Pollution Certificate: ପିୟୁସି ନ ଥିଲେ ଦିଲ୍ଲୀରେ ଇନ୍ଧନ ମନା
ଶୀତ ଋତୁ ପୂର୍ବରୁ ଦିଲ୍ଲୀ ଓ ଏନ୍ସିଆର୍ରେ ପ୍ରଦୂଷଣ ନିୟମ କଡ଼ାକଡ଼ି କରାଯାଇଛି। ଗୁରୁବାର ଠାରୁ ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ନଥିବା ଗାଡ଼ିକୁ ପେଟ୍ରୋଲ କିମ୍ବା ସିଏନ୍ଜି ମିଳିବ ନାହିଁ। ଜାତୀୟ ରାଜଧାନୀ ଅଞ୍ଚଳରେ ପ୍ରଦୂଷଣର ବିଭିନ୍ନ ଉତ୍ସ...

ନୂଆଦିଲ୍ଲୀ: ଶୀତ ଋତୁ ପୂର୍ବରୁ ଦିଲ୍ଲୀ ଓ ଏନ୍ସିଆର୍ରେ ପ୍ରଦୂଷଣ ନିୟମ କଡ଼ାକଡ଼ି କରାଯାଇଛି। ଗୁରୁବାର ଠାରୁ ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସି) ନଥିବା ଗାଡ଼ିକୁ ପେଟ୍ରୋଲ କିମ୍ବା ସିଏନ୍ଜି ମିଳିବ ନାହିଁ। ଜାତୀୟ ରାଜଧାନୀ ଅଞ୍ଚଳରେ ପ୍ରଦୂଷଣର ବିଭିନ୍ନ ଉତ୍ସ ବିରୋଧରେ କଠୋର ଓ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବାକୁ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (ସିଏକ୍ୟୁଏମ୍) ରାଜ୍ୟ ସରକାର ଓ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଛି।
ରାଜେଶ ବର୍ମାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସିଏକ୍ୟୁଏମ୍ର ସଫେଇ ଓ ପ୍ରବର୍ତ୍ତନ ଉପ-କମିଟିର ୨୬ତମ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବରୁ ଜାରି ନିର୍ଦ୍ଦେଶାବଳୀର ସମୀକ୍ଷା କରାଯିବା ସହ ପେଟ୍ରୋଲ ଓ ସିଏନ୍ଜି ଷ୍ଟେସନଗୁଡ଼ିକରେ ସ୍ୱୟଂଚାଳିତ ନମ୍ବର ପ୍ଲେଟ୍ ଚିହ୍ନଟ (ଏଏନ୍ପିଆର୍) ବ୍ୟବସ୍ଥା ସ୍ଥାପନ ପାଇଁ ପ୍ରସ୍ତୁତିର ମଧ୍ୟ ସମୀକ୍ଷା ହୋଇଥିଲା। ୧୫ ମେ, ୨୦୨୬ରେ ଜାରି ସିଏକ୍ୟୁଏମ୍ ନିର୍ଦ୍ଦେଶନାମା ନମ୍ବର ୧୦୧ ଅନୁଯାୟୀ, ବୈଧ ପିୟୁସି ପ୍ରମାଣପତ୍ର ନଥିବା ଯାନବାହନକୁ ଅକ୍ଟୋବର ୧ରୁ ଇନ୍ଧନ ଦେବାକୁ ଅନୁମତି ମିଳିବ ନାହିଁ। ଏହାର ଅନୁପାଳନ ସୁନିଶ୍ଚିତ କରିବାକୁ ଇନ୍ଧନ ଷ୍ଟେସନଗୁଡ଼ିକରେ ଏଏନ୍ପିଆର୍ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ।
ସୌଜନ୍ୟ ସମ୍ବାଦ




