ରାଜ୍ୟ

Pregnant Woman: ଉପାନ୍ତରେ ଜନନୀ ଯନ୍ତ୍ରଣା: ଝୁଲାରେ ଗର୍ଭବତୀଙ୍କୁ ୬ କିମି ବୋହିଲେ

ଗାଁକୁ ରାସ୍ତା ନ ଥିବାରୁ ଶାଢ଼ିରେ ଝୁଲା କରି ଚୌକିରେ ବସାଇ ଗର୍ଭବତୀଙ୍କୁ ୬ କିଲୋମିଟର ବୋହି ଗ୍ରାମବାସୀ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଲେ। ଗଜପତି ଜିଲ୍ଲା ମୋହନା ବ୍ଲକ ଖାରିଗୁଡ଼ା ପଞ୍ଚାୟତର ମୋହନଗୁଡ଼ା ଗ୍ରାମରୁ ଏହି ଚିନ୍ତାଜନକ ଚିତ୍ର ସାମ୍‌ନାକୁ ଆସିଛି।

ମୋହନା: ଗାଁକୁ ରାସ୍ତା ନ ଥିବାରୁ ଶାଢ଼ିରେ ଝୁଲା କରି ଚୌକିରେ ବସାଇ ଗର୍ଭବତୀଙ୍କୁ ୬ କିଲୋମିଟର ବୋହି ଗ୍ରାମବାସୀ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଲେ। ଗଜପତିଜିଲ୍ଲା ମୋହନା ବ୍ଲକ ଖାରିଗୁଡ଼ା ପଞ୍ଚାୟତର ମୋହନଗୁଡ଼ା ଗ୍ରାମରୁ ଏହି ଚିନ୍ତାଜନକ ଚିତ୍ର ସାମ୍‌ନାକୁ ଆସିଛି। କାଦୁଅ ଓ ପଥୁରିଆ ରାସ୍ତାରେ ମହିଳାଙ୍କୁ ଅଣାଯିବା ପ‌ରେ ସେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସନ୍ତାନ ପ୍ରସବ କରିଥିବା ସୂଚନା ମିଳିଛି।

ମୋହନଗୁଡ଼ାର ମାଳତୀ ମାଝୀଙ୍କୁ ଆଜି ସକାଳେ ପ୍ରସବ ବେଦନା ହେବାରୁ ପରିବାରବର୍ଗ ତୁରନ୍ତ ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ। ହେଲେ ମାଟି ଓ ପଥୁରିଆ ରାସ୍ତା ସହ ବାଟରେ ନାଳ ପଡ଼ୁଥିବାରୁ ଆମ୍ବୁଲାନ୍ସ ଆଗକୁ ଯାଇ ନପାରି ୬ କିଲୋମିଟର ଦୂରରେ ଅଟକିଯାଇଥିଲା। ଫଳରେ ଗ୍ରାମବାସୀ ମାଳତୀଙ୍କୁ ଏକ ପ୍ଲାଷ୍ଟିକ୍‌ ଚୌକିରେ ବସାଇବା ସହ ଶାଢ଼ିରେ ଦୋଳା କରିଥିଲେ। ପ୍ରସବ ବେଦନାରେ ସେ ଛଟପଟ ହେଉଥିବା ବେଳେ କଚ୍ଚାରାସ୍ତାରେ କଷ୍ଟେମଷ୍ଟେ ବୋହି ବଣ୍ଡାଗୁଡ଼ା ପର୍ଯ୍ୟନ୍ତ ଆମ୍ବୁଲାନ୍ସ ନିକଟକୁ ନେଇଥିଲେ।

ବର୍ଷା ଯୋଗୁଁ ରାସ୍ତାର ସ୍ଥିତି ଆହୁରି ଦୟନୀୟ ହୋଇଯାଇଥିଲା। ପରେ ତାଙ୍କୁ ଆମ୍ବୁଲାନ୍ସରେ ଆଣି ମୋହନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଉଭୟ ମାଆ ଓ ଶିଶୁ ବର୍ତ୍ତମାନ ସୁସ୍ଥ ଅଛନ୍ତି। ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚିପାରୁନି। ବର୍ଷାଦିନେ ସ୍ଥିତି ଆହୁରି ଦୟନୀୟ ହୋଇପଡ଼ୁଛି। ମୋହନାଗୁଡ଼ାକୁ ତୁରନ୍ତ ସବୁଦିନିଆ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button