ସିମଲା: ପିଆଇବି ଆନୁକୂଲ୍ୟରେ ହିମାଚଳ ପ୍ରଦେଶ ଗସ୍ତରେ ଥିବା ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳ ସିମଲାସ୍ଥିତ ଆଇସିଏଆର-କେନ୍ଦ୍ରୀୟ ଆଳୁ ଗବେଷଣା ପ୍ରତିଷ୍ଠାନ (ସିପିଆରଆଇ) ପରିଦର୍ଶନ କରିଛନ୍ତି। ଏହି ଅବସରରେ ପ୍ରତିନିଧି ଦଳ ଆଳୁ ଚାଷରେ ଚାଲିଥିବା ଗବେଷଣା ଏବଂ ନବସୃଜନକୁ ବୁଝିବା ପାଇଁ ବୈଜ୍ଞାନିକମାନଙ୍କ ସହ ଆଲୋଚନା କରିଥିଲେ।
ଆଇସିଏଆର-ସିପିଆରଆଇର ନିର୍ଦ୍ଦେଶକ ଡକ୍ଟର ବ୍ରଜେଶ ସିଂହ ପ୍ରତିନିଧି ଦଳକୁ ସ୍ୱାଗତ କରି ଭାରତରେ ଆଳୁ ଗବେଷଣା ପାଇଁ ଜାତୀୟ କେନ୍ଦ୍ର ଭାବରେ ପ୍ରତିଷ୍ଠାନର ଭୂମିକା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ପ୍ରାୟ ୪୦୦ ବର୍ଷ ପୂର୍ବେ ଉଦ୍ଭାବିତ ଆଳୁ ଆଜି ଦେଶର ଖାଦ୍ୟ ଓ ପୋଷଣ ସୁରକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ୧୯୪୯ ମସିହାରେ ପ୍ରତିଷ୍ଠିତ ଏବଂ ୧୯୫୬ ମସିହାରେ ସିମଲାକୁ ସ୍ଥାନାନ୍ତରିତ ହୋଇଥିବା ଏହି ପ୍ରତିଷ୍ଠାନ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ଅଧୀନରେ କାର୍ଯ୍ୟ କରୁଛି ଏବଂ ଏହା ବିଭିନ୍ନ କୃଷିଭିତ୍ତିକ-ଜଳବାୟୁ କ୍ଷେତ୍ରର ଛଅଟି ଆଞ୍ଚଳିକ କେନ୍ଦ୍ର ଦ୍ୱାରା ପରିଚାଳିତ। ସେ ଆହୁରି କହିଥିଲେ, ପ୍ରତିଷ୍ଠାନ ୭୦ରୁ ଅଧିକ ଉନ୍ନତ କିସମ ବିକଶିତ କରିଛି ଏବଂ ଗୁଣାତ୍ମକ ବିହନ ଉତ୍ପାଦନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଭାରତ ବର୍ତ୍ତମାନ ଆଳୁ ଉତ୍ପାଦନରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି।
ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଉପରେ ଆଲୋକପାତ କରି ଡକ୍ଟର ସିଂହ କହିଥିଲେ, ଡ୍ରୋନ୍, ଏଆଇ ଓ ବାୟୋଟେକ୍ନୋଲୋଜିକୁ ଆଧୁନିକ ଆଳୁ ଗବେଷଣା ଏବଂ ଫସଲ ପରିଚାଳନାରେ ସମନ୍ୱିତ କରାଯାଉଛି। ଫସଲ ଉନ୍ନତି, ବିହନ ପ୍ରଯୁକ୍ତି, ଜର୍ମପ୍ଲାଜମ୍ ସଂରକ୍ଷଣ ଏବଂ ଚାଷ ଆଧାରିତ ପ୍ରଯୁକ୍ତିବିଦ୍ୟାର ବିକାଶ କ୍ଷେତ୍ରରେ ପ୍ରତିଷ୍ଠାନର କାର୍ଯ୍ୟ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ସେ ଏହି ଅବସରରେ କହିଥିଲେ, ଓଡ଼ିଶାରେ ଆଳୁ ଚାଷ ସହିତ ଜଡିତ ଏକ ପ୍ରମୁଖ ସମସ୍ୟା ହେଉଛି ଜୀବାଣୁ ପ୍ରଭାବିତ ମାଟି। ଏହା ବିହନ ଉତ୍ପାଦନକୁ ଗୁରୁତର ଭାବରେ ପ୍ରଭାବିତ କରୁଛି। ସିପିଆରଆଇ ଏହି ସମସ୍ୟାର ସମାଧାନ ଖୋଜିବା ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରୁଥିବା ସେ ସୂଚନା ଦେଇଥିଲେ। ଏଥିସହିତ ପ୍ରତିଷ୍ଠାନରେ କାର୍ଯ୍ୟରତ କୃଷି ବିଜ୍ଞାନୀ ଓ ବିଭିନ୍ନ ବିଭାଗର ମୁଖ୍ୟ ସେମାନଙ୍କର କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ଦେଇଥିଲେ। ବୈଜ୍ଞାନିକମାନେ କ୍ଷେତ୍ର-ନିର୍ଦ୍ଦିଷ୍ଟ କିସମ, ଫସଲ ଉତ୍ପାଦନ ପଦ୍ଧତି ଏବଂ ମୂଲ୍ୟ ବୃଦ୍ଧି ପାଇଁ ଅମଳ ପରବର୍ତ୍ତୀ ପ୍ରକ୍ରିୟାକରଣର ବିକାଶ ବିଷୟରେ ମଧ୍ୟ ଆଲୋଚନା କରିଥିଲେ।
ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ ପ୍ରତିଷ୍ଠାନର କାର୍ଯ୍ୟକଳାପ ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିବା ପାଇଁ ପ୍ରୟୋଗଶାଳା ଓ ଗବେଷଣା କେନ୍ଦ୍ର ପରିଦର୍ଶନ କରିଥିଲେ। ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ଡକ୍ଟର ଜଗଦେବ ଶର୍ମା, ଡକ୍ଟର ସଞ୍ଜୀବ ଶର୍ମା, ଡକ୍ଟର ଆଲୋକ କୁମାର, ଡକ୍ଟର ବିନୋଦ କୁମାର, ଡକ୍ଟର ସୋମ ଦତ୍ତ ପ୍ରମୁଖ ପ୍ରତିନିଧି ଦଳକୁ ମାର୍ଗଦର୍ଶନ କରିଥିଲେ। ବରିଷ୍ଠ ସାମ୍ବାଦିକମାନଙ୍କୁ ନେଇ ଏହି ପ୍ରତିନିଧି ଦଳ ସହିତ ପିଆଇବି ଭୁବନେଶ୍ୱରର ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି, ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ସ୍ୱାଧୀନ ଶକ୍ତି ପ୍ରସାଦ, ପିଆଇବି ସିମଲାର ସହାୟକ ନିର୍ଦ୍ଦେଶକ ସଞ୍ଜୀବ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।
ସୌଜନ୍ୟ ସମ୍ବାଦ
