ଆଜି ବି ଚାଲିପାରିଲାନି ବିଧାନସଭା। ମାତ୍ର ୭ ମିନିଟରେ ହେଲା ମୁଲତବି। ବିଧାନସଭା ଆରମ୍ଭରୁ ରାଜ୍ୟ ସରକାରଙ୍କୁ ଘେରିଥିଲେ ବିରୋଧୀ ସଦସ୍ୟ ମାନେ। କଂଗ୍ରେସ ଓ ବିଜେଡି ବିଧାୟକ ମାନେ ଗୃହ ମଧ୍ୟ ଭାଗକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି ଦେଇଥିଲେ।
ଧାନ ମଣ୍ଡିରେ ଅବ୍ୟବସ୍ଥା ଅଭିଯୋଗ ଆଣିବା ସହ ପୋଷ୍ଟର୍, ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବାଚସ୍ପତି ସୁରମା ପାଢ଼ୀ ଖୋଦ୍ ଠିଆ ହୋଇ ବିକ୍ଷୋଭ କରୁଥିବା ବିଧାୟକଙ୍କୁ ନିବେଦନ କରିବା ସତ୍ତ୍ବେ ବି ପରିସ୍ଥିତିରେ କୌଣସି ସୁଧାର ଆସିନଥିଲା।
ଫଳରେ ମାତ୍ର ୭ ମିନିଟ୍ ଗୃହ ଚାଲିବା ପରେ ସାଢ଼େ ୧୧ଟା ଯାଏଁ ମୁଲତବୀ କରିଥିଲେ କିନ୍ତୁ ସାଢ଼େ ୧୧ଟା ପରେ ବି କୌଣସି ସୁଧାର ଆସିନଥିଲା ସ୍ଥିତି। ଲଗାତାର ହଟ୍ଟଗୋଳ ଯୋଗୁ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି।
ସେପଟେ ଘଟଣାକୁ ନେଇ ତେଜିଛି ରାଜନୀତି। ଆଜିର ସ୍ଥିତି ନେଇ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ଗୃହ ଚଳାଇବା ପାଇଁ ସରକାରଙ୍କ ମାନସିକତା ନାହିଁ। ଆଲୋଚନା ହେଲେ ସରକାରଙ୍କ ଦୋଷ ପଦାକୁ ଆସିଯିବ। ସରକାର ସେଥିପାଇଁ ପ୍ରସ୍ତୁତ ନୁହଁନ୍ତି ବୋଲି କହି ସେ ସମାଲୋଚନା କରିଛନ୍ତି।
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି କି, ଚାଷୀଙ୍କ ସମସ୍ୟା ଦେଖିପାରୁନାହାନ୍ତି ସରକାର। ଧାନ ମଣ୍ଡିରେ ଫସଲ ଧରି ଚାଷୀ ଅପେକ୍ଷା କରିଛି କିନ୍ତୁ ମିଳୁନି ଟୋକନ୍ ମିଳୁନଥିବା ଅଭିଯୋଗ କରିଛି କଂଗ୍ରେସ। ବିଜେଡି ଏବଂ କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରି ପାଲଟା ଦୋଷ ଲଦିଛି ବିଜେପି।
ସୌଜନ୍ୟ OTV
