MoU: ଏମଓୟୁ ସ୍ୱାକ୍ଷର: ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରର ଉନ୍ନତି ପାଇଁ ପଦକ୍ଷେପ

ଭଦ୍ରକ ଜିଲ୍ଲା ପ୍ରଶାସନ ଓ ମହାନଦୀ କୋଲଫିଲ୍ଡସ୍‌ ଲିମିଟେଡ୍‌ (ଏମସିଏଲ) ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ସ୍ମାରକ (ଏମଓୟୁ) ସ୍ୱାକ୍ଷର କାର୍ଯ୍ୟକ୍ରମ ରବିବାର ସନ୍ଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।

ଭଦ୍ରକ (ହରିହର ନାୟକ):ଭଦ୍ରକଜିଲ୍ଲା ପ୍ରଶାସନ ଓ ମହାନଦୀ କୋଲଫିଲ୍ଡସ୍‌ ଲିମିଟେଡ୍‌ (ଏମସିଏଲ) ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ସ୍ମାରକ (ଏମଓୟୁ) ସ୍ୱାକ୍ଷର କାର୍ଯ୍ୟକ୍ରମ ରବିବାର ସନ୍ଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚ ଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲାପାଳ  ଦିଲୀପ ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ  ସରୋଜ ଦତ୍ତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ  ଶୁଭେନ୍ଦ୍ର ସାମଲ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଳ , ଜିଲ୍ଲା ଶିକ୍ଷା ଅଧିକାରୀ ଜଗବଂଧୁ ନାୟକ, ଜିଲ୍ଲା ଶିଶୁ କଲ୍ଯାଣ ଅଧିକାରୀ ରୁପାଲି ମିତ୍ର ଓ ଏମସିଏଲର ଜେନେରାଲ ମ୍ୟାନେଜର ଜ୍ୟୋତିର୍ମୟ ସିନ୍ହା ସହିତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ଏମଓୟୁ ଅନୁଯାୟୀ, ଭଦ୍ରକ ଜିଲ୍ଲାର ଧାମନଗର ନିର୍ବାଚନ ମଣ୍ଡଳୀରେ ଅବସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ଓ ୫୦ଟି ପ୍ରାଥମିକ ବିଦ୍ୟାଳୟର ଉନ୍ନତିକରଣ କାମ ୫ କୋଟି ୧୦ ଲକ୍ଷ ୭୯ ହଜାର ୬୫୦ ଟଙ୍କା ବ୍ୟୟରେ କରାଯିବ ବୋଲି ସୂଚନା ମିଳିଛି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସୁରଜ କହିଥିଲେ ଯେ, ରାଜ୍ୟ ସରକାର ଶିକ୍ଷାର ପ୍ରସାର ଓ ଗୁଣତ୍ତ୍ୱମୂଳକ ଉନ୍ନତି ପାଇଁ ବିଭିନ୍ନ ଯୋଜନା ଗ୍ରହଣ କରୁଛନ୍ତି। ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ବୃଦ୍ଧି, ପାଠଛାଡ଼ ଶିଶୁମାନଙ୍କୁ ପୁନର୍ବାର ଶିକ୍ଷାରେ ଅନ୍ତର୍ଭୁକ୍ତ କରିବା ପାଇଁ ଅଭିଭାବକ ଓ ଶିକ୍ଷକମାନଙ୍କୁ ସମନ୍ୱୟ ରଖି କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ପଦକ୍ଷେପ ଫଳରେ ଅଞ୍ଚଳର ଶିକ୍ଷା ଓ ଶିଶୁ କଳ୍ୟାଣ କ୍ଷେତ୍ରରେ ଲକ୍ଷଣୀୟ ଉନ୍ନତି ଆସିବ ବୋଲି ଆଶା କରାଯାଉଛି।

ସୌଜନ୍ୟ ସମ୍ବାଦ

Exit mobile version