Pangolin: ପାଣିରେ ପହଁରି ମଧ୍ୟ ପାରନ୍ତି ବିଲୁପ୍ତମୁଖୀ ବଜ୍ରକାପ୍ତା

ବଜ୍ରକାପ୍ତାର ଶରୀର କାତିରେ ଆଚ୍ଛାଦିତ। ଶରୀରର ତଳିପେଟରେ ଏହି କାତି ନ ଥାଏ। ମୁଣ୍ଡ ସରୀସୃପ ଭଳି ଏବଂ ଦାନ୍ତ ନ ଥାଏ। ଏମାନଙ୍କ ଜିଭ ଯାହା ଅତି ଲମ୍ବା ଓ ନିଜ ଶରୀରଠାରୁ ମଧ୍ୟ ଅଧିକ ଜାହା ପିମ୍ପୁଡ଼ି ସଂଗ୍ରହ କରିବାରେ ସାହାଯ୍ୟ କରେ।

ବଜ୍ରକାପ୍ତା ଏକ ସ୍ତନ୍ୟପାୟୀ ପ୍ରାଣୀ। ଏସିଆ ଏବଂ ଆଫ୍ରିକା ମହାଦେଶରେ ୮ ପ୍ରଜାତିର ବଜ୍ରକାପ୍ତା ବାସକରନ୍ତି। ସେମାନେ ହେଲେ ଭାରତୀୟ, ଚୀନ-ଦେଶୀୟ, ମାଳୟେସୀୟ, ଫିଲିଫାଇନ୍, ଜାଭା, ଧଳାପେଟ, କଳାପେଟ, ଟେମିଙ୍କ୍ ଓ ବୃହତ ବଜ୍ରକାପ୍ତା। ବଜ୍ରକାପ୍ତାର ଶରୀର କାତିରେ ଆଚ୍ଛାଦିତ। ଶରୀରର ତଳିପେଟରେ ଏହି କାତି ନ ଥାଏ। ମୁଣ୍ଡ ସରୀସୃପ ଭଳି ଏବଂ ଦାନ୍ତ ନ ଥାଏ। ଏମାନଙ୍କ ଜିଭ ଯାହା ଅତି ଲମ୍ବା ଓ ନିଜ ଶରୀରଠାରୁ ମଧ୍ୟ ଅଧିକ ଜାହା ପିମ୍ପୁଡ଼ି ସଂଗ୍ରହ କରିବାରେ ସାହାଯ୍ୟ କରେ। ଏଥିପାଇଁ ବଜ୍ରକାପ୍ତାର ଅନ୍ୟ ନାମ ପିମ୍ପୁଡ଼ିଭକ୍ଷୀ। ଲାଞ୍ଜଟି ଲମ୍ବା ଏବଂ ସ୍ଥୂଳ, ଯାହାକି ଶରୀରକୁ ସାପ ଭଳି ଗୁଡ଼ାଇ ହେବାରେ ସାହାଯ୍ୟ କରେ। ଏମାନେ ଭୂମିରେ ଗାତ କରି ରହିଲେ ମଧ୍ୟ ଲାଞ୍ଜ ଯୋଗୁଁ ଗଛ ଚଢ଼ିପାରନ୍ତି ଓ ପାଣିରେ ପହଁରି ମଧ୍ୟ ପାରନ୍ତି। ଏମାନଙ୍କ ଖାଦ୍ୟ ମୁଖ୍ୟତଃ ଉଇ ଓ କାଇ। ଆଗ ଗୋଡର ନଖ ଗାତ ଖୋଳିବାରେ ବ୍ୟବହାର କରିଥାନ୍ତି। ଏମାନେ ରାତ୍ରିଚର ଏଵଂ ଦିନଯାକ ଗାତ ଭିତରେ ରୁହନ୍ତି।

ବଜ୍ରକାପ୍ତାର ଅଣ୍ଡିରା ଓ ମାଈ ସବୁ ଋତୁରେ ସଙ୍ଗମ କରିଥାନ୍ତି। ଏମାନେ ଥରକୁ ଗୋଟିଏ ଶାବକ ଜନ୍ମ କରନ୍ତି। ଗର୍ଭଧାରଣର ସମୟ ସାଧାରଣତଃ ୯ ମାସ। ଶାବକମାନେ ବର୍ଷେ ପର୍ଯ୍ୟନ୍ତ ମା‘ଠାରୁ କ୍ଷୀର ଖାଇଥାନ୍ତି। ବଜ୍ରକାପ୍ତାଙ୍କ ଜୀବନକାଳ ସାଧାରଣତଃ ୧୬-୧୮ ବର୍ଷ। ବଜ୍ରକାପ୍ତାର ଲମ୍ବ ପ୍ରାୟତଃ ୯୦ ରୁ ୧୨୦ ସେ.ମି. ଏବଂ ଓଜନ ହାରାହାରି ୮ କେ.ଜି. ରୁ ୧୫ କେ.ଜି. ହୋଇଥାଏ। ସେହିପରି ଗୋଟିଏ ବଜ୍ରକାପ୍ତାର ଯଦି କେବଳ କାତି ଓଜନ କରାଯାଏ, ତାହା ୯୦୦ରୁ ୧୦୫୦ ଗ୍ରାମ୍ ପର୍ଯ୍ୟନ୍ତ ରହିଥାଏ। ଶାବକ ବଜ୍ରକାପ୍ତାମାନଙ୍କର ଲମ୍ବ ୨୫ରୁ ୩୦ ସେ.ମି. ଭିତରେ ଥାଏ। ଶାବକ ଓଜନ ୧୩୦ ରୁ ୨୩୫ ଗ୍ରାମ୍ ଭିତରେ ଥାଏ। ଦେଖିବାକୁ ବଜ୍ରକାପ୍ତା ବାଦାମୀ ରଙ୍ଗ ହୋଇଥାଏ।

 

ବଜ୍ରକାପ୍ତା ଏକ ନିରୀହ ଜୀବ। ଶତ୍ରୁଠାରୁ ରକ୍ଷା ପାଇଁ ଶରୀରକୁ ଘୋଡାଇ ହୋଇ ନିର୍ଜୀବ ଭଳି ପଡ଼ିରହେ। ଏଣୁ ଏମାନଙ୍କୁ ଶିକାର କରିବା ଅତି ସହଜ। ଅବୈଧ ଶିକାର ଓ କାତି, ମାଂସର ଚାହିଦା ଏହାର ମୁଖ୍ୟ ବିପଦ। ବାସସ୍ଥାନ ନଷ୍ଟ ଓ ଜଳବାୟୁ ପରିବର୍ତ୍ତନ ମଧ୍ୟ ବିଲୁପ୍ତିର କାରଣ। ବିଶ୍ଵ ଜୈବ ସଂରକ୍ଷଣ ସଂସ୍ଥା ବଜ୍ରକାପ୍ତାକୁ ଅତି ବିଲୁପ୍ତମୁଖୀ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ବନ ବିଭାଗ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବଜ୍ରକାପ୍ତା ପାଇଁ ଏକ ପ୍ରକଳ୍ପ ୨୦୦୮ ମସିହାରୁ ସ୍ଥାପିତ କରିଛନ୍ତି। ଏହି କେନ୍ଦ୍ରରେ ବଜ୍ରକାପ୍ତା ସଂରକ୍ଷଣର ଅବାଧ ପ୍ରଜନନ କରାଯାଉଛି। ବୈଜ୍ଞାନିକ ଗବେଷଣା ସହ ବଂଶବୃଦ୍ଧି ପାଇଁ ଆନୁସଙ୍ଗିକ ଦିଗଗୁଡ଼ିକ ଉପରେ ଅନୁଶୀଳନ ଜାରି ରହିଛି। ପ୍ରଜନନ ଯୋଗୁଁ ସଂଖ୍ୟା ବୃଦ୍ଧି ହେଲେ ଭବିଷ୍ୟତରେ ସେମାନଙ୍କୁ ଜଙ୍ଗଲରେ ମୁକ୍ତ କରାଯିବାକୁ ଯୋଜନା ରହିଛି। ଏହା ଓଡ଼ିଶା ପାଇଁ ବଜ୍ରକାପ୍ତା ସଂରକ୍ଷଣରେ ଅଗ୍ରଣୀ ଭୂମିକାର ଗୌରବ ଆଣି ଦେବ।

ସୌଜନ୍ୟ ସମ୍ବାଦ

Exit mobile version