Vegetable Price Hike: ବର୍ଷା ପ୍ରଭାବରେ ପରିବା ବଜାରରେ ଦର ଆକାଶଛୁଆଁ, ଓଡ଼ିଶା ମାର୍କେଟରେ ନାହିଁ, ରାଜ୍ୟ ବାହାର ପରିବା ଭରସା

କଟକ,୨୧/୦୭: ପରିବା ବଜାରକୁ ଯିବାକୁ ଏବେ ଡର ଲାଗୁଛି । ଯେଉଁ ପରିବାକୁ ହାତ ବଢ଼ାଇଲେ, ସେଠି ଦାମ୍ ଆକାଶଛୁଆଁ । ବାଇଗଣ, ଭେଣ୍ଡି, ଟମାଟୋ, ପୋଟଳ, କୌଣସି ପରିବା ୬୦ରୁ ୮୦ ଟଙ୍କା ତଳେ ନାହିଁ । ସପ୍ତାହେ ଭିତରେ ଦର ଦୁଇଗୁଣା ହୋଇଯିବାରୁ ମଧ୍ୟବିତ୍ତଙ୍କ ବଜେଟ୍ ପୂରା ଦୋହଲିଯାଇଛି । ଶ୍ରାବଣ ମାସ ଆସୁଥିବାରୁ ଆଗକୁ ପରିବା ଦର ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି । ସେପଟେ ବଜାରରେ ଏବେ ଓଡ଼ିଶା ପରିବା ଆଦୌ ନାହିଁ କହିଲେ ଚଳେ । ରାଜ୍ୟ ବାହାରୁ ପ୍ରତିଦିନ ଶହ ଶହ ଟ୍ରକ୍ ପରିବା ଆମଦାନୀ ହେଉଥିବା ବେଳେ ଓଡ଼ିଶା ପରିବା ମାର୍କେଟରେ ରାଜୁତି କରୁଛି କୋଲକାତା, ରାଞ୍ଚି, ବାଙ୍ଗାଲୋର, ରାୟପୁର, ଆନ୍ଧ୍ରପ୍ରଦେଶ ।
ଗତ ସପ୍ତାହେ ଭିତରେ ପରିବା ଦର ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଛି । ବ୍ୟବସାୟୀମାନେ ମନଇଚ୍ଛା ଦର କରୁଛନ୍ତି । କଟକର ତିନି ବଡ଼ ପରିବା ବଜାର ଛତ୍ରବଜାର, ବିନୋଦବିହାରୀ ବାଲୁବଜାର ଓ କୃଷକ ବଜାରରେ ଏବେ ପରିବା ଦର ଚିନ୍ତାଜନକ ହେଲାଣି । ହୋଲସେଲ୍ ଦର ଯାହା ଯେମିତି ଖୁଚୁରା ବଜାରରେ ବେପାରୀଙ୍କ ପାଟିରୁ ଯାହା ବାହାରିଲା ସେହି ଅନୁସାରେ ଖାଉଟି କିଣିବାକୁ ବାଧ୍ୟ । ଆଜିର ଖୁଚୁରା ବଜାର ଦର ଅନୁସାରେ, ବାଇଗଣ ଓ ଭେଣ୍ଡି ୮୦ ଟଙ୍କା ବିକ୍ରି ହେଉଥିବା ବେଳେ ଟମାଟୋ ୫୦ଟଙ୍କା, କଲରା ୬୦, ପୋଟଳ ୮୦, ଜହ୍ନି ୬୦, ବିନ୍ସ ୧୩୦, ସଜନା ଛୁଇଁ ୧୫୦, ଧନିଆଁ ପତ୍ର କେଜିକୁ ୨୦୦ ଟଙ୍କା ବିକ୍ରି ହେଉଛି । କେଉଁ ଗୋଟିକ ପରିବାର ୫୦-୬୦ରୁ କମ୍ ନାହିଁ । ମନଇଚ୍ଛା ଦର ବୃଦ୍ଧି ଉପରେ ପ୍ରଶାସନର ଅଙ୍କୁଶ ନାହିଁ । ଏଣେ ହୀନସ୍ତା ହେଉଛନ୍ତି ଖାଉଟି ।
ସୌଜନ୍ୟ ପ୍ରମେୟ




