Panchayat expenditure: ପଞ୍ଚାୟତ ଖର୍ଚ୍ଚର କଡ଼ାଗଣ୍ଡା ହିସାବ ରଖିବ ଗ୍ରାମସଭା, ସିଏଫ୍ସି ପାଣ୍ଠିରେ ଗାଡ଼ି କିଣା, ଦରମା, ଧାର୍ମିକ କାର୍ଯ୍ୟକ୍ରମ ମନା

ଭୁବନେଶ୍ୱର,୨୧/୦୭: ଏଣିକି ପଞ୍ଚାୟତ ଖର୍ଚ୍ଚର କଡ଼ାଗଣ୍ଡା ହିସାବ ରଖିବ ଗ୍ରାମସଭା । ଏହାକୁ ଆହୁରି ଶକ୍ତିଶାଳୀ କରିବାକୁ ଯୋଜନା କରିଛନ୍ତି ସରକାର । ସବୁ ପଞ୍ଚାୟତରେ କେନ୍ଦ୍ରୀୟ ଷୋଡ଼ଶ ଅର୍ଥ କମିଶନ(ସିଏଫ୍ସି ) ପାଣ୍ଠି ଠିକ୍ରେ ଖର୍ଚ୍ଚ କରିବାକୁ କଡ଼ା ଯାଞ୍ଚ ହେବ । ଏଥିପାଇଁ ଗ୍ରାମସଭାକୁ ଅଧିକ ଦାୟିତ୍ୱ ଓ କ୍ଷମତା ମିଳିବ । ଗ୍ରାମସଭାରେ ପଞ୍ଚାୟତ ଖର୍ଚ୍ଚର ଟିକିନିଖି ହିସାବ ରଖାଯିବ । କେବଳ ଜିଲ୍ଲାସ୍ତରରେ ନୁହେଁ, ପଞ୍ଚାୟତସ୍ତରରେ ଅଧିକ ପ୍ରଭାବୀ ସୋସିଆଲ ଅଡିଟ୍ ହେବ । ପଞ୍ଚାୟତରେ ହେଉଥିବା ଖର୍ଚ୍ଚ ଜଗିବାକୁ ସ୍ୱତନ୍ତ୍ର ଭିଜିଲାନ୍ସ ସେଲ୍ ଖୋଲାଯିବ। ଏଭଳି ଯୋଜନା କରିଛି ପଞ୍ଚାୟତିରାଜ ବିଭାଗ ।
ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦକୁ ମିଳିଥିବା କେନ୍ଦ୍ରୀୟ ପାଣ୍ଠିକୁ କେଉଁ ବାବଦରେ ଖର୍ଚ୍ଚ କରାଯିବ, ତାର ମଧ୍ୟ ତାଲିକା ଦିଆଯାଇଛି । ସିଏଫ ଏଥିପାଇଁ ସାନି ମାନଦଣ୍ଡ ଧାର୍ଯ୍ୟ କରିଛି । କେନ୍ଦ୍ରୀୟ ପାଣ୍ଠିରୁ କୌଣସି ଧାର୍ମିକ କାର୍ଯ୍ୟକ୍ରମ, ମେଳା, ଧାର୍ମିକ ଅନୁଷ୍ଠାନ ପାଇଁ ନିର୍ମାଣ, ବ୍ୟକ୍ତିଗତ ପ୍ରଚାର, କୌଣସି ଦାତବ୍ୟ କାର୍ଯ୍ୟକ୍ରମ, ଭୋଜି ବା ପର୍ବ ପାଳନ, କୌଣସି ଅନୁଷ୍ଠାନକୁ ଦାନ, ଗାଡ଼ି କିଣା ଏବଂ ଦରମା ବା ପାରିଶ୍ରମିକ ପ୍ରଦାନ କରିହେବନି ।
ପଞ୍ଚାୟତଗୁଡ଼ିକ ଅଗଷ୍ଟ ୧୫ ତାରିଖ ସୁଦ୍ଧା ଜିପିଡିପି(ଗ୍ରାମ ପଞ୍ଚାୟତ ଡେଭଲପମେଣ୍ଟ ପ୍ଲାନ୍) ଦାଖଲ କରିବାକୁ କୁହାଯାଇଛି । ଜନସଂଖ୍ୟା ଓ ଟାଏଡ୍, ଅନଟାଏଡ୍ ପାଣ୍ଠି ଓ ଏକାଧିକ ମାପଦଣ୍ଡକୁ ବିଚାରକୁ ନେଇ କେଉଁ ପଞ୍ଚାୟତକୁ କେତେ ପାଣ୍ଠି ମିଳିବ, ତାହା ଧାର୍ଯ୍ୟ ହୋଇଛି । ଜନସଂଖ୍ୟା ହିସାବରେ ଯେଉଁ ବର୍ଗର ପଞ୍ଚାୟତକୁ ଯେତେ ଅର୍ଥ ଦେବାକୁ ଧାର୍ଯ୍ୟ ହୋଇଛି, ସେହି ଆଧାରରେ ହିଁ ପଞ୍ଚାୟତଗୁଡ଼ିକ ଆସନ୍ତା ଆର୍ଥିକ ବର୍ଷ ପାଇଁ ପ୍ଲାନ୍ ବା ଯୋଜନା ଦେବେ । କେନ୍ଦ୍ର ଓ ରାଜ୍ୟର ଗାଇଡଲାଇନ୍ ମୁତାବକ ପ୍ରତି ପଞ୍ଚାୟତ ଜିପିଡିପି ପ୍ରସ୍ତୁତ କରିବେ । ଯେଭଳି ବଜେଟ୍ରେ ରାଜ୍ୟ ପାଇଁ ବ୍ୟୟବରାଦ ଓ ଆୟ ଉତ୍ସର ହିସାବ ରୁହେ, ଠିକ୍ ସେହିଭଳି ଜିପିଡିପି ହେଉଛି ପଞ୍ଚାୟତର ବଜେଟ୍ । ଏଥିରେ ବର୍ଷକ ପାଇଁ ଗାଁ ବିକାଶର ଟିକିନିଖି ଯୋଜନା ଓ ପ୍ରକଳ୍ପ ବିବରଣୀ ରହିବ । ଜିପିଡିପିକୁ ବିଡିଓ ମଞ୍ଜୁରି ଦେବା ପରେ ଏହା ଇ-ଗ୍ରାମ ସ୍ୱରାଜ ପୋର୍ଟାଲରେ ଅପଲୋଡ୍ ହେବ । ଜିପିଡିପି ଦେବା ପରେ ଯାଇ ପ୍ରତି ପଞ୍ଚାୟତକୁ ଅର୍ଥ ମିଳିବ ଓ ଜିପିଡିପି ହିସାବରେ ଖର୍ଚ୍ଚ ହେବ ।
ସୌଜନ୍ୟ ପ୍ରମେୟ




