ନୂଆଦିଲ୍ଲୀ: ଦେଶର ବ୍ୟାଙ୍କିଂ ବ୍ୟବସ୍ଥାରେ ସଂସ୍କାର ପାଇଁ ସରକାର ଶୀଘ୍ର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବେ। ବ୍ୟାଙ୍କିଂ କ୍ଷେତ୍ରର ସମୀକ୍ଷା କରିବା ସହିତ ବୃହତ୍ ଏବଂ ବିଶ୍ବସ୍ତରରେ ପ୍ରତିଯୋଗିତା କରିବା ଲକ୍ଷ୍ୟରେ ଆବଶ୍ୟକ ବ୍ୟାଙ୍କ ଗଠନ ଦିଗରେ ଉକ୍ତ କମିଟି ସରକାରଙ୍କୁ ସୁପାରିସ କରିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସୂଚନା ଦେଇଛନ୍ତି। ପ୍ରସ୍ତାବିତ କମିଟି ବିଶେଷଭାବେ ବିକଶିତ ଭାରତ ଗଠନ ଦିଗରେ ଆବଶ୍ୟକ ଅର୍ଥ ଯୋଗାଡ଼ ଉପରେ ଧ୍ୟାନ ଦେବ। ଏ କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକର ପ୍ରମୁଖ ଭୂମିକା ରହିବ।
ତେବେ ଏହି କମିଟି ଗଠନ ପୁନର୍ବାର ବ୍ୟାଙ୍କ ମିଶ୍ରଣ ଦ୍ବାର ଉନ୍ମୁକ୍ତ କରିବ କି ବୋଲି ପ୍ରଶ୍ନରେ ଅର୍ଥମନ୍ତ୍ରୀ କହିଥିଲେ କେବଳ ବ୍ୟାଙ୍କ ମିଶ୍ରଣରେ ଏହାକୁ ସୀମିତ ରଖିବା ଉଚିତ ନୁହେଁ। ବିକଶିତ ଭାରତର ପାଣ୍ଠି ଆବଶ୍ୟକତା ପାଇଁ ବ୍ୟାଙ୍କଗୁଡ଼ିକ ବଡ଼ ହେବା ଆବଶ୍ୟକ। ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବାକୁ ହେଲେ ଅର୍ଥ, ବ୍ୟାଙ୍କ ଋଣ ଏବଂ ସାଧାରଣ ଲୋକଙ୍କ ନିକଟରେ ବ୍ୟାଙ୍କ ପହଞ୍ଚିବା ଆବଶ୍ୟକ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ନିକଟରେ ଉପସ୍ଥାପିତ ବଜେଟ୍ରେ ଅର୍ଥମନ୍ତ୍ରୀ ବିକଶିତ ଭାରତ ପାଇଁ ବ୍ୟାଙ୍କିଂ କ୍ଷେତ୍ର ଲାଗି ଉଚ୍ଚସ୍ତରୀୟ କମିଟି ଗଠନ କରିବାର ପ୍ରସ୍ତାବ ଘୋଷଣା କରିଥିଲେ। ଏହି କମିଟି ବ୍ୟାଙ୍କିଂ କ୍ଷେତ୍ରର ସମୀକ୍ଷା କରିବା ସହ ଭାରତର ପରବର୍ତ୍ତୀ ପର୍ଯ୍ୟାୟ ଅଭିବୃଦ୍ଧିର ଆବଶ୍ୟକତା ସହିତ ନିଜକୁ ଖାପ ଖୁଆଇବ। ଏଥିସହିତ ଆର୍ଥିକ ସ୍ଥିରତା, ଅର୍ନ୍ତଭୁକ୍ତୀକରଣ ଏବଂ ଖାଉଟି ସୁରକ୍ଷାକୁ ଦେଖିବ ବୋଲି ସୀତାରମଣ କହିଥିଲେ।
ସୌଜନ୍ୟ ସମ୍ବାଦ
