Murder Young Engineer ଅଧୁରା ରହିଲା ଦମ୍ପତିଙ୍କ ମକର ମିଳନ: ଯୁବ ଇଞ୍ଜିନିୟରଙ୍କୁ ଚଳନ୍ତା ଟ୍ରେନ୍‌ରୁ ଠେଲି ହତ୍ୟା, ସ୍କୁଟି ଧରି ଅପେକ୍ଷା କରିଥିଲେ ପତ୍ନୀ

କାଳିଆପାଣି: ମକର ସଂକ୍ରାନ୍ତିରେ ମନ୍ଦିର ଯିବେ ଓ ପର୍ବପାଳିବେ ବୋଲି ନବଦମ୍ପତି ପରସ୍ପରକୁ କଥା ଦେଇଥିଲେ। କର୍ମକ୍ଷେତ୍ରରୁ ସ୍ବାମୀ ଘରକୁ ଯାଉଥିଲେ। ହେଲେ ଚଳନ୍ତା ଟ୍ରେନ୍‌ରେ ଜଗି ରହିଥିବା ଯମ। ଜଣେ ଅଜଣା ଦୁର୍ବୃତ୍ତ ଠେଲି ‌ଦେବାରୁ ଦ୍ରୁତଗାମୀ ଟ୍ରେନ୍‌ରୁ ଛିଟିକି ପଡ଼ି ଶୋଚନୀୟ ମୃତ୍ୟୁର ଶିକାର ହୋଇଛନ୍ତି ଜଣେ ଯୁବ ଇଞ୍ଜିନିୟର। ଘର କାନ୍ଥରେ ଶୁଭବିବାହର ଚିତ୍ର ଟିକେ ବି ମଳିନ ପଡ଼ିନି। ହେଲେ ପତ୍ନୀଙ୍କ ମଥାରୁ ସିନ୍ଦୂର ଲିଭିଯିବା ସହ ମାତ୍ର ୧୩ ମାସ ତଳେ ବିବାହ ହୋଇଥିବା ଏହି ଦମ୍ପତିଙ୍କ ମକର ମିଳନ ଅଧୁରା ରହିବାକୁ ନେଇ ସଂପୃକ୍ତ ପରିବାର, ପ୍ରିୟଜନ ଓ ସହକର୍ମୀ ସ୍ତବ୍‌ଧ ହୋଇଯାଇଛନ୍ତି।

ଯାଜପୁରଜିଲ୍ଲା କାଳିଆପାଣି ଥାନା ଫେକର ଓସ୍ତପାଳ କ୍ରୋମାଇଟ୍‌ ଖଣିର ଓଡ଼ିଶା ମୋଟର୍ସ(ଓଏମ୍‌ପିଏଲ୍‌) କମ୍ପାନିର ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟର ଅବିନାଶ ଜେନା(୨୭)ଙ୍କୁ ଚଳନ୍ତା ଟ୍ରେନ୍‌(ଧଉଳି ଏକ୍ସପ୍ରେସ୍‌)ରୁ ଠେଲି ହତ୍ୟା କରାଯାଇଥିବା ତାଙ୍କ ପତ୍ନୀ ‌ଜୟସ୍ମିତା ମହାନ୍ତି ପୁଲିସକୁ ଅଭିଯୋଗ କରିଛନ୍ତି। ମାର୍କୋଣା ପାଖରୁ ପତ୍ନୀଙ୍କୁ ସେ ଶେଷଥର ପାଇଁ କଲ୍‌ କରିଥିଲେ। ସ୍ବାମୀଙ୍କୁ ରିସିଭ କରିବା ପାଇଁ ପତ୍ନୀ ସ୍କୁଟି ଧରି ବାଲେଶ୍ବର ଷ୍ଟେସନରେ ଅପେକ୍ଷା କରି ରହିଥିଲେ। ନିର୍ଦ୍ଧାରିତ ସମୟ ଠାରୁ ୬ ଘଣ୍ଟା ପର୍ଯ୍ୟନ୍ତ ସ୍ବାମୀଙ୍କ ପତ୍ତା ମିଳିନଥିଲା। ବିଚଳିତ ଓ ନିରାଶ ହୋଇ ପତ୍ନୀ ରେଳବାଇ ପୁଲିସ ପାଖରେ ସ୍ବାମୀଙ୍କ ନିଖୋଜ ସଂପର୍କରେ ଅଭିଯୋଗ କରିଥିଲେ। ବିଳମ୍ବିତ ରାତି ସାଢ଼େ ଗୋଟାଏରେ ରେଳବାଇ ପୁଲିସ ପକ୍ଷରୁ ତାଙ୍କୁ କଲ୍‌ ଆସିଥିଲା। ସୋର ଥାନା ସବିରା ଜଙ୍କସନ ପାଖ‌ରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା କୁହାଯାଇଥିଲା। ପତ୍ନୀ ଓ ବାପା ରବୀନ୍ଦ୍ରନାଥ ଜେନାଙ୍କ ମନକୁ ପାପ ଛୁଇଁଥିଲା। ଶ୍ବଶୁର, ବୋହୂ ଓ ସଂପର୍କୀୟମାନେ ଘଟଣାସ୍ଥଳକୁ ଯାଇ ମୃତଦେହ ଚିହ୍ନଟ କରିଥିଲେ। ମୃତଦେହ ଚିହ୍ନଟ ସହଜ ହୋଇନଥିଲା। ଏ ସଂକ୍ରାନ୍ତରେ ରେଳବାଇ ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।

ଗତକାଲି ଖଣିରେ ମକର ଛୁଟି ଥିଲା। କାଳିଆପାଣି ଟାଉନସିପ ବସଷ୍ଟାଣ୍ଡ୍‌ ପାଖ ମେସ୍‌ରେ ରହୁଥିବା ଇଂ ଅବିନାଶ ବାଲେଶ୍ବର ପୁରୁଣାବଜାର ରଣସାହିସ୍ଥିତ ନିଜ ଘରୁ ବାହାରିଥିଲେ। ଟାଉନସିପ ବସଷ୍ଟାଣ୍ଡ୍‌ରୁ ଏକ ଯାତ୍ରୀବାହୀ ବସ୍ ଯୋଗେ ଯାଜପୁରରୋଡ ‌‌ଷ୍ଟେସନରେ ପହଞ୍ଚିଥିଲେ। ବସ୍‌ରୁ ଓହ୍ଲାଇବା କ୍ଷଣି ଧଉଳି ଟ୍ରେନ୍‌ ପହଞ୍ଚିଥିଲା। ଟିକେଟ୍‌ କାଟି ଭିଡ଼ ଭିତରେ ସେ ଜେନେରାଲ୍‌ ବଗିରେ ଚଢ଼ିଥିଲେ। ସିଟ୍‌ରେ ବସିବା କିମ୍ବା ଗୋଡ଼ରେ ଗୋଡ଼ ପଡ଼ିଯିବାକୁ ନେଇ ଅନ୍ୟ ଜଣେ ସହଯାତ୍ରୀ ସହ ତାଙ୍କର ବଚସା ହୋଇଥିଲା। ମାର୍କୋଣା ପାଖରେ ଫୋନ୍‌ କରିବା ସମୟରେ ଏହି ପତ୍ନୀଙ୍କୁ କଳି ଝଗଡ଼ା ଶୁଣା ଯାଇଥିଲା। ଏହାପରେ ଭିଡ଼ ଭିତରେ ଆଉ ଫୋନ୍‌ କରିବା ସମ୍ଭବ ହୋଇନଥିଲା। ଦୁର୍ଘଟଣା ପରେ ଫୋନ୍‌ ସୁଇଚ୍ଅଫ୍‌ ରହିଥିଲା।

୩୮ ଦିନ ତଳେ ‌ପ୍ରଥମ ବିବାହ ବାର୍ଷିକୀ ପାଳିଥିଲେ ଦମ୍ପତି

ଗତ ୨୦୨୪ ମସିହା ଡିସେମ୍ବର ୬ ତାରିଖରେ ବଡ଼ ଧୁମ୍‌ଧାମ୍‌ରେ ଅବିନାଶ ଓ ଜୟସ୍ମିତାଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ୩୮ ଦିନ ତଳେ ‌ଏହି ଦମ୍ପତି ପ୍ରଥମ ବିବାହ ବାର୍ଷିକୀ ପାଳିଥିଲେ।

 

 

 

ସୌଜନ୍ୟ ସମ୍ବାଦ