Sambalpur: ପ୍ରଦୂଷଣ ବଳୟରେ ସମ୍ବଲପୁର

ଶିଳ୍ପବହୁଳ ସମ୍ବଲପୁର ଜିଲ୍ଲାରେ ଅବାଧ ଗଛକଟା ଚାଲିଥିବା ବେଳେ ଶିଳ୍ପ ପ୍ରଦୂଷଣ ଚିନ୍ତା ବଢ଼ାଇଲାଣି। ବାୟୁ ଓ ଜଳ ସବୁ ପ୍ରଦୂଷିତ ହେଉଛି। ଗୋଟିଏ ପଟେ କାରଖାନାରେ ବ୍ୟବହୃତ....

ସମ୍ବଲପୁର: ଶିଳ୍ପବହୁଳ ସମ୍ବଲପୁର ଜିଲ୍ଲାରେ ଅବାଧ ଗଛକଟା ଚାଲିଥିବା ବେଳେ ଶିଳ୍ପ ପ୍ରଦୂଷଣ ଚିନ୍ତା ବଢ଼ାଇଲାଣି। ବାୟୁ ଓ ଜଳ ସବୁ ପ୍ରଦୂଷିତ ହେଉଛି। ଗୋଟିଏ ପଟେ କାରଖାନାରେ ବ୍ୟବହୃତ କୋଇଲା, କୋଇଲା ଜଳିବା ପରେ ବାହାରୁଥିବା ପାଉଁଶ (ଫ୍ଲାଏଆସ୍‌) ତ ଅନ୍ୟ ପଟେ କୋଇଲା ଓ ପାଉଁଶ ପରିବହନ କାର୍ଯ୍ୟରେ ନିୟୋଜିତ ହଜାର ହଜାର ଗାଡ଼ି ଯୋଗୁଁ ପ୍ରଦୂଷଣ ବଢ଼ୁଛି।
ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲାର ୧୧ଟି କାରଖାନାରୁ ଦୈନିକ ୧୪,୪୧୫ ମେଟ୍ରିକ୍ ଟନ୍ ପାଉଁଶ (ଫ୍ଲାଏଆସ୍‌), ଚାରକୋଲ, ଡୋଲାଚାର ଆଦି ବର୍ଜବ୍ୟସ୍ତୁ ବାହାରୁଛି। ୩ଟି ବଡ଼ କାରଖାନାରୁ କେବଳ ଦୈନିକ ସାଢ଼େ ୧୨ ହଜାର ମେଟ୍ରିକ୍ ଟନ୍ ପାଉଁଶ ବାହାରିଥାଏ। ବର୍ଷରଯେଉଁ ସମୟରେ ରାଇସ୍‌ ମିଲ୍‌ ଚାଲେ, ୪୪ଟି ମିଲ୍‌ରୁ ଦୈନିକ ୨୬.୪ ମେଟ୍ରିକ ଟନ୍‌ ପାଉଁଶ ବାହାରେ। କାରଖାନାରୁ ଯେତିକି ପାଉଁଶ (ଫ୍ଲାଏଆସ୍) ବାହାରିଥାଏ, ତାହାର ୨ ଗୁଣ କୋଇଲା ଜଳିଥାଏ।

 ଅର୍ଥାତ୍‌, ଦୈନିକ ଯେତିକି ପାଉଁଶ ବାହାରୁଛି, କାରଖାନାଗୁଡ଼ିକରେ ତାହାର ୨ ଗୁଣ କୋଇଲା ବ୍ୟବହାର ହେଉଛି। କୋଇଲା ଜଳିବା ସମୟରେ ବାୟୁ ପ୍ରଦୂଷଣକାରୀ ବିଭିନ୍ନ ପ୍ରକାର ଗ୍ୟାସ୍ ନିର୍ଗତ ହୋଇଥାଏ। କଂପାନିଗୁଡ଼ିକ ନିଜ ଖର୍ଚ୍ଚ ହ୍ରାସ ପାଇଁ ‘ଇଟିପି’ ବ୍ୟବହାର କରୁନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଏପଟେ କୋଇଲା ଓ ପାଉଁଶ ପରିବହନ ସମୟରେ ଗାଡ଼ିଗୁଡ଼ିକରୁ ମଧ୍ୟ ନିର୍ଗତ ଗ୍ୟାସ୍ ଯୋଗୁଁ ବାୟୁମଣ୍ଡଳ ପ୍ରଦୂଷିତ ହେଉଛି। ଏନ୍‌ଏଲ୍‌ସି ଇଣ୍ଡିଆ ପକ୍ଷରୁ ତଲାବିରା ୨ ଓ ୩ କୋଇଲା ଖଣିରୁ ପ୍ରତିଦିନ ପ୍ରାୟ ୧୧୦୦ରୁ ୧୨୦୦ ଟ୍ରକ୍‌‌େର କୋଇଲା ପରିବହନ କରାଯାଉଛି। ଅନ୍ୟ କାରଖାନାଗୁଡ଼ିକରେ ବି ଶହ ଶହ ଗାଡ଼ି ଏହି କାମରେ ନି‌ୟୋଜିତ ରହିଛି।

ଟ୍ରକ୍‌ଗୁଡ଼ିକ ଖୋଲା ରହୁଥିବାରୁ କୋଇଲା ଓ ପାଉଁଶ ଗୁଣ୍ଡ ଉଡ଼ି ରାଜରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିବା ସହିତ ବାୟୁମଣ୍ଡଳକୁ ପ୍ରଦୂଷଣ କରୁଛି। ଗତ ୨୩ ଜାନୁଆରିରେ ସମ୍ବଲପୁର ଜିଲ୍ଲାର ଶିଳ୍ପାଞ୍ଚଳ ରେଙ୍ଗାଲିର ଏକ୍ୟୁଆଇ ୩୦୦ ହୋଇଥିଲା। ଅଧିକାଂଶ ଦିନ ଏଭଳି ହେଉଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିଳ୍ପ ପ୍ରଦୂଷଣକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହିତ ବିଭିନ୍ନ ସମୟରେ ସମ୍ବଲପୁରର ବିଭିନ୍ନ ଶିଳ୍ପାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ବାୟୁ ଗୁଣବତ୍ତା ମାନକ (ଏକ୍ୟୁଆଇ) ଶହେ ତଳେ ରଖିବା ଦିଗରେ ପଦକ୍ଷେପ ନେବାକୁ କହୁଛନ୍ତି। ଏପଟେ ଖିଣ୍ଡା ସରପଞ୍ଚ ସନ୍ଧ୍ୟାରାଣୀ ପ୍ରଧାନ ପ୍ରଦୂଷଣ ହ୍ରାସ ନ କଲେ ଆନ୍ଦୋଳନକୁ ଓହ୍ଲାଇବା ଲାଗି ଏନ୍‌ଏଲ୍‌ସିକୁ ଚେତାବନୀ ଦେଇଛନ୍ତି।

ସୌଜନ୍ୟ ସମ୍ବାଦ

Exit mobile version