Rajaswa Bhawan: ଡିପିଆର୍ ହେଲା, ଜମି ବି ମିଳିଲା..ତଥାପି କଳ୍ପନାରେ ଅଟକିଗଲା ‘ରାଜସ୍ୱ ଭବନ’ ସ୍ୱପ୍ନ, ଗୋଟିଏ ଛାତ ତଳେ ମିଳିଥାନ୍ତା ରାଜସ୍ୱ ସେବା

ଭୁବନେଶ୍ୱର,୨୮/୦୯: କଳ୍ପନା ଛକରେ ତିଆରି ହୋଇଥାନ୍ତା ନଭଶ୍ଚୁମ୍ଭୀ କୋଠା । ରାଜୀବ ଏବଂ କୃଷି ଭବନ ପରେ ରାଜସ୍ୱ ଭବନ ହୋଇଥାନ୍ତା ଭୁବନେଶ୍ୱରର ମୁଖଶାଳା । ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଡିପିଆର ପ୍ରସ୍ତୁତ ହେଲା । ସରକାରୀ କ୍ୱାର୍ଟର୍ସ ଏବଂ ଜବରଦଖଲକାରୀଙ୍କୁ ଉଚ୍ଛେଦ ପାଇଁ ନୋଟିସ ସହ ତାଗିଦ ହେଲା । ସରକାର ସ୍ୱପ୍ନ ଦେଖାଇଲେ ଗୋଟିଏ ଛାତ ତଳେ ଆର୍ଆଇରୁ ସଚିବ ପର୍ଯ୍ୟନ୍ତ ବସିବେ । ସବୁ ଜମିଜମା ମାମଲା ଏଇଠି ତୁଟିବ । ସରକାରୀ କଳ ଚଳଚଞ୍ଚଳ ହୋଇ ଲାଗି ପଡିଲା । ହଠାତ୍ ଏହି ରାଜସ୍ୱ ଭବନର ସ୍ୱପ୍ନ ପୁଣି ପୋତି ହୋଇଗଲା ।
ଏପଟେ କିନ୍ତୁ ଅସମ୍ଭାଳ ହେଲାଣି ସ୍ଥିତି । କଳ୍ପନାରୁ କୋର୍ଟ ଛକ, ମାଉସୀ ମା’ ଛକରେ ଠିଆ ହେବା ମୁସ୍କିଲ । ବିଏମ୍ସି ପୁରୁଣା ଅଫିସକୁ ମାଡିବସି ସେଠାରେ ରେଜିଷ୍ଟ୍ରି ଅଫିସ ଚାଲିଛି । ପାର୍କିଂ ଏରିଆକୁ ମାଡି ବସିଛନ୍ତି ମୋହାରୀ । ରାସ୍ତା କଡ଼ରେ ଛତା ପକାଇ ବସୁଛନ୍ତି ନୋଟାରୀ ଓକିଲ । ପୁଣି କେଉଁଠି ଟୁଲ ପକାଇ ସୁଲଭ ଶୌଚାଳୟ ଆଗରେ ଚାଲିଛି କବଲା ଲେଖା । ଏଡିଏମ୍ ଅଫିସର ଠିକଣା ଲୋକ ପାଉନାହାନ୍ତି । ଏମିତି ବିଚିତ୍ର ସ୍ଥିତି ହୋଇ ପଡ଼ିଛି ଭୁବନେଶ୍ୱର ରାଜସ୍ୱ ସେବା ।
କଳ୍ପନାସ୍ଥିତ ସବ୍-ରେଜିଷ୍ଟ୍ରି, ଉପ-ଜିଲ୍ଲପାଳ ଏବଂ ତହସିଲ ଅଫିସର ବାସ୍ତବ ସ୍ଥିତି ପରୀକ୍ଷା କରିବାକୁ ସେଠାରେ ପହଞ୍ଚିଥିଲୁ । ସମୟ ପାଖାପାଖି ୧୧ଟା । କଳ୍ପନାଛକ ଡେଉଁ ଡେଉଁ ଟ୍ରାଫିକ ଭିଡ଼ ଆରମ୍ଭ ହୋଇଗଲା । ଲମ୍ବା ଲାଇନ୍ । ପୁରୁଣା ବିଏମ୍ସି ଅଫିସରେ ଚାଲିଥିବା ଖଣ୍ଡଗିରି ଏବଂ ଭୁବନେଶ୍ୱର ସବ୍ରେଜିଷ୍ଟ୍ରି ଅଫିସ୍ ଆଗରେ ଭିଡ଼ ଜମିଛି । ମନଇଚ୍ଛା ଲୋକେ ଗାଡ଼ି ପାର୍କିଂ କରିଛନ୍ତି । ଗୋଟିଏ ପଟ ରାସ୍ତା ମାଡ଼ି ବସି ଅସ୍ଥାୟୀ ଭାବେ ଷ୍ଟାମ୍ପ ପେପର ଭେଣ୍ଡର୍ ବସିଛନ୍ତି । ଅଫିସ ଭିତର ଅବସ୍ଥା ନ କହିଲେ ଭଲ । ୪ ଫୁଟିଆ ଗଳି ଅଫିସରେ ଛାତିଫଟା ଭିଡ଼ । ସେଥିରେ ପୁଣି ୨ଟି ଗୁରୁତ୍ୱପୂର୍ଣ୍ଣ ରେଜିଷ୍ଟ୍ରି ଅଫିସ ଚାଲିଛି । ପ୍ରତିଦିନ ଶହ ଶହ ଲୋକେ ଜମି ରେଜିଷ୍ଟ୍ରି, ବିବାହ ଭଳି ଗୁରୁତ୍ୱପୂର୍ଣ୍ଣ କାମରେ ଆସି ଅଣନିଶ୍ୱାସୀ ହେଉଛନ୍ତି ।
ଟିକେ ସମୟ ରହିବା ପରେ ଆଗକୁ ବଢ଼ିଲୁ । ଗଳିରେ ପଶୁପଶୁ ଭୁବନେଶ୍ୱର ବ୍ଲକ । ଯଦିଓ ସେଠି ଗହଳି କମ, ଟିକେ ଆଗରେ ଥିବା ଉପ-ଜିଲ୍ଲାପାଳ ଏବଂ ତହସିଲ ଅଫିସ ଅବସ୍ଥା ଅଣାୟତଃ । ଗେଟ୍ ଆଗରେ ଟେବୁଲ ଚେୟାର ପଡିଛି । ପୁରା ଅଫିସ ଭିତରେ ପାଦ ପକାଇବାକୁ ଜାଗା ନାହିଁ । ଅଫିସ କରିଡର୍ ୨୪ ଘଣ୍ଟା ଅନ୍ଧାର । ସୂର୍ଯ୍ୟକିରଣ ପଡିବାକୁ ବାଟ ନାହିଁ । ପ୍ରଥମ ମହଲାରେ ତହସିଲ ଅଫିସ ଚାଲିଛି । ଦ୍ୱିତୀୟ ମହଲାରେ ଉପ-ଜିଲ୍ଲାପାଳ ବସୁଛନ୍ତି । ଉଭୟଙ୍କ ଅଧିକାରୀ ବସିବାକୁ ଜାଗା ନାହିଁ । ଲୋକଙ୍କ କଥା ଛାଡ଼ । ଲୋକେ ଅଭିଯୋଗ କରିବାକୁ ଏବଂ କୋର୍ଟରେ ଠିଆ ହେବା ପାଇଁ ଜାଗା ମିଳୁନି ।
ପାୱାର ହାଉସ ଛକରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ ଚାଲୁଛି । ଭୁବନେଶ୍ୱର ଭଳି ସମ୍ବେଦନଶୀଳ ଅଞ୍ଚଳ ଯୋଗୁଁ ଖୋର୍ଦ୍ଧା ଜିଲ୍ଲପାଳଙ୍କ କ୍ୟାମ୍ପ୍ କୋର୍ଟ ବି ଏଠାରେ । ହେଲେ ଅଫିସ ଠିକଣା ଲୋକେ ପାହାଉନାହାନ୍ତି । ୯୦ ଦଶକର ଘରେ ଅଫିସ ଚାଲୁଛି । ଉପରୋକ୍ତ ସବୁ ସରକାରୀ ଅଫିସରେ ଲୋକଙ୍କ ପାଇଁ ବସିବାକୁ ଜାଗା ଖଣ୍ଡେ ନାହିଁ । ଲୋକେ ଘଣ୍ଟା ଘଣ୍ଟା ଧରି ଠିଆ ହେଉଛନ୍ତି ।
ସୌଜନ୍ୟ ପ୍ରମେୟ




