ଜାତୀୟ

Parliament Monsoon Session: ପେପର୍ ଲିକ୍ ନିରୋଧୀ ବିଲ୍‌କୁ ନେଇ ଆଜି କମ୍ପିବ ଗୃହ, ବିତର୍କ ପରେ ହୋଇପାରେ ଗୃହୀତ

ପ୍ରଶ୍ନପତ୍ର ଲିକ୍‌ ଓ ଅନିୟମିତତା ରୋକିବା ସକାଶେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ସୋମବାର ବିଲ୍ ଆଗତ କରିଥିଲେ । ପେପର୍ ଲିକ୍ ନିରୋଧୀ ବିଲ୍ ଉପରେ ବତର୍କ ପାଇଁ ରାଜି ବିରୋଧୀ । ଆଜି ବିଲ୍ ଉପରେ ବିତର୍କ ହେବ ।

ନୂଆଦିଲ୍ଲୀ,୨୮/୦୭: ପ୍ରଶ୍ନପତ୍ର ଲିକ୍ ଓ ଅନିୟମିତତା ରୋକିବା ସକାଶେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ସୋମବାର ଲୋକସଭାରେ ସାର୍ବଜନୀନ ପରୀକ୍ଷା (ଅନୁଚିତ ଉପାୟ ନିବାରଣ) ସଂଶୋଧନ ବିଲ୍, ୨୦୨୬ ଆଗତ କରିଛନ୍ତି । ସମ୍ଭାବ୍ୟ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ରୋକିବା ପାଇଁ ଏଥିରେ କଠୋର ଦଣ୍ଡବିଧାନ ପ୍ରସ୍ତାବ ରହିଛି । ବିଲ୍ ଆଗତ ହେବା ପରେ ବିରୋଧୀ ସାଂସଦଙ୍କ ହଟ୍ଟଗୋଳ ଯୋଗୁ ଏହା ଉପରେ କୌଣସି ଆଲୋଚନା ହୋଇପାରି ନାହିଁ । କିନ୍ତୁ ଆଜି(ମଙ୍ଗଳବାର) ଏ ନେଇ ଚର୍ଚ୍ଚା ପାଇଁ ବିରୋଧୀ ସାଂସଦମାନେ ରାଜି ହୋଇଛନ୍ତି । ଲୋକସଭା ବାଚସ୍ପତି ଓମ୍ ବିର୍ଲା ବିଭିନ୍ନ ଦଳର ନେତାଙ୍କ ସହ ଆଲୋଚନା କରି ଚର୍ଚ୍ଚା ନିମନ୍ତେ ରାଜି କରାଇଛନ୍ତି । ସରକାର ଏବଂ ବିରୋଧୀ ଆଜି ବିଲ୍ ଉପରେ ବିତର୍କ ଏବଂ ଭୋଟିଂ ପାଇଁ ପ୍ରସ୍ତୁତ ଅଛନ୍ତି । ବାଚସ୍ପତି ବିର୍ଲା ବିଲ୍ ଉପରେ ଚର୍ଚ୍ଚା ପାଇଁ ୬ ଘଣ୍ଟା ସମୟ ଧାର୍ଯ୍ୟ କରିଛନ୍ତି । ଦିନ ୧୨ଟାରୁ ବିତର୍କ ଆରମ୍ଭ ହେବା ପରେ ଏହା ଉପରେ ଭୋଟିଂ ହୋଇପାରେ । ଆଜି ହିଁ ବିଲ୍‌ଟିକୁ ଗୃହୀତ ହୋଇପାରେ ବୋଲି ଆଶା କରାଯାଉଛି ।

ବିର୍ଲା କହିଛନ୍ତି, ଏହି ବିଧେୟକରେ ୯୧ଟି ସଂଶୋଧନ ଅଣାଯାଇଛି । ପ୍ରତିଯୋଗିତାମୂଳକ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ଏକ ଏକୀକୃତ ଦୃଷ୍ଟିକୋଣ ଅତ୍ୟନ୍ତ ଜରୁରି । ବିଲ୍ରେ ପ୍ରଶ୍ନପତ୍ର ଲିକ୍ ଦୋଷୀଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଏବଂ ୧୦ କୋଟି ଟଙ୍କା ଯାଏ ଜରିମାନା ନେଇ ପ୍ରାବଧାନ ରହିଛି । ସର୍ବନିମ୍ନ ଜେଲଦଣ୍ଡ ୩ରୁ ୫ ବର୍ଷକୁ ବଢ଼ାଇବା ପ୍ରସ୍ତାବ ଅଛି । ସୋମବାର ହିଁ ବିଲ୍ ଉପରେ ଆଲୋଚନା ପାଇଁ ବାଚସ୍ପତି ୬ ଘଣ୍ଟା ସମୟ ରଖିଥିଲେ । କିନ୍ତୁ ବିରୋଧୀଙ୍କ ବାରମ୍ବାର ହଟ୍ଟଗୋଳ ଯୋଗୁ ତାହା ହୋଇପାରି ନ ଥିଲା । ଜନ୍ତରମନ୍ତରରେ ଆନ୍ଦୋଳନ ବେଳେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ବିରୋଧୀ ସାଂସଦମାନେ ହଙ୍ଗାମା କରିଥିଲେ । ପୁଲିସ ଲାଠିଚାର୍ଜ ମାମଲାରେ ବିତର୍କ ପାଇଁ ଅଡ଼ିବସିଥିଲେ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସଂସଦକୁ ଆସି ଏହି ପ୍ରସଙ୍ଗରେ ବୟାନ ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଥିଲା । ଫଳରେ ଗୃହକୁ ମୁଲତବୀ ରଖିବାକୁ ପଡ଼ିଥିଲା । ଯେବେ ବି ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା, କଂଗ୍ରେସ ଓ ସପା ସାଂସଦମାନେ ଗୃହକୁ ମଧ୍ୟଭାଗକୁ ବ୍ୟାନର ସହ ଚାଲି ଆସି ସ୍ଲୋଗାନବାଜି କରିଥିଲେ ।

ରିପୋର୍ଟ ମୁତାବକ, ଲୋକସଭା ବାଚସ୍ପତି ବିର୍ଲା ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ରିଜିଜୁ ଏହି ପରିପ୍ରେକ୍ଷୀରେ ଅନେକ ବିରୋଧୀ ନେତାଙ୍କୁ ଭେଟି ଆଲୋଚନା କରିଥିଲେ । ଏମାନଙ୍କ ମଧ୍ୟରେ କେ ସି ବେଣୁଗୋପାଳ ଏବଂ ଅଖିଳେଶ ଯାଦବଙ୍କ ଭଳି ନେତା ଥିଲେ । ଏହା ପୂର୍ବରୁ ୫ ଦିନ ଧରି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ସଂସଦ କାର୍ଯ୍ୟ ସ୍ୱାଭାବିକ ହୋଇପାରି ନ ଥିଲା । ଉଭୟ ଗୃହକୁ ବାରମ୍ବାର ମୁଲତବୀ କରିବାକୁ ପଡ଼ିବାରୁ କୌଣସି ବିଲ୍ ଆଗତ ହୋଇପାରି ନ ଥିଲା । ସେପଟେ ଆଜି (ମଙ୍ଗଳବାର) ଏନ୍‌ଡିଏ ସଂସଦୀୟ ଦଳର ସାପ୍ତାହିକ ‘ମଙ୍ଗଳ ମିଳନ’ ବୈଠକ ସଂସଦ ଭବନ ପରିସରର ଲାଇବ୍ରେରି ଭବନସ୍ଥିତ ଜିଏମ୍‌ସି ବାଲ୍‌ଯୋଗୀ ଅଡିଟୋରିୟମରେ ହେବାକୁ ଯାଉଛି । ସକାଳ ୯ଟା ୩୦ରେ ଏହା ଅନୁଷ୍ଠିତ ହେବ । ଏଥିରେ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ବିରୋଧୀଙ୍କ ହଙ୍ଗାମାକୁ ନେଇ ଚର୍ଚ୍ଚା ହୋଇପାରେ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button