ରାଜ୍ୟ

OES Foundation Day: ଓଇଏସ୍‌ ପ୍ରତିଷ୍ଠା ଦିବସ ଓ ପୁରସ୍କାର ପ୍ରଦାନ ଉତ୍ସବ: ସେବା ମହାପାତ୍ରଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର

ଅସ୍ଥାୟୀ ବିକାଶ ମଡେଲ୍‌ ଓ ପ୍ରକୃତି ପ୍ରତି ହ୍ରାସ ପାଉଥିବା ସମ୍ବେଦନଶୀଳତା ବିଶ୍ବରେ ପରିବେଶଗତ ସମସ୍ୟାକୁ ତୀବ୍ର କରିଛି। ବିଶ୍ବ ଉତ୍ତାପ ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ, ପ୍ରଦୂଷଣ ଓ ବର୍ଜ୍ୟବସ୍ତୁ ନିର୍ଗମନ...

ଭୁବନେଶ୍ବର: ଅସ୍ଥାୟୀ ବିକାଶ ମଡେଲ୍‌ ଓ ପ୍ରକୃତି ପ୍ରତି ହ୍ରାସ ପାଉଥିବା ସମ୍ବେଦନଶୀଳତା ବିଶ୍ବରେ ପରିବେଶଗତ ସମସ୍ୟାକୁ ତୀବ୍ର କରିଛି। ବିଶ୍ବ ଉତ୍ତାପ ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ, ପ୍ରଦୂଷଣ ଓ ବର୍ଜ୍ୟବସ୍ତୁ ନିର୍ଗମନ, ଲୋକଙ୍କ କାର୍ଯ୍ୟକଳାପ ଦ୍ବାରା ପରିସଂସ୍ଥାର ଅବନତି ଓ ଜୈବ ବିବିଧତା ଅବକ୍ଷୟ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ତେଣୁ ମାନବଜାତି ଓ ଜୀବଜଗତ ବଞ୍ଚିବା ପାଇଁ ପରିବେଶୀୟ ଗୁଣବତ୍ତାର ସୁରକ୍ଷା ଅତ୍ୟାବଶ୍ୟକ। ଏହି ଆହ୍ବାନଗୁଡ଼ିକର ମୁକାବିଲା କରିବାକୁ ସରକାର, ଅନୁଷ୍ଠାନ ଓ ଜନସାଧାରଣଙ୍କ ସମନ୍ବିତ ପ୍ରୟାସ ଗୁରୁତ୍ବପୂର୍ଣ୍ଣ ବୋଲି ଓଡ଼ିଶା ପରିବେଶ ସମିତି(ଓଇଏସ୍‌)ର ୪୫ତମ ପ୍ରତିଷ୍ଠା ଦିବସ ଓ ପୁରସ୍କାର ପ୍ରଦାନ ଉତ୍ସବରେ ଅତିଥିମା‌ନେ ମତପ୍ରକାଶ କରିଛନ୍ତି।

ଓଇଏସ୍‌ ସଭାପତି ସୁନ୍ଦର ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତା‌ରେ ଅନୁଷ୍ଠିତ ଉତ୍ସବରେ ‘ଧରିତ୍ରୀ’ ତଥା ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପୁରୀ, ଅନୁଗୋଳ ଭଳି ସହର କିଭଳି ଅଳିଆ ଆବର୍ଜନାର ପାହାଡ଼ ହେବାକୁ ଯାଉଛି ସେନେଇ ମତପ୍ରକାଶ କରିଥିଲେ। ଏଥିସହ ବିକାଶ ନାମରେ କିଛି ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କ ବିକାଶ ହେଉଛି ବୋଲି କହିଥିଲେ। ଓଇଏସ୍‌ ପ୍ରତିଷ୍ଠାତା ସଭାପତି ପ୍ରସନ୍ନ କୁମାର ଦାଶଙ୍କ ସ୍ମୃତିରେ ସ୍ମାରକୀ ବକ୍ତୃତା ପ୍ରଦାନ କରି ମୁଖ୍ୟବକ୍ତା ସାହିତ୍ୟିକ ଦାଶ ବେନହୁର ପରିବେଶୀୟ ବିପର୍ଯ୍ୟୟରୁ ମାନବଜାତିକୁ ସୁରକ୍ଷିତ ରଖିବାକୁ ବ୍ୟାପକ ସଚେତନତା ଆବଶ୍ୟକ ବୋଲି ମତ ଦେଇଥିଲେ। ସଭାପତି ଶ୍ରୀ ପାତ୍ର ଆଧୁନିକ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଓ ପରିବେଶ ସୁରକ୍ଷାକୁ ଅଗ୍ରାଧିକାର ଦେବାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ। ଓଇଏସ୍‌ କାର୍ଯ୍ୟକାରୀ ସଭାପତି ଜୟକୃଷ୍ଣ ପାଣିଗ୍ରାହୀ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ମନୋରଞ୍ଜନ ମିଶ୍ର ଓଇଏସ୍‌ କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଯୁଗ୍ମ ସମ୍ପାଦକ ସୁରଭି ଜୈନ ଧନ୍ୟବାଦ ଦେଇଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button