Nana Patekar: ‘ନାନା’ଙ୍କ ପ୍ରକୃତ ନାମ ଜାଣନ୍ତି କି ? ଚାଷୀଙ୍କ ପାଇଁ ‘ନାମ୍’ର ପଛର ରହସ୍ୟ କଣ

ମୁମ୍ବାଇ,୦୯/୧୦; କୋଟି କୋଟି ହୃଦୟରେ ରାଜ୍ କରୁଥିବା କିମ୍ବଦନ୍ତୀ କଳାକାରଙ୍କୁ ‘ନାନା’ ନାମରେ ଜାଣେ ସିନେ ଜଗତ । କିନ୍ତୁ ଖୁବ୍ କମ୍ ଜାଣନ୍ତି, ନାନା ତାଙ୍କର ପ୍ରକୃତ ନାଁ ନ ଥିଲା । ପ୍ରକୃତ ନାମ ଥିଲା ବିଶ୍ୱନାଥ ଗଜାନନ ପାଟେକର । ଜଣେ ସାଧାରଣ ମରାଠୀ ଘରର ପୁଅ ଦେଶର କଳା ଜଗତର ଚିହ୍ନା ଚେହେରା ହେବାର ଯାତ୍ରା ଖୁବ୍ ରୋମାଞ୍ଚକର । ୧ ଜାନୁଆରୀ ୧୯୫୧ରେ ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲା ସ୍ଥିତ ମୁରୁଦ-ଜଂଜୀରାରେ ଜନ୍ମଗ୍ରହଣ କରିଥିଲେ ନାନା । ତାଙ୍କ ନାଁ ରଖାଯାଇଥିଲା ବିଶ୍ୱନାଥ ଗଜାନନ ପାଟେକର । ବାପାଙ୍କ ନାଁ ଦିନକର ପାଟେକର ଓ ମା’ଙ୍କ ନାଁ ନିର୍ମଳା ପାଟେକର । ପିଲାଦିନୁ କଳା ପ୍ରତି ତାଙ୍କର ରୁଚି ଥିଲା ।
ସେଥିପାଇଁ ପରବର୍ତ୍ତୀ ସମୟରେ ମୁମ୍ବାଇର ପ୍ରସିଦ୍ଧ ବାନ୍ଦ୍ରା ସ୍କୁଲ ଅଫ୍ ଆର୍ଟରେ ସେ ଅଧ୍ୟୟନ କରିଥିଲେ । ପ୍ରକୃତ ନା ହଜିଯିବା ପଛର କାରଣ ନାନା ନିଜେ କହିଥିଲେ । ତାଙ୍କ ମା’ଙ୍କର ଜଣେ ଅତି ଘନିଷ୍ଠ ବନ୍ଧୁ ଥିଲେ, ଯିଏ ତାଙ୍କୁ ପିଲାଦିନେ ନାନା ନାମରେ ସମ୍ବୋଧନ କରୁଥିଲେ । ଧୀରେ ଧୀରେ ଏହି ନାଁ ତାଙ୍କ ପରିଚୟ ପାଲଟିଗଲା । ପରେ ସେ ନାନାକୁ ନିଜର ଔପଚାରିକ ନାଁ ରୂପେ ଆପଣେଇ ନେଲେ । ସମୟ ସହିତ ବିଶ୍ୱନାଥ ନାଁ ହଜିଗଲା ଆଉ ନାନା ପାଟେକର ଭାରତୀୟ ସିନେମାର ସବୁଠୁ ପ୍ରସିଦ୍ଧ ଓ ସମ୍ମାନିତ ନାଁରେ ପରିଗଣିତ ହେଲା ।
ସୌଜନ୍ୟ ପ୍ରମେୟ




