ନିଜକୁ ସମ୍ରାଟ ମଣୁଥିବା ଡୋନାଲ୍ଡ ଟ୍ରଂପ ତ ଅନଧିକାର ଭାବେ ଅନ୍ୟର ସଂପଦ ଅପହରଣ କରି ରାଜଚକ୍ରବର୍ତ୍ତୀ ରୂପେ ପରିଚିତ ହେବାକୁ ବ୍ୟଗ୍ର ଏବଂ ନିଃସଙ୍ଗ ପେଙ୍ଗୁଇନ ଭଳି ସେ ମଧ୍ୟ ଧାରା ଭାଙ୍ଗି ଏକାକୀ ଚାଲିବାରେ ପ୍ରବୃତ୍ତ। କିନ୍ତୁ ଟ୍ରଂପଙ୍କ ଧାରା ଭଙ୍ଗ ଦ୍ବାରା ଯେଉଁ ସମ୍ଭାବନାମାନ ସୃଷ୍ଟି ହେବାକୁ ଯାଉଛି, ତାହା ପୃଥିବୀକୁ ସମୃଦ୍ଧ କରିବା ପରିବର୍ତ୍ତେ ବିପର୍ଯ୍ୟସ୍ତ କରି ଦେଇପାରେ।
ଗଲା ସପ୍ତାହରୁ ଗୋଟିଏ ନିଃସଙ୍ଗ ପେଙ୍ଗୁଇନ ପକ୍ଷୀର ଏକାକୀ ପଦଯାତ୍ରା ସାମାଜିକ ଗଣମାଧ୍ୟମରେ ଏଭଳି ଭାଇରାଲ ହୋଇଛି ଯେ ପୂର୍ବାନୁମାନ କରାଯାଉଛି ଯେ ଏହା ହୁଏତ ୨୦୨୬ ମସିହାର ଅନ୍ୟତମ ସର୍ବାଧିକ ପ୍ରସାରିତ ଭିଡିଓ ‘କ୍ଲିପ୍’ ହୋଇପାରେ! ପ୍ରକୃତରେ ଏହା ହେଉଛି ସୁପ୍ରସିଦ୍ଧ ଜର୍ମାନ୍ ବୃତ୍ତଚିତ୍ର ନିର୍ମାତା ବର୍ନାର୍ଡ ହରଜଗଙ୍କ ଦ୍ବାରା, ୨୦୦୭ ମସିହାରେ ନିର୍ମିତ, ଆଣ୍ଟାର୍କଟିକା ଉପରେ ପର୍ଯ୍ୟବସିତ ଚମତ୍କାର ଡକ୍ୟୁମେଣ୍ଟାରି ସିନେମା ‘ଏନକାଉଣ୍ଟର୍ସ ଏଟ୍ ଦ ଏଣ୍ଡ ଅଫ ଦ ୱର୍ଲଡ’(ପୃଥିବୀର ସୀମାନ୍ତରେ କେତେକ ଅନୁଭୂତି)ର ଏକ କ୍ଷୁଦ୍ରାଂଶ ମାତ୍ର। ହରଜଗଙ୍କ ବୃତ୍ତଚିତ୍ରରେ ଦେଖିବାକୁ ମିଳିଥିଲା ଯେ ‘ଏମ୍ପରର ପେଙ୍ଗୁଇନ’ଙ୍କ ଗୋଟିଏ ଯୂଥ ଦଳବଦ୍ଧ ଭାବେ ‘କଦମତାଳ’ ଢଙ୍ଗରେ ସମୁଦ୍ର ଆଡ଼କୁ ଚାଲିଥିବା ବେଳେ ଅଚାନକ ଗୋଟିଏ ପେଙ୍ଗୁଇନ ଦଳ ପରିତ୍ୟାଗ କରି ବିପରୀତ ଦିଗରେ ଏକ ପର୍ବତ ଆଡ଼କୁ ଏକୁଟିଆ ଚାଲିବା ଆରମ୍ଭ କରିଛି। ଉଲ୍ଲେଖଯୋଗ୍ୟ ଯେ ପକ୍ଷୀଟିକୁ ଦଳ ମଧ୍ୟକୁ ଫେରାଇ ଆଣିବାର ପ୍ରଚେଷ୍ଟା ବିଫଳ ହୋଇଥିଲା। ହରଜଗ ସୁନିଶ୍ଚିତ ଥିଲେ ଯେ ଯେ ସମୁଦ୍ର ବଦଳରେ ପର୍ବତ ମୁହାଁ ପେଙ୍ଗୁଇନଟି ମରଣ ପଥର ଯାତ୍ରୀ। ତେବେ, ସେହି ପକ୍ଷୀଟି ପେଙ୍ଗୁଇନ ଚରିତ୍ର ବିପରୀତ କାର୍ଯ୍ୟ କାହିଁକି କଲା? ଭଳି ପ୍ରଶ୍ନ ହରଜଗ ଓ ପରବର୍ତ୍ତୀ କାଳରେ ଡକ୍ୟୁମେଣ୍ଟାରିର ଅସଂଖ୍ୟ ଦର୍ଶକଙ୍କୁ ବିସ୍ମୟ, ବିମର୍ଷବୋଧ ଏପରିକି ଗଭୀର ଚିନ୍ତନ ମଧ୍ୟକୁ ଘେନି ଯାଇଥିଲା। ତେବେ, ସଂପ୍ରତି ସାମାଜିକ ଗଣମାଧ୍ୟମରେ ସେହି ଭିଡିଓ ‘କ୍ଲିପ୍’ର ଯେଉଁ ଉତ୍ତାଳ ତରଙ୍ଗ ସୃଷ୍ଟି ହୋଇଛି, ତହିଁରୁ ସ୍ପଷ୍ଟ ଯେ କାହିଁ କେଇ ଗୁଣ ଅଧିକ ପୃଥିବୀ ବାସୀଙ୍କ ହୃଦୟକୁ ସେହି ନିଃସଙ୍ଗ ପେଙ୍ଗୁଇନ ସ୍ପର୍ଶ କରିଛି; ଏବଂ ସାମାଜିକ ଗଣମାଧ୍ୟମରେ ଏ ସଂପର୍କିତ ମନ୍ତବ୍ୟ ଓ ସନ୍ଦେଶରୁ ହୃଦ୍ବୋଧ ହୋଇଥାଏ ଯେ ପେଙ୍ଗୁଇନଟିର ନିଃସଙ୍ଗ ଅନ୍ତିମ ଯାତ୍ରାରେ ସେମାନେ ବୋଧହୁଏ ଆପଣା ଅସ୍ତିତ୍ବ ସଂକଟ ଏବଂ ନିଷ୍କୃତିର ପଥ ସନ୍ଧାନକୁ ଦେଖୁଛନ୍ତି!
୨୦୦୫ ମସିହାରେ ଲୁକ୍ ଜାକ୍ବେଙ୍କ ଦ୍ବାରା ନିର୍ମିତ ‘ମାର୍ଚ ଅଫ ପେଙ୍ଗୁଇନ୍ସ’(ପେଙ୍ଗୁଇନଙ୍କ ପଦଯାତ୍ରା) ଶୀର୍ଷକ ଆଉ ଏକ ବୃତ୍ତଚିତ୍ର ସମଗ୍ର ପୃଥିବୀରେ ଚହଳ ସୃଷ୍ଟି କରିଥିଲା, ଯହିଁରେ ପେଙ୍ଗୁଇନଗୁଡ଼ିକର ‘ଏକ ଜୀବନ-ସଙ୍ଗୀ ବ୍ରତ’ ବା ସନ୍ତାନ ଜନ୍ମ ଓ ପାଳନରେ ଉଭୟ ବାପା-ମା’ଙ୍କ ମଧ୍ୟରେ ଦାୟିତ୍ବ ବଣ୍ଟନ ଓ କଠିନ ତ୍ୟାଗ ଭଳି ବିଷୟମାନ ଦର୍ଶକମାନଙ୍କୁ ଅଭିଭୂତ କରି ଦେଇଥିଲା ଏବଂ ପାରିବାରିକ ମୂଲ୍ୟବୋଧର ପ୍ରତୀକ ଭାବେ ରକ୍ଷଣଶୀଳମାନେ ପେଙ୍ଗୁଇନର ଦୃଷ୍ଟାନ୍ତ ଦେବା ଆରମ୍ଭ କରିଥିଲେ। ତହିଁରେ ଦେଖିବାକୁ ମିଳିଥିଲା କିଭଳି ପେଙ୍ଗୁଇନ ଦଳ ଆପଣା ବସତି ସ୍ଥାପନ କରନ୍ତି; ପ୍ରତି ବର୍ଷ ଏକ ନିର୍ଦ୍ଦିଷ୍ଟ ସମୟରେ ସମୁଦ୍ର ଠାରୁ ଦୂରସ୍ଥ ନିର୍ଦ୍ଦିଷ୍ଟ ସ୍ଥାନରେ ଏକତ୍ର ହୁଅନ୍ତି, ଯାହା ହୋଇଥାଏ ସେମାନଙ୍କ ମିଳନ ଓ ପ୍ରଜନନ ସ୍ଥଳ; ତା’ ପରେ କିଭଳି ଏକ ବିଶାଳାକୃତିର ଅଣ୍ଡା ଦେବା ପରେ ଅତ୍ୟନ୍ତ ଅବସନ୍ନ ଓ କ୍ଷୁଧାର୍ତ୍ତ ମା’ଗୁଡ଼ିକ ଅଣ୍ଡାଗୁଡ଼ିକୁ ନିଜନିଜ ପୁରୁଷ ସଙ୍ଗୀର ହେପାଜତରେ ଦେଇ ଦଳବଦ୍ଧ ଭାବେ ସମୁଦ୍ର ଆଡ଼କୁ ମନ୍ଥର ଯାତ୍ରା ଆରମ୍ଭ କରନ୍ତି। ଏଣେ, ପୁରୁଷ ପେଙ୍ଗୁଇନଗୁଡ଼ିକ ସେମାନଙ୍କ ପାଦ ତଳେ ଅଣ୍ଡାଟିମାନ ଚାପି ରଖି ଅନେକ ଦିନ ପର୍ଯ୍ୟନ୍ତ ବିଯୁକ୍ତ ଶୂନ୍ୟ ତାପାମାତ୍ରା ଓ ତୁଷାର ଝଡ଼ ଇତ୍ୟାଦି ମଧ୍ୟରେ ଛିଡ଼ା ହୋଇ ରହି ସେଗୁଡ଼ିକୁ ସୁରକ୍ଷା ଦେବା ସହିତ ଉପଯୁକ୍ତ ତାପମାତ୍ରା ସୃଷ୍ଟି କରି ଅଣ୍ଡା ଫୁଟିବାରେ ସହାୟକ ହୁଅନ୍ତି। ଇତିମଧ୍ୟରେ ମା’ ପେଙ୍ଗୁଇନଗୁଡ଼ିକ ହୃଷ୍ଟପୁଷ୍ଟ ହୋଇ ପ୍ରଜନନ ସ୍ଥଳକୁ ପ୍ରତ୍ୟାବର୍ତ୍ତନ କରି ଶାବକମାନଙ୍କ ଦାୟିତ୍ବ ନେବା ପରେ ବୁଭୁକ୍ଷୁ ଓ ଶୀର୍ଣ୍ଣ ପୁରୁଷ ପେଙ୍ଗୁଇନଗୁଡ଼ିକ ଖାଦ୍ୟ ସନ୍ଧାନରେ ସମୁଦ୍ର ଆଡ଼କୁ ବାହାରି ପଡ଼ନ୍ତି। ଶଂସିତ ଗୋଠ ଛଡ଼ା ପେଙ୍ଗୁଇନ କାହିଁକି ଏଭଳି ଦୃଢ଼ ପ୍ରାକୃତିକ ଶୃଙ୍ଖଳା ଭଙ୍ଗ କଲା ବୋଲି ପ୍ରଶ୍ନ ହରଜଗଙ୍କୁ ବିବ୍ରତ କରିବାରୁ ସେ ଆଣ୍ଟାର୍କଟିକାର କେତେକ ଗବେଷକଙ୍କୁ ପଚାରି ଉତ୍ତର ପାଇଥିଲେ ଯେ ଏଭଳି ଘଟଣା ଅତ୍ୟନ୍ତ ବିରଳ ହୋଇଥିଲେ ହେଁ ସଂପୂର୍ଣ୍ଣ ନୂଆ ନୁହେଁ। ଗବେଷକମାନେ କହିଥିଲେ ଯେ ମସ୍ତିଷ୍କରେ ସଂଘଟିତ କୌଣସି ସ୍ନାୟବିକ ବା ରାସାୟନିକ ଦୁର୍ଘଟଣା ହୁଏତ କୌଣସି ପେଙ୍ଗୁଇନକୁ ଦିଶାହୀନ(ପାଗଳ) ବା ‘ଡିସଓରିଏଣ୍ଟେଡ’ କରି ପକାଉଥିବ, ଯାହା ସେମାନଙ୍କୁ ନିରୁଦ୍ଦିଷ୍ଟ ଓ ନିଶ୍ଚିହ୍ନ ହେବାର ପଥର ପଦାତିକରେ ପରିଣତ କରୁଥିବ!
ଏବେ ପ୍ରଶ୍ନ ହେଲା ‘ଡିସଓରିଏଣ୍ଟେଡ’ ହୋଇ ନ ଥିବା ଅଗଣିତ ମନୁଷ୍ୟ କାହିଁକି ନିଜ ଭିତରେ ସେହି ନିଃସଙ୍ଗ ପେଙ୍ଗୁଇନକୁ ଆବିଷ୍କାର କରୁଛନ୍ତି? ଉତ୍ତର ସରଳ ଯେ ହୁଏତ ସାଂପ୍ରତିକ ପୃଥିବୀ ଯୁଦ୍ଧ, ସଂତ୍ରାସ, ଦୁର୍ଘଟଣା, ଦାରିଦ୍ର୍ୟ, ପ୍ରେମ ଓ ବୃତ୍ତିରେ ବିଫଳତା, ନିଯୁକ୍ତିିହୀନତା, କାମନା ଅପୂର୍ତ୍ତି ଜନିତ ମର୍ମ ଦହନ, ଏକାକୀତ୍ବ ଓ ତଜ୍ଜନିତ ଅସହାୟବୋଧ, ଜୀବନର ନିରର୍ଥକତା ଇତ୍ୟାଦି ଭଳି ନକାରାତ୍ମକତା ଦ୍ବାରା ଏଭଳି ଜର୍ଜର ଯେ ଅସଂଖ୍ୟ ମନୁଷ୍ୟ ତୀବ୍ର ଅସ୍ତିତ୍ବ ସଂକଟ ଦେଇ ଗତି କରୁଛନ୍ତି; ଯେଉଁମାନଙ୍କ ବିଚାରରେ ଏଭଳି ସ୍ଥିତିରୁ ମୁକ୍ତି ପାଇବାର ଗୋଟିଏ ମାର୍ଗ ହେଉଛି ଗୋଠଛଡ଼ା େପଙ୍ଗୁଇନଟି ଭଳି ହୋଇଯିବା, ଯାହାର ଦୀର୍ଘଶ୍ବାସ ଭରା ନିରବ ସ୍ବଗତୋକ୍ତି ହୁଏତ ହୋଇଥିବ, ‘ବହୁତ ହୋଇଗଲା, ଆଉ ନୁହେଁ!’ ସଂପ୍ରତି ପୃଥିବୀରେ ପ୍ରତି ୪୦ରୁ ୪୩ ସେକେଣ୍ଡ ବ୍ୟବଧାନରେ ଜଣେ ମନୁଷ୍ୟ ଆତ୍ମହତ୍ୟା କରୁଛନ୍ତି! ତେବେ, ନିଃସଙ୍ଗ ପେଙ୍ଗୁଇନ କ’ଣ ସେମାନଙ୍କ ମେଟାଫର? ଦାର୍ଶନିକ ତତ୍ତ୍ବ କହିଥାଏ ଯେ ମାନବେତର ପ୍ରାଣୀ ଯେମିତି କି ପଶୁ, ପକ୍ଷୀ ଓ ସରୀସୃପ ଇତ୍ୟାଦି ସଂପୂର୍ଣ୍ଣ ହୋଇ ଜନ୍ମ ହୋଇଥାଆନ୍ତି, କିନ୍ତୁ ମନୁଷ୍ୟ ଜନ୍ମ ସମୟରେ ଅପୂର୍ଣ୍ଣ ଥାଏ ଏବଂ ତା’ ଠାରେ ଅପରିମେୟ ସମ୍ଭାବନାମାନ ଫଳପ୍ରସୂ ହେବା ସକାଶେ ପ୍ରତୀକ୍ଷା କରିଥାଆନ୍ତି। ସୁତରାଂ, ପଶୁପକ୍ଷୀ ଇତ୍ୟାଦିଙ୍କ ଜୀବନରେ ଉତ୍ତରଣ ଅସମ୍ଭବ ହୋଇଥିବା ବେଳେ ଆତ୍ମାରୁ ନେଇ ଅନ୍ତରୀକ୍ଷ ପର୍ଯ୍ୟନ୍ତ ସର୍ବତ୍ର ମନୁଷ୍ୟ ଉତ୍ତରଣର ପଦଚିହ୍ନ ଦିଶିଥାଏ। ଏବଂ ଏହା ମଧ୍ୟ ସତ ଯେ କଳ୍ପନା ଅତିକ୍ରମୀ ସମ୍ଭାବନାଗୁଡ଼ିକୁ ସଫଳ କରିବାର ଦୃଷ୍ଟାନ୍ତ ସ୍ଥାପନ କରିଥିବା ପ୍ରତ୍ୟେକ ମନୁଷ୍ୟ ମଧ୍ୟ ନିଃସଙ୍ଗ ଯାତ୍ରା କରିଥାଆନ୍ତି, କିନ୍ତୁ ସୁନିଶ୍ଚିତ ଭାବେ ନିଶ୍ଚିହ୍ନ ହେବା ଲାଗି ନୁହେଁ! ଉପରୋକ୍ତ ଦାର୍ଶନିକ ସୂତ୍ରଟି ଆହୁରି କହେ ଯେ ବୁଦ୍ଧତ୍ବ ପ୍ରାପ୍ତି ସହିତ ମନୁଷ୍ୟର ସମସ୍ତ ସମ୍ଭାବନା ଫଳପ୍ରସୂ ହୋଇ ସେ ସଂପୂର୍ଣ୍ଣତା ଲାଭ କରିଥାଏ। ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଭାରତର ଜଣେ ତରୁଣ ରାଜପୁତ୍ର ନିଶାର୍ଦ୍ଧରେ ଏକ ନିଃସଙ୍ଗ ପେଙ୍ଗୁଇନ ଭଳି ଧାରା ଭାଙ୍ଗି ବାହାରି ଚାଲିଯାଇଥିଲେ, କିନ୍ତୁ ସେ ନିଶ୍ଚିହ୍ନ ହୋଇଯାଇ ନ ଥିଲେ, ବରଂ ପୃଥିବୀକୁ ବଦଳାଇ ଦେବାର ପରିବେଶଟିଏ ନିର୍ମାଣ କରି ପାରିଥିଲେ। ‘ନିଃସଙ୍ଗ ପେଙ୍ଗୁଇନ’କୁ ନେଇ ସାମାଜିକ ଗଣମାଧ୍ୟମରେ ପରିଦୃଷ୍ଟ ହେଉଥିବା ଅକଳନ୍ତି ମନ୍ତବ୍ୟ ମଧ୍ୟରୁ ଗୋଟିଏ ସେହି ଦୃଷ୍ଟିରୁ ବିଶେଷ ପ୍ରଣିଧାନଯୋଗ୍ୟ, ଯାହା ହେଲା: ‘କିଏ ଜାଣେ, ଚାଲିଚାଲି ‘ବୋର୍’ ହୋଇ ଯାଇଥିବା ପେଙ୍ଗୁଇନଟି ଉଡ଼ା ଶିଖିବା ଲାଗି ପାହାଡ଼କୁ ଫେରି ଯାଇଥିବ!’ ଏଭଳି ଏକ ମନ୍ତବ୍ୟଟି ନିଃସଙ୍ଗ ପେଙ୍ଗୁଇନ ସକାଶେ ମଧ୍ୟ ସମ୍ଭାବନାର ପ୍ରାଙ୍ଗଣକୁ ପ୍ରଶସ୍ତ କରିଥାଏ।
ଶଂସିତ ନିଃସଙ୍ଗ ‘ଏମ୍ପରର’ ପେଙ୍ଗୁଇନ ବା ‘ସମ୍ରାଟ ପେଙ୍ଗୁଇନ’କୁ ନେଇ ଆମେରିକାର ହ୍ବାଇଟ ହାଉସ ପକ୍ଷରୁ ମଧ୍ୟ ଏକ ‘ମିମ୍’ର ପ୍ରସାରଣ ଘଟିଛି, ଯହିଁରେ ଦର୍ଶାଯାଇଛି ଯେ ସେହି ପକ୍ଷୀଟି ସହିତ ରାଷ୍ଟ୍ରପତି ଟ୍ରଂପ ମଧ୍ୟ ପଦବ୍ରଜରେ; ଅର୍ଥାତ୍ ଗ୍ରୀନଲାଣ୍ଡ ଅଭିମୁଖେ ଯାତ୍ରା। ଉତ୍ତର ମେରୁରେ ପେଙ୍ଗୁଇନ ଦେଖା ଯାଆନ୍ତି ନାହିଁ। ତେଣୁ, ସେହି ‘ମିମ୍’ରେ ପେଙ୍ଗୁଇନର ଓଲଟ ଅର୍ଥାତ୍ ଦକ୍ଷିଣରୁ ଉତ୍ତରକୁ ଯାତ୍ରାକୁ ବୋଧହୁଏ ସାଂକେତିକ ଭାବେ ଗ୍ରୀନଲାଣ୍ଡ ମୁହାଁ ବୋଲି ଦର୍ଶାଯାଇଛି କି, ଯହିଁରେ ଟ୍ରଂପ ତା’ର ସତୀର୍ଥ! ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀର ଭାରତୀୟ ରାଜପୁତ୍ର ସମସ୍ତ ସଂପଦ ଓ ଐଶ୍ବର୍ଯ୍ୟକୁ ପାଦରେ ଏଡ଼ାଇ ଦେଇପାରିଥିବା ହେତୁ ‘ରାଜଚକ୍ରବର୍ତ୍ତୀ’ ଭାବେ ମହିମା ମଣ୍ଡିତ ହୋଇଥାଆନ୍ତି। କିନ୍ତୁ ନିଜକୁ ସମ୍ରାଟ ମଣୁଥିବା ଡୋନାଲ୍ଡ ଟ୍ରଂପ ତ ଅନଧିକାର ଭାବେ ଅନ୍ୟର ସଂପଦ ଅପହରଣ କରି ରାଜଚକ୍ରବର୍ତ୍ତୀ ରୂପେ ପରିଚିତ ହେବାକୁ ବ୍ୟଗ୍ର ଏବଂ ନିଃସଙ୍ଗ ପେଙ୍ଗୁଇନ ଭଳି ସେ ମଧ୍ୟ ଧାରା ଭାଙ୍ଗି ଏକାକୀ ଚାଲିବାରେ ପ୍ରବୃତ୍ତ। କିନ୍ତୁ ଟ୍ରଂପଙ୍କ ଧାରା ଭଙ୍ଗ ଦ୍ବାରା ଯେଉଁ ସମ୍ଭାବନାମାନ ସୃଷ୍ଟି ହେବାକୁ ଯାଉଛି, ତାହା ପୃଥିବୀକୁ ସମୃଦ୍ଧ କରିବା ପରିବର୍ତ୍ତେ ବିପର୍ଯ୍ୟସ୍ତ କରି ଦେଇପାରେ। କିନ୍ତୁ ପ୍ରଶ୍ନ ହେଲା, ଏକ ବିପର୍ଯ୍ୟସ୍ତ ପୃଥିବୀରେ ଟ୍ରଂପ ଓ ତାଙ୍କ ଆମେରିକା ସୁରକ୍ଷିତ ରହିବ ତ? ତେଣୁ ହରଜଗଙ୍କ ନିଃସଙ୍ଗ ପେଙ୍ଗୁଇନ ସହ ଟ୍ରଂପ ଅନେକାଂଶରେ ତୁଳନୀୟ, କାରଣ ତାଙ୍କ ଗୋଠ ଛଡ଼ା ଯାତ୍ରାରେ ଆତ୍ମଘାତର ଆଶଙ୍କା ମଧ୍ୟ ଲୁଚି ରହିଥାଏ।
ସୌଜନ୍ୟ ସମ୍ବାଦ

