ରାଜ୍ୟ

Panchayat and Municipal Elections: ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ: ରାଜନୀତିରେ ପଛୁଆବର୍ଗ ସଂରକ୍ଷଣ ଦ୍ବନ୍ଦ୍ବ

୨୦୨୨ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ‌ରେ ପଛୁଆବର୍ଗଙ୍କୁ ୨୭% ସଂରକ୍ଷଣ ଦେବାକୁ ତତ୍କାଳୀନ ବି‌ଜେଡି ସରକାର ଆଇନ ଆଣିଥିଲେ। କୋର୍ଟରେ ଚ୍ୟାଲେଞ୍ଜ ପରେ ପଛଘୁଞ୍ଚା ଦେଲେ।

ବିଶ୍ବଜିତ ଦାଶ

ଭୁବ‌ନେଶ୍ବର: ୨୦୨୨ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ‌ରେ ପଛୁଆବର୍ଗଙ୍କୁ ୨୭% ସଂରକ୍ଷଣ ଦେବାକୁ ତତ୍କାଳୀନ ବି‌ଜେଡି ସରକାର ଆଇନ ଆଣିଥିଲେ। କୋର୍ଟରେ ଚ୍ୟାଲେଞ୍ଜ ପରେ ପଛଘୁଞ୍ଚା ଦେଲେ। ମାତ୍ର ସବୁ ଦଳ ଅନୁସୂଚିତ ଜନଜାତିଙ୍କୁ ୨୨.୫% ଏବଂ ଅନୁସୂଚିତ ଜାତିଙ୍କୁ ୧୬.୨୫% ସଂରକ୍ଷଣ ନିୟମ ଅନୁଯାୟୀ ଦେଇଥିଲେ। ବିଜେଡି କିନ୍ତୁ ସେବେ ଜିଲ୍ଲା ପରିଷଦ ସଭ୍ୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ମେୟର, ପୌରାଧ୍ୟକ୍ଷ, କର୍ପୋରେଟର ଓ କାଉନ୍‌ସିଲର ପ୍ରାର୍ଥୀ ଦେବାବେଳେ ୨୭% ନିୟମ ମାନିଥିଲା। କିଛି କ୍ଷେତ୍ରରେ ଏହାଠାରୁ ବହୁ ଅଧିକ ପ୍ରତିଶତଙ୍କୁ ପ୍ରାର୍ଥୀ କରିଥିଲା। ଏହାବାଦ୍ ଦଳର ସମର୍ଥିତ ପଞ୍ଚାୟତ ସମିତି ଅଧ୍ୟକ୍ଷ, ସରପଞ୍ଚ, ସମିତିସଭ୍ୟ, ୱାର୍ଡସଭ୍ୟ ପ୍ରାର୍ଥୀ କ୍ଷେତ୍ରରେ ପଛୁଆବର୍ଗଙ୍କୁ ପ୍ରାଧାନ୍ୟ ଦେଇଥିଲା। ଏବେ ରାଜ୍ୟରେ ସରକାର ବଦଳିଛି। ବିଜେପି ସରକାର ପଛୁଆବର୍ଗଙ୍କୁ ଶିକ୍ଷା କ୍ଷେତ୍ରରେ ୧୧.୨୫% ସଂରକ୍ଷଣ ଘୋଷଣା କରିଛି। ମାତ୍ର ଆସନ୍ତାବର୍ଷ ଏପ୍ରିଲ ଓ ମେ’ ମାସରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ହେବାକୁ ଥିବାବେଳେ ସରକାର ପଛୁଆବର୍ଗଙ୍କୁ କେତେ ପ୍ରତିଶତ ସଂରକ୍ଷଣ ଦେବେ ତାହା ଉପରେ ଏବେ ରାଜନୈତିକ ମହଲର ନଜର ରହିଛି।

ନିକଟରେ ନବଗଠିତ ୩୫ଟି ଏନ୍‌ଏସି, ମ୍ୟୁନିସପାଲିଟିର ପୌରାଧ୍ୟକ୍ଷଙ୍କ ସମେତ ପୁରୀ ମହାନଗର ନିଗମ ଏବଂ ପୂର୍ବରୁ ନିର୍ବାଚନ ହୋଇନଥିବା ସମ୍ବଲପୁର ମହାନଗର ନିଗମର ମେୟର ପଦବି ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ଏଥିରେ କେବଳ ଏସ୍‌ଟି, ଏସ୍‌ସି ଓ ମହିଳାଙ୍କୁ ସଂରକ୍ଷଣ ଦିଆଯାଇଛି। ପଛୁଆବର୍ଗଙ୍କ ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇନାହିଁ। ଏଣୁ ବାକି ପୌର ସଂସ୍ଥାର ନିର୍ବାଚନ ଏବଂ ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କୁ ସଂରକ୍ଷଣ ନ ମିଳିବା ଆଶଙ୍କା ବଢ଼ିଯାଇଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ରାଜ୍ୟରେ ସଂରକ୍ଷଣ ବ୍ୟବସ୍ଥା ୫୦%ରୁ ଅଧିକ ହୋଇ ପାରିବନାହିଁ। ଏପଟେ ପଛୁଆବର୍ଗ ଭୋଟରଙ୍କ ସଂଖ୍ୟା ମୋଟ୍‌ ଭୋଟରଙ୍କର ପ୍ରାୟ ଅଧା ହୋଇଥିବାରୁ ଶାସକ ଦଳ କ’ଣ ରଣନୀତି ପ୍ରସ୍ତୁତ କରିବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି। ରାଜ୍ୟ ନିର୍ବାଚନ କମିସନଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ମୋଟ୍ ପ୍ରାର୍ଥୀଙ୍କ ମଧ୍ୟରୁ ୨୨.୫% ଏସ୍‌ଟି, ୧୬.୨୫% ଏସ୍‌ସି ହେବେ। ଏହାବାଦ୍ ମୋଟ୍ ପ୍ରାର୍ଥୀଙ୍କ ମଧ୍ୟରୁ ୫୦% ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। ପଛୁଆବର୍ଗଙ୍କୁ ପଞ୍ଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣ ଦେବାକୁ ହେଲେ ରାଜ୍ୟ ସରକାରଙ୍କୁ ଟ୍ରିପଲ୍‌ ଟେଷ୍ଟ ଫର୍ମୁଲା ଆପଣାଇବାକୁ ହେବ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button