ତେହେରାନ/ତେଲ୍ଅଭିଭ୍: ମଧ୍ୟପ୍ରାଚ୍ୟ ଯୁଦ୍ଧ ଦିନକୁ ଦିନ ଅତି ଭୟଙ୍କର ହେବାରେ ଲାଗିଛି। ଯୁଦ୍ଧ ଆଜି ୧୭ଶ ଦିନରେ ପହଞ୍ଚିଥିବା ବେଳେ ଇରାନ ରାଜଧାନୀ ତେହେରାନରେ ଆଜି ଇସ୍ରାଏଲ ଏହାର ଆକ୍ରମଣକୁ ଜୋରଦାର କରିଛି। ଇରାନ ଉପରେ ଆକ୍ରମଣ ଜୋରଦାର ହେବ ବୋଲି ଇସ୍ରାଏଲ ଘୋଷଣା କରିବାର କିଛି ଘଣ୍ଟା ପରେ କେନ୍ଦ୍ରୀୟ ତେହେରାନରେ ପ୍ରଚଣ୍ଡ ବିସ୍ଫୋରଣ ଘଟାଇଛି। ଇରାନର ମରକଜି ପ୍ରଦେଶରେ ଆଜି ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ହୋଇଛି ଓ ୭ ଜଣ ଆହତ ହୋଇଛନ୍ତି। ଆରକ ସହର ନିକଟସ୍ଥ ଏକ ଗ୍ରାମରେ ଆଜି ଏକ ସାଧାରଣ ଜନବସତି ଅଞ୍ଚଳରେ ଏହି ବିସ୍ଫୋରଣ ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ମହାଲ୍ଲତରେ ଅନ୍ୟ ଏକ କୋଠାରେ ବିସ୍ଫୋରଣ ହେବା ଫଳରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ଖୋମିନ ସହରରେ ଏକ ସ୍କୁଲ୍ ଉପରେ ମଧ୍ୟ ଆକ୍ରମଣ ହୋଇଛି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ଇସ୍ରାଏଲକୁ କଡ଼ା ଜବାବ ଦେଇ ଇରାନ କେନ୍ଦ୍ରୀୟ ଇସ୍ରାଏଲରେ ଆଜି ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼ କରିଛି। ତେବେ ଏଥିରେ କେହି ମୃତାହତ ହୋଇଥିବା ନେଇ କିଛି ସୂଚନା ମିଳିନି।
ମରକଜି ପ୍ରଦେଶରେ ୫ ଜଣଙ୍କ ମୃତ୍ୟୁ
କେନ୍ଦ୍ରୀୟ ଇସ୍ରାଏଲରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼
ଦୁବାଇ, ଆବୁଧାବିରେ ଘନଘନ ଡ୍ରୋନ୍ ଆକ୍ରମଣ
ଇରାନ କହିଲା ହର୍ମୁଜ ଆମ ନିୟନ୍ତ୍ରଣରେ
ଅନ୍ୟପକ୍ଷେ ଇରାନ ଦୁବାଇ ଓ ଆବୁଧାବିରେ ଘନଘନ ଡ୍ରୋନ୍ ଆକ୍ରମଣ କରୁଛି ଏବଂ ମିସାଇଲ ମାଡ଼ କରୁଛି। ଆବୁଧାବିରେ ଆଜି ଏକ ଜନବସତି ଅଞ୍ଚଳରେ ଏକ ଗାଡ଼ି ଉପରେ କ୍ଷେପଣାସ୍ତ୍ର ପଡ଼ିବା ଫଳରେ ଜଣେ ପାଲେଷ୍ଟିନୀୟ ନାଗରିକଙ୍କର ମୃତ୍ୟୁ ହୋଇଛି। ଏଥିସହ ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ୟୁଏଇରେ ମୋଟ୍ ୭ ଜଣଙ୍କର ମୃତ୍ୟୁ ହୋଇଛି ଓ ୧୪୫ ଜଣ ଆହତ ହୋଇଛନ୍ତି। ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ଡ୍ରୋନ୍ ଆକ୍ରମଣ ଫଳରେ ଏକ ଅଂଶରେ ନିଆଁ ଲାଗି ଯାଇଥିଲା। କିନ୍ତୁ ପରେ ବିମାନବନ୍ଦରରେ ବିମାନ ଚଳାଚଳ ଧୀରେଧୀରେ ସ୍ବାଭାବିକ ହୋଇଥିଲା। ୟୁଏଇର ଫୁଜେରା ବନ୍ଦର ନିକଟରେ ଆଜି ଏକ ତୈଳ ଶିଳ୍ପ କ୍ଷେତ୍ରରେ ଡ୍ରୋନ୍ ଆକ୍ରମଣ ହେବା ଫଳରେ ନିଆଁ ଲାଗି ଯାଇଛି। ୟୁଏଇର ଉତ୍ତର ଏମିରେଟ୍ରେ ଉମ୍ ଅଲ କୁଏନରେ ଡ୍ରୋନ୍ ଆକ୍ରମଣ ଫଳରେ ଏକ କୋଠାରେ ନିଆଁ ଲାଗି ଯାଇଛି। ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ବିଭ୍ରାନ୍ତିକର ପୋଷ୍ଟ୍ ବିରୋଧରେ ୟୁଏଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୩୫ ଜଣଙ୍କୁ ଗିରଫ କରିଛି। ଏଥିରେ ୧୯ ଜଣ ଭାରତୀୟ ଅଛନ୍ତି। ଇତି ମଧ୍ୟରେ ଇରାନ ଅଭିଯୋଗ କରିଛି ଯେ, ଆମେରିକା ଇରାନର ଖାର୍ଗ ଦ୍ବୀପରେ ଆକ୍ରମଣ କରିବାପାଇଁ ୟୁଏଇର ବନ୍ଦରକୁ ବ୍ୟବହାର କରିଛି।
ଇତି ମଧ୍ୟରେ ଇରାନ ବିଦେଶ ମନ୍ତ୍ରାଳୟ ସୋମବାର କହିଛି ଯେ, ହର୍ମୁଜ ପ୍ରଣାଳୀ ବନ୍ଦ ହୋଇନାହିଁ। ଏହି ଜଳପଥ ଏବେ ଇରାନ ସେନାବାହିନୀର ନିୟନ୍ତ୍ରଣରେ। କେବଳ ସ୍ବତନ୍ତ୍ର ସର୍ତ୍ତ ଆଧାରରେ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଛଡ଼ାଯାଉଛି ବୋଲି ଇରାନ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଇସମେଲ ବାଘେ କହିଛନ୍ତି। ଦକ୍ଷିଣ ଲେବାନନରେ ମଧ୍ୟ ଆଜି ଇସ୍ରାଏଲ ସ୍ଥଳଭାଗରେ ସଦ୍ୟ ଆକ୍ରମଣ ଆରମ୍ଭ କରିଛି। ଦକ୍ଷିଣ ଲେବାନନର ପ୍ରମୁଖ ସହରଗୁଡ଼ିକୁ ଟାର୍ଗେଟ୍ କରି ଇସ୍ରାଏଲ ଘନ ଘନ ରକେଟ୍ ଓ ମିସାଇଲ ମାଡ଼ କରୁଛି। ଦକ୍ଷିଣ ଲେବାନନର ଖିଆମ ସହରରେ ଇସ୍ରାଏଲ ଆଜି ୩ ଥର ବିମାନ ଆକ୍ରମଣ କରିଛି।
ସୌଜନ୍ୟ ସମ୍ବାଦ
