ରାଜ୍ୟ

Minor Burn Death Case ରମ୍ଭାଦେଇପୁର ନାବାଳିକାଙ୍କ ’ଦାହମୃତ୍ୟୁ’ ମାମଲା, ପୁଲିସ ଅବହେଳା ଜଳଜଳ

ଜଗତସିଂହପୁର:  ଜଗତସିଂହପୁର ଥାନା ଅନ୍ତର୍ଗତ ରମ୍ଭାଦେଇପୁରରେ ନାବାଳିକା ପୋଡ଼ି ହୋଇ ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ମେଡିକାଲ ପକ୍ଷରୁ ଘଟଣା ଦିନ(ମଇ ୨୩) ସୂଚନା ଦିଆ ଯାଇଥିବା ସତ୍ତ୍ବେ ପୁଲିସ ପକ୍ଷରୁ ସେପରି କୌଣସି ତତ୍ପରତା ପ୍ରକାଶ ପାଇ ନଥିଲା। ପୁଲିସର ପକ୍ଷରୁ ସାଂଘାତିକ ଅବହେଳା କରାଯାଇଥିବା ନେଇ ‘ସମ୍ବାଦ’ ଅନୁସନ୍ଧାନରୁ ଜଣାପଡ଼ିଛି। ଘଟଣା ପରେ ନାବାଳିକା କଥା କହିପାରୁଥିଲେ ମଧ୍ୟ ସେତେବେଳେ ତାଙ୍କର ବୟାନ ରେକର୍ଡ କରାଯାଇ ନଥିଲା। ଯେତେବେଳେ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ହୋଇ ମୃତ୍ୟୁ ସହ ସଂଘର୍ଷ କରୁଥିଲେ ଓ କଥା କହିପାରୁ ନ ଥିଲା ବେଳେ ମାତ୍ର କେଇ ଘଣ୍ଟା ପୂର୍ବରୁ ମୃତ୍ୟୁକାଳୀନ ଜମାନବନ୍ଦୀ(ଡାଇଂ ଡିକ୍ଲାରେସନ) ରେକର୍ଡ କରାଯିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅନୁସନ୍ଧାନରୁ ଜଣାପଡ଼ିଛି, ୨୩ ତାରିଖ ସନ୍ଧ୍ୟାରେ ନାବାଳିକା ପୋଡ଼ି ହୋଇ ଗୁରୁତର ହେବା ପରେ ସଂକଟାପନ୍ନ ଅବସ୍ଥାରେ ପରିବାର ଲୋକ ଅଟୋ ଯୋଗେ ଆଣି ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ନାବାଳିକାଙ୍କୁ କଟକ ଏସ୍‌ସିବି ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ପୋଡ଼ା ଘଟଣା ହୋଇ ଥିବାରୁ ମେଡିକାଲ ପକ୍ଷରୁ ଜଗତସିଂହପୁର ଥାନାକୁ ନାବାଳିକାଙ୍କ ସମ୍ପୂର୍ଣ୍ଣ ତଥ୍ୟ ସହ ଏମଏଲସି(ମେଡିକୋ ଲିଗାଲ କେସ୍) ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା। ଯେଉଁଥିରେ ସନ୍ଦିଗ୍ଧ ହତ୍ୟା ଉଦ୍ୟମ ବୋଲି ଲେଖା ମଧ୍ୟ ଯାଇଥିଲା। ଏହା ସତ୍ତ୍ବେ ପୁଲିସ ପକ୍ଷରୁ, କେଉଁ ପରିସ୍ଥିତିରେ, କେମିତି ନାବାଳିକା ପୋଡ଼ିଗଲେ ତାହାର ତଦନ୍ତ ତତକ୍ଷଣାତ କରାଯାଇ ନ ଥିଲା କିମ୍ବା ନାବାଳିକାଙ୍କ ପରିବାର ଲୋକଙ୍କ ବୟାନ ନିଆଯାଇନଥିଲା। ଏପରିକି ପୋଡ଼ିଯିବା ଘଟଣାରେ ତୁରନ୍ତ ନାବାଳିକାଙ୍କର ବୟାନ ରେକର୍ଡ କରାଯିବା କଥା ବୋଲି ଜଣେ ବରିଷ୍ଠ ଆଇନଜୀବୀ କହିଛନ୍ତି।

ଆଇନଜୀବୀଙ୍କ କହିବା ଅନୁସାରେ, ନାବାଳିକା ସେତେବେଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଯେଉଁ ମୃତ୍ୟୁକାଳୀନ ଜମାନବନ୍ଦୀ(ଡାଇଂ ଡିକ୍ଲାରେସନ) ଦେବେ ତାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ପୀଡ଼ିତା ଯାହା କହିବେ ମାମଲା ସେହି ଅନୁସାରେ ଆଗେଇବ, କିନ୍ତୁ ତାହା କରାଯାଇ ନଥିଲା। ପରିବାର ଲୋକଙ୍କ ଅଭି‌ଯୋଗ ଅନୁସାରେ, ମଇ ୨୩ ତାରିଖରୁ ଜୁନ୍ ୩ ତାରିଖ ପର୍ଯ୍ୟନ୍ତ ପ୍ରାୟ ୧୦ ଦିନ ଧରି ନାବାଳିକା କଥାବାର୍ତ୍ତା କରିପାରୁଥିଲେ। କିନ୍ତୁ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ କୃତ୍ରିମ ଶ୍ବାସନଳୀ ଲଗା ଯାଇଥିଲା। ଏହା ପରେ ସେ ଆଉ ଠିକ୍ ଭାବେ କଥାବାର୍ତ୍ତା କରିପାରୁ ନଥିଲେ। ତେଣୁ ବୟାନ ରେକର୍ଡ ବେଳେ ସେ କିଛି କହିପାରି ନଥିଲେ। ଜୁନ୍ ୫ ତାରିଖରେ ତରିକୁନ୍ଦ ଫାଣ୍ଡିରେ ଏତଲା ଦିଆଯିବା ପରେ ପୁଲିସ ମାମଲା ରୁଜୁ କରିଥିଲା। ଝିଅକୁ ପଛରୁ କେହି ନିଆଁ ଲଗାଇ ଦେଇ ଥିବାରୁ ସେ ପୋଡ଼ି ଯାଇଥିବା ଅଭିଯୋଗ ହୋଇଥିଲା। କିନ୍ତୁ ପୁଲିସ କହିଥିଲା ନାବାଳିକା ଡିଆସିଲି ଧରି ନିଆଁ ଲଗାଉଥିବା ବେଳେ ଦୁର୍ଘଟଣାବଶତଃ ନିଆଁ ଲାଗି ଯାଇଥିଲା। ୬ ତାରିଖରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୟାନ ରେକର୍ଡ କରାଯାଇଥିଲା। ୭ ତାରିଖରେ ନାବାଳିକାଙ୍କର ମୃତ୍ୟୁ ହୋଇଥିଲା।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button