Unwed motherhood: ରାୟଗଡ଼ାରେ ୩.୬% ବଢ଼ିଲା କୁମାରୀ ମାତୃତ୍ବ: ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ
ମହିଳା ସାକ୍ଷରତା ହାରରେ ପଛୁଆ। ବାଲ୍ୟବିବାହ ଭଳି କୁପ୍ରଥାରୁ ସଂପୂର୍ଣ୍ଣ ମୁକୁଳି ପାରୁନି ରାୟଗଡ଼ା। ଯାହାଫଳରେ ଜିଲ୍ଲାରେ କୁମାରୀ ମାତୃତ୍ବ ବୃଦ୍ଧି ପାଇଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ-୬ ଅନୁସାରେ ୩.୬ ପ୍ରତିଶତ କୁମାରୀ ମାତୃତ୍ବ ବଢ଼ିଛି।

ରାୟଗଡ଼ା: ମହିଳା ସାକ୍ଷରତା ହାରରେ ପଛୁଆ। ବାଲ୍ୟବିବାହ ଭଳି କୁପ୍ରଥାରୁ ସଂପୂର୍ଣ୍ଣ ମୁକୁଳି ପାରୁନି ରାୟଗଡ଼ା। ଯାହାଫଳରେ ଜିଲ୍ଲାରେ କୁମାରୀ ମାତୃତ୍ବ ବୃଦ୍ଧି ପାଇଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ-୬ ଅନୁସାରେ ୩.୬ ପ୍ରତିଶତ କୁମାରୀ ମାତୃତ୍ବ ବଢ଼ିଛି। ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ହୋଇଥିବା ପୂର୍ବ ସର୍ବେକ୍ଷଣ ଅନୁସାରେ ଜିଲ୍ଲାରେ କୁମାରୀ ମାତୃତ୍ବ ହାର ୯.୨ ପ୍ରତିଶତ ରହିଥିଲା। ଏହି ରିପୋର୍ଟ ୨୦୨୩ ମସିହାରେ ପ୍ରକାଶ ପାଇଥିଲା। ସେହିପରି ୨୦୨୨-୨୩ର ସର୍ବେକ୍ଷଣ ଅନୁସାରେ କୁମାରୀ ମାତୃତ୍ବ ହାର ୧୨.୮ ପ୍ରତିଶତ ବୃଦ୍ଧି ପାଇଥିଲା। ଏ ସଂପର୍କରେ ସବିଶେଷ ତଥ୍ୟ ସମ୍ବଳିତ ରିପୋର୍ଟ ଚଳିତବର୍ଷ ପ୍ରକାଶ କରାଯାଇଛି।
ରାୟଗଡ଼ା ଜିଲ୍ଲାର ମହିଳା ଓ କିଶୋରୀ କୁପୋଷଣ ତଥା ରକ୍ତହୀନତା ସହ ଯୁଝୁଛନ୍ତି। ଏଭଳି ଅଲୋଡ଼ା ରେକର୍ଡ ପରେ ଜାତୀୟ ପରିବାର ସର୍ବେକ୍ଷଣ ରିପୋର୍ଟ ପ୍ରଶାସନିକ ଓ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶହ ଶହ କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ବେ ସ୍ବାସ୍ଥ୍ୟଗତ ସମସ୍ୟାର ଅନ୍ତ ହେବା ପରିବର୍ତ୍ତେ ଉପରମୁହାଁ ହେବାରେ ଲାଗିଛି। ସଦ୍ୟ ପ୍ରକାଶିତ କୁମାରୀ ମାତୃତ୍ବ ରିପୋର୍ଟ ଅନୁସାରେ ଓଡ଼ିଶାର ଶୀର୍ଷ ୪ ଜିଲ୍ଲାରେ ରାୟଗଡ଼ା ସ୍ଥାନ ପାଇଛି। ସେହିପରି ବାଲ୍ୟବିବାହ ପରିସଂଖ୍ୟାନ ମଧ୍ୟ ଉଦ୍ବେଗଜନକ। କାରଣ ଜାତୀୟ ହାର ୨୩.୩ ପ୍ରତିଶତ ରହିଥିବା ବେଳେ ରାୟଗଡ଼ା ଜିଲ୍ଲାର ହାର ରହିଛି ୩୩.୨ ପ୍ରତିଶତ। ସରକାରୀ ତଥ୍ୟ ଅନୁଯାୟୀ, ୨୦୨୫-୨୬ ଆର୍ଥିକ ବର୍ଷରେ ଜିଲ୍ଲାରେ ୪୦ଟି ବାଲ୍ୟବିବାହ ଘଟଣା ଚିହ୍ନଟ ହୋଇଥିଲା। ରାୟଗଡ଼ା ବ୍ଲକରେ ସର୍ବାଧିକ ୧୮, ଗୁଣପୁରରେ ୯, ଗୁଡ଼ାରୀରେ ୭, ରାମନାଗୁଡ଼ାରେ ୩, କୋଲନରାରେ ୨ ଏବଂ ମୁନିଗୁଡ଼ାରେ ଗୋଟିଏ ଘଟଣା ଚିହ୍ନଟ ହୋଇଥିବା ଦର୍ଶାଯାଇଛି।
ସୌଜନ୍ୟ ସମ୍ବାଦ




