Odisha EV Policy: ଇଭି ବଜାରରେ ବଢ଼ୁଛି ବୁକିଂ, ଅନିଶ୍ଚିତତାରେ ସବ୍ସିଡି; ନୂଆ ପଲିସି କେବେ ?

କଟକ, ୧୬।୯: ଇଲେକ୍ଟ୍ରି ଭେଇକିଲ୍ (ଇଭି) କିଣିବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୨୦୨୧ ମସିହାରେ ଇଭି ପଲିସି ଲାଗୁ କରାଯାଇଥିଲା । ଏହି ପଲିସି ବା ଯୋଜନାରେ ଲୋକଙ୍କୁ ଇଭି ଗାଡ଼ି କ୍ରୟ ବାବଦରେ ସବ୍ସିଡି ଦିଆଯାଉଥିଲା । ପାଞ୍ଚ ବର୍ଷ ପାଇଁ ପ୍ରସ୍ତୁତ ହୋଇଥିବା ଏହି ପଲିସିର ଅବଧି ୨୦୨୬ ମାର୍ଚ୍ଚ ୩୧ରେ ଶେଷ ହୋଇଗଲା । ପରେ ରାଜ୍ୟ ସରକାର ଏହାର ଅବଧି ଚଳିତ ମାସ ଶେଷ ପର୍ଯ୍ୟନ୍ତ ବଢ଼ାଇଥିଲେ । କିନ୍ତୁ ପୁଣି ଅବଧି ବୃଦ୍ଧି ହେବ କି ନା ତାକୁ ନେଇ ଆଶଙ୍କା ଲାଗି ରହିଛି । ଏବେ ଯଦି ଇଭି ଗାଡ଼ି କେହି ବୁକିଂ କରନ୍ତି ଓ ଚଳିତ ମାସ ପରେ ଗାଡ଼ି ମିଳେ ତେବେ ସବ୍ସିଡି ମିଳିବ କି ନା ସେ ନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ବର୍ତ୍ତମାନ ରାଜ୍ୟରେ ପ୍ରାୟ ୧୫ଲକ୍ଷରୁ ଅଧିକ ଇଭି ସ୍କୁଟର୍ ଗଡ଼ୁଛି । କାର୍ ସଂଖ୍ୟା ଦେଢ଼ ଲକ୍ଷ ପାଖାପାଖି ହେବ । ଯେତେବେଳେ ଇଭି ଗାଡ଼ି କେହି କିଣିବା ପାଇଁ ଆଗ୍ରହ କରୁନଥିଲେ ସେହି ସମୟରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଇଭି-ପଲିସି ଅଣାଯାଇଥିଲା । ଇଭି କାର୍ ପାଇଁ ୧ ଲକ୍ଷରୁ ୧ଲକ୍ଷ ୨୦ ହଜାର ପର୍ଯ୍ୟନ୍ତ ଓ ସ୍କୁଟର ପିଛା ସର୍ବନିମ୍ନ ୨୦ ହଜାର ହଜାର ଟଙ୍କା ସବ୍ସିଡି ଦିଆଯିବ ବୋଲି ଘୋଷଣା କରାଯାଇଥିଲା ।
ଜାତୀୟ ରାଜପଥ ହେଉ ଅବା ରାଜ୍ୟ ରାଜପଥ ପାଶ୍ୱର୍ରେ ଇଭି ଚାର୍ଜିଂ ସେଣ୍ଟର ଖୋଲାଯିବ ବୋଲି ମଧ୍ୟ କୁହାଯାଇଥିଲା । ହେଲେ ଏ ଦିଗରେ ମଧ୍ୟ ପରିବହନ ବିଭାଗ ବିଶେଷ ଭିତ୍ତିଭୂମି ସୃଷ୍ଟି କଲା ନାହିଁ । ଗାଡ଼ି ଖରାପ ହେଲେ କେତେଦିନ ଭିତରେ କମ୍ପାନୀ ସଜାଡ଼ି ଦେବ ତାର ମଧ୍ୟ ନିୟମ ରହିଲା ନାହିଁ । କିନ୍ତୁ ପେଟ୍ରୋଲ୍, ଡିଜେଲ୍ ମିଳିବା ନେଇ ସମସ୍ୟା ସୃଷ୍ଟି ହେବା ପରେ ଇଭି ଗାଡ଼ି କ୍ରୟ ଅଚାନକ ବୃଦ୍ଧି ପାଇବାରେ ଲାଗିଲା । ଫଳରେ ଭିତ୍ତିଭୂମି ନଥିଲେ ମଧ୍ୟ ଲୋକେ ଇଭି ଗାଡ଼ି କିଣୁଛନ୍ତି । ଏବେ ଗୋଟେ ଗାଡ଼ି ବୁକିଂ କଲେ ତାହା ମିଳିବା ଲାଗି ପ୍ରାୟ ଦୁଇ ମାସ ସମୟ ଲାଗିଯାଉଛି । ଇଭି ପଲିସି ଏହି ମାସରେ ଶେଷ ହେଉଥିବାରୁ ପ୍ରାୟ ଦୁଇ ମାସ ତଳୁ ଗାଡ଼ି ବୁକିଂ କରିଥିବା ଗ୍ରାହକମାନେ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି । ଅନ୍ୟପକ୍ଷରେ ନୂଆ ଇଭି ପଲିସି ପାଇଁ ୨୦୨୪ରେ ପ୍ରସ୍ତାବ ଆହ୍ୱାନ କରାଯାଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିରେ ବିଭିନ୍ନ ବର୍ଗର ଜନସାଧାରଣଙ୍କଠାରୁ ପ୍ରସ୍ତାବ ଏବଂ ଆପତ୍ତି ଲୋଡ଼ାଯାଇଥିଲା । କିନ୍ତୁ ଏହାପରେ ଆଉ ଏଥିରେ କିଛି ଆଗେଇଲା ନାହିଁ । ଏବେ ରାଜ୍ୟ ସରକାର ସେହି ପୁରୁଣା ପଲିସିର ଅବଧି ବଢ଼ାଇ ଚାଲିଛନ୍ତି । ଇଭି ଗାଡ଼ି ସଂଖ୍ୟା ବୃଦ୍ଧି ପାଉଥିବାରୁ ଖୁବ୍ ଶୀଘ୍ର ନୂଆ ପଲିସି ଆସିବ ବୋଲି ଆଶା କରାଯାଉଛି । ତେବେ ଏ ସଂପର୍କରେ ପରିବହନ ବିଭାଗ ଖୁବ୍ ଶୀଘ୍ର ସ୍ପଷ୍ଟ ସୂଚନା ଦେଉ ବୋଲି ଦାବି ହେଉଛି ।
ସୌଜନ୍ୟ ପ୍ରମେୟ




