ରାଜ୍ୟ

Nutrition revolution : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଗବେଷଣାରୁ ନୂଆ ସମ୍ଭାବନା, ପଣସ ଓ ଜାମୁକୋଳି ମଞ୍ଜିରୁ ପୋଷଣ ବିପ୍ଳବ, ଅପପୁଷ୍ଟି ବିରୋଧୀ ଲଢ଼େଇରେ ସାଜିବ ଆଶୀର୍ବାଦ

ବୁର୍ଲା, ୧୮/୮ (ଜ୍ୟୋତିପ୍ରକାଶ ପାଣିଗ୍ରାହୀ): ପଣସ ହେଉ କି ଜାମୁକୋଳି। ଓଡ଼ିଆଙ୍କ ଅତି ପରିଚିତ ଋତୁକାଳୀନ ସୁସ୍ୱାଦୁ ଫଳ। ଏହାକୁ ଖାଇବା ପରେ ମଞ୍ଜିକୁ ସାଧାରଣତଃ ଫିଙ୍ଗି ଦିଆଯାଏ । ହେଲେ ବର୍ଜ୍ୟ ବୋଲି ବିଚାର କରାଯାଉଥିବା ଏହାର ବୀଜରେ ଭରି ରହିଛି ଉପକାରୀ ପୋଷକ ତତ୍ତ୍ୱ । ଅତି ସରଳ ପ୍ରକ୍ରିୟାକରଣ ଦ୍ୱାରା ଏହାକୁ ସିଧାସଳଖ ଖାଇହେବ । ଏହା କେବଳ ଖାଦ୍ୟ ଆବଶ୍ୟକତା ପୂରଣ କରିବ ତାହା ନୁହେଁ ଅପପୁଷ୍ଟି ଓ ଦୂରାରୋଗ୍ୟ ବ୍ୟାଧି ସହ ଲଢ଼ିବାରେ ବିଶେଷ ଭାବେ ସହାୟକ ହେବ । ଓଡ଼ିଶାର ଦୁର୍ଗମ ତଥା ଉପାନ୍ତ ଅଞ୍ଚଳରେ ଅପପୁଷ୍ଟି ବିରୋଧରେ ଚାଲିଥିବା ଲଢ଼େଇରେ ଏହା ପୋଷଣ ବିପ୍ଳବ ଆଣିବ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ‘ଖାଦ୍ୟ ବୈଷୟିକ ଓ ପୁଷ୍ଟିସାଧନ ବିଭାଗ’ର ସ୍ନାତକୋତ୍ତର ଛାତ୍ରୀ ଋତୁପର୍ଣ୍ଣା ନାୟକ ଏବଂ ଆଲିଶା ଧୀରଙ୍କ ଦ୍ୱାରା ହୋଇଥିବା ସଦ୍ୟତମ ଗବେଷଣାରୁ ଏଭଳି ନୂଆ ସମ୍ଭାବନା ସୃଷ୍ଟି ହୋଇଛି ।

ପଣସ ମଞ୍ଜିରେ ଥିବା ପୋଷକ ଉପାଦାନ, ଖଣିଜ ଓ ଉପାଦେୟ ଉପାଦାନ ଉପରେ ଋତୁପର୍ଣ୍ଣା ଅଧ୍ୟୟନ କରିଛନ୍ତି । ଏଥିରୁ ଫିଙ୍ଗି ଦିଆଯାଉଥିବା ପଣସ ମଞ୍ଜିର ଉପଯୋଗିତା ସାମ୍ନାକୁ ଆସିଛି । ୧୦୦ ଗ୍ରାମ ପଣସ ମଞ୍ଜିରୁ ପ୍ରସ୍ତୁତ ଗୁଣ୍ଡରୁ ପ୍ରାୟ ୨୯୦ କିଲୋକ୍ୟାଲୋରି ଶକ୍ତି ମିଳିବ । ଏଥିରେ ଶ୍ୱେତସାର, ପ୍ରୋଟିନ୍‌, ସ୍ନେହସାର, ଖାଦ୍ୟତନ୍ତୁ ରହିଛି । ୫୮.୬ ଗ୍ରାମ ଷ୍ଟାର୍ଚ୍ଚ ଓ ୨୭.୯୩ ଗ୍ରାମ ଶ୍ୱେତସାର ମଳୁଥିବାରୁ ଏହା ଶରୀରକୁ ଶକ୍ତି ଯୋଗାଇବ । ୧୦୦ ଗ୍ରାମ ମଞ୍ଜି ଗୁଣ୍ଡରୁ ପ୍ରାୟ ୫୦୧ ମିଲିଗ୍ରାମ ପୋଟାସିୟମ୍‌ ଓ ୨.୨୧ ମିଲିଗ୍ରାମ ସୋଡିୟମ୍‌ ଭଳି ଖଣିଜ ପୋଷଣ ମଧ୍ୟ ମିଳିବ । ଏଥିରେ ଭିଟାମିନ୍‌ “ସି’ ଓ ଆଣ୍ଟିଅକ୍ସିଡେଣ୍ଟ ମଧ୍ୟ ରହିଛି । ଏଭଳି ଉପାଦାନ ଜୀବକୋଷକୁ ସୁରକ୍ଷିତ ରଖିବାରେ ବିଶେଷ ସହାୟକ ହୋଇଥାଏ । ପଣସ ମଞ୍ଜି ଗୁଣ୍ଡରେ ପାଣି ଶୋଷିବା ଏବଂ ଫୁଲିବାର ଗୁଣ ରହିଛି । ବିଭିନ୍ନ ଖାଦ୍ୟକୁ ଗାଢ଼ କରିବା ଓ ଉପାଦାନ ଏକାଠି ରଖିବାରେ ଏହାକୁ ବ୍ୟବହାର କରିହେବ । ବିସ୍କୁଟ, ପାଉଁରୁଟି, କେକ୍‌ ସମେତ ଧାନ ଆଧାରିତ ଖାଦ୍ୟରେ ଏହାର ଉପଯୋଗ କରାଯାଇପାରିବ । ଏହାର ପ୍ରକ୍ରିୟାକରଣକୁ ମଡେଲ ଭାବେ ନିଆଗଲେ ଚାଷୀ, ଉତ୍ପାଦକ ଗୋଷ୍ଠୀ ଏବଂ ଖାଦ୍ୟ ପ୍ରସ୍ତୁତକାରୀ ଅନୁଷ୍ଠାନ ପାଇଁ ଅତିରିକ୍ତ ଆୟର ମାଧ୍ୟମ ସୃଷ୍ଟି ହୋଇପାରିବ ବୋଲି ଋତୁପର୍ଣ୍ଣା କହିଛନ୍ତି ।

ସେହିପରି ଜାମୁକୋଳି ବୀଜର ପୋଷକ, ରାସାୟନିକ ଓ ଭୌତିକ ଗୁଣର ବିଶ୍ଳେଷଣ କରିଛନ୍ତି ଆଲିଶା । ପ୍ରତି ୧୦୦ ଗ୍ରାମ ଜାମୁକୋଳି ବୀଜରେ ୮.୧୫ ଗ୍ରାମ୍‌ ଶର୍କରାଜାତୀୟ ଶକ୍ତିଦାୟକ ଉପାଦାନ, ୨.୯୮ ଗ୍ରାମ୍‌ ପୁଷ୍ଟିସାର ଓ ୦.୬୨ ଗ୍ରାମ୍‌ ଚର୍ବି ରହିଛି । ପ୍ରତି ୧୦୦ ଗ୍ରାମରେ ୨୪.୯୩ ମିଲିଗ୍ରାମ୍‌ ଭିଟାମିନ୍‌ “ସି’ ରହିଛି । ଜାମୁନ ବୀଜରେ ପର୍ଯ୍ୟାପ୍ତ ଖାଦ୍ୟତନ୍ତୁ ଅଛି । ପ୍ରତି ୧୦୦ ଗ୍ରାମରେ ୫୮.୦୯% । ଖାଦ୍ୟତନ୍ତୁ ଏବଂ ୨୦.୦୩ ଗ୍ରାମ୍‌ ଶ୍ୱେତସାର ରହିଛି । ଏଥିସହ ଫିନୋଲିକ୍‌ (୭୬୮.୮୪ ମିଲିଗ୍ରାମ୍‌) ଏବଂ ଫ୍ଲାଭୋନାଇଡ୍‌ (୩୧୦.୮୮ ମିଲିଗ୍ରାମ) ଭଳି ଜୈବ ସକ୍ରିୟ ଉପାଦାନ ମଧ୍ୟ ରହିଛି । ଏହି ଉପାଦାନଗୁଡ଼ିକ ଶରୀରରେ ଜାରଣଜନିତ କ୍ଷତି କମାଇବାରେ ବିଶେଷ ଭୂମିକା ନେଇଥାଏ । ଅଧ୍ୟୟନରେ ଜାମୁକୋଳି ବୀଜ ଗୁଣ୍ଡର ଭୌତିକ ଗୁଣରେ ଅମ୍ଳତା, ଜଳ ଶୋଷଣ ଏବଂ ଫୁଲିବା କ୍ଷମତା ଆଶାଜନକ ରହିଛି । ଜାମୁକୋଳି ସାଧାରଣତଃ ଶୀଘ୍ର ନଷ୍ଟ ହୋଇଯାଇଥାଏ । ଏହାର ବୀଜକୁ ଫିଙ୍ଗି ଦେବା ପରିବର୍ତ୍ତେ ପ୍ରକ୍ରିୟାକରଣ କରି ମୂଲ୍ୟବାନ ଖାଦ୍ୟ ଉପାଦାନରେ ପରିଣତ କରାଗଲେ ପୋଷଣରେ ନୂଆ ସମ୍ଭାବନା ସୃଷ୍ଟି ହୋଇପାରିବ ବୋଲି ଆଲିଶା କହିଛନ୍ତି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button