ରାଜ୍ୟ

Vice President: ୧୬ରେ ଆସିବେ ଉପରାଷ୍ଟ୍ରପତି: ବିଧାୟକଙ୍କ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ଯୋଗଦେବେ, ୨୮ରେ ଆସିପାରନ୍ତି ଅମିତ ଶାହ

ଆସନ୍ତା ନଭେମ୍ବର ୧୬ରେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଅବସରରେ ଉପରାଷ୍ଟ୍ରପତି ଓଡ଼ିଶା ବିଧାନସଭାର ବିଧାୟକମାନଙ୍କ ପାଇଁ ଆୟୋଜିତ ଦିନିକିଆ ଓରିଏ‌େଣ୍ଟସନ୍ କାର୍ଯ୍ୟକ୍ରମରେ...

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୬ରେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଅବସରରେ ଉପରାଷ୍ଟ୍ରପତି ଓଡ଼ିଶା ବିଧାନସଭାର ବିଧାୟକମାନଙ୍କ ପାଇଁ ଆୟୋଜିତ ଦିନିକିଆ ଓରିଏ‌େଣ୍ଟସନ୍ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁ‌କେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ଆୟୋଜନର ଉଦ୍ଦେଶ୍ୟ ନେଇ ଶ୍ରୀ ମହାଲିଙ୍ଗ କହିଛନ୍ତି ଯେ ଓଡ଼ିଶା ବିଧାନସଭାରେ ମୋଟ ୩୫ଟି ସଂସଦୀୟ କମିଟି ରହିଛି। ସଂସଦୀୟ କମିଟି ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ କେରଳମ୍ ଓ ଓଡ଼ିଶା ଉଲ୍ଲେଖନୀୟ ଭାବେ କାର୍ଯ୍ୟ କରୁଛନ୍ତି। ଏହି ବ୍ୟବସ୍ଥାକୁ ଆହୁରି ସକ୍ରିୟ ଓ ଫଳପ୍ରଦ କରିବା ସହ ବିଧାୟକମାନଙ୍କ ଦକ୍ଷତା ବିକାଶ କରିବାକୁ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଏହାସହ ବିଭିନ୍ନ ବିଭାଗର କାର୍ଯ୍ୟକାରିତା, ସରକାରୀ ଯୋଜନା ଓ ନିଷ୍ପତ୍ତିର ରୂପାୟନ ଏବଂ କାର୍ଯ୍ୟନିର୍ବାହୀ ବିଭାଗଗୁଡ଼ିକର କାର୍ଯ୍ୟଧାରା ଉପରେ ବିଧାୟକମାନେ କିପରି ପ୍ରଭାବଶାଳୀ ଭାବେ ନଜର ରଖିପାରିବେ ସେ ସମ୍ପର୍କରେ ଆବଶ୍ୟକ ତାଲିମ ପ୍ରଦାନ କରାଯିବ।

ବିଶେଷକରି ଆଗାମୀ ବଜେଟ୍ ଅଧିବେଶନକୁ ଦୃଷ୍ଟିରେ ରଖି ବଜେଟ୍ ଆଲୋଚନା, ବିଭିନ୍ନ ବିଭାଗକୁ ଆବଣ୍ଟିତ ଅର୍ଥର ପରିମାଣ, ବ୍ୟୟ ଓ ଅନୁଦାନର ଅନୁପାତ, ବଜେଟ୍ ଆକଳନ, କାର୍ଯ୍ୟନିର୍ବାହୀ ବିଭାଗର କାର୍ଯ୍ୟର ସମୀକ୍ଷା, ବଜେଟ୍ ଉପସ୍ଥାପନାର ବିଭିନ୍ନ ଦିଗ ଏବଂ ବିଧାନସଭାରେ କିପରି ଅଧିକ ଫଳପ୍ରଦ, ତଥ୍ୟଭିତ୍ତିକ ଓ ଗଠନମୂଳକ ଆଲୋଚନା କରାଯାଇପାରିବ ସେନେଇ ଆଲୋଚନା କରାଯିବ। ନଭେମ୍ବର ୧୬ରେ  ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜନ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ତିନିଟି ଅଧିବେଶନ ରହିବ। ଉଦ୍‌ଘାଟନୀ ଅଧିବେଶନରେ ରାଜ୍ୟପାଳ ବ୍ରଜମୋହନ ରାମ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଯୋଗଦେବେ। ବିଧାନସଭାର କାର୍ଯ୍ୟଧାରା ଅଧିକ ସୁଦୃଢ଼ ଓ ଗୁଣାତ୍ମକ ହୋଇପାରିବ।

ସେହିପରି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ କହିଛନ୍ତି ଯେ ଆସନ୍ତା ୨୮ତାରିଖରେ କେନ୍ଦ୍ର ସ୍ବରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିପାରନ୍ତି। ଶାହଙ୍କ ଗସ୍ତର ଚୂଡ଼ାନ୍ତ କା‌ର୍ଯ୍ୟସୂଚୀ ପ୍ରକାଶ ପାଇନଥିଲେ ହେଁ ସେ ଏକାଧିକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ସହ ଦଳର ସାଙ୍ଗଠନିକ ବୈଠକରେ ଯୋଗଦେବେ। ବିଶେଷକରି ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ପାଇଁ ଦଳୀୟ ପ୍ରସ୍ତୁତି ଉପରେ ଦଳର ନେତୃବର୍ଗଙ୍କ ସହ ଆଲୋଚନା କରିପାରନ୍ତି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button