା।

ନିୟାମକ କହିଛନ୍ତି ଯେ ରୋଗୀର ସୁରକ୍ଷା ସର୍ବୋପରି। କ୍ଲିନିକାଲ୍ ତଦାରଖ ବିନା ଓଜନ ହ୍ରାସ ଔଷଧର ଅପବ୍ୟବହାର ଗୁରୁତର ସ୍ୱାସ୍ଥ୍ୟ ଜଟିଳତା ସୃଷ୍ଟି କରିପାରେ। ନାଗରିକମାନଙ୍କୁ କେବଳ ଯୋଗ୍ୟ ଡାକ୍ତରଙ୍କ ମାର୍ଗଦର୍ଶନରେ ଏହିପରି ଔଷଧ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଆଗାମୀ ସପ୍ତାହରେ ନିୟାମକ ନିରୀକ୍ଷଣକୁ ବ୍ୟାପକ କରାଯିବ ଏବଂ ପ୍ରଯୁଜ୍ୟ ଆଇନ ଅନୁଯାୟୀ ଲାଇସେନ୍ସ ବାତିଲ, ଜରିମାନା ଆଦାୟ ମାଧ୍ୟମରେ ଅଣ-ଅନୁପାଳନ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

 

 

 

ସୌଜନ୍ୟ ସମ୍ବାଦ

Exit mobile version