ନିଜର ଅଭିନବ ଉଦ୍ୟମ ଦ୍ୱାରା ପରିବେଶ ସଚେତନତା ସୃଷ୍ଟି କରି ଉଦାହାରଣ ପାଲଟିଛନ୍ତି ଯୁବ ଇଞ୍ଜିନିୟର୍ ବିଶାଳ। ଗଣେଶ ପୂଜା ସମୟରେ କାଳକାଳରୁ ପ୍ରଚଳିତ ହୋଇ ଆସୁଥିବା ‘ପ୍ଲାଷ୍ଟର୍ ଅଫ୍ ପ୍ୟାରିସ୍’ ବା ‘ପିଓପି’ ମୂର୍ତ୍ତି ପରିବେଶକୁ କ୍ଷତି କରୁଥିବା ବେଳେ ଫିଟିକିରି ଦ୍ବାରା ମୂର୍ତ୍ତି ତିଆରି କରି ପରିବେଶ ସୁରକ୍ଷାର ଏକ ନୂଆ ଦିଗକୁ ସେ ଉନ୍ମୋଚନ କରିଛନ୍ତି। ଆଠବର୍ଷ ତଳେ ସେ ଯେତେବେଳେ ତାଙ୍କ ଅଫିସ୍ର ଗଣେଶ ପୂଜା ପାଇଁ ଏକ ମୂର୍ତ୍ତି ମଗାଇଲେ ତାହା ବିସର୍ଜନ ପରେ କିଭଳି ଜଳ ପ୍ରଦୂଷଣ ହେବ, ସେଇକଥା ତାଙ୍କୁ ବିବ୍ରତ କରିଥିଲା। େତଣୁ ସେ କିଛି ବିକଳ୍ପ ଚିନ୍ତା କରିବାକୁ ଲାଗିଲେ।
ତାଙ୍କୁ ପିଲାଟିଦିନରୁ ଗଣେଶ ମୂର୍ତ୍ତି ଗଢ଼ିବାକୁ ଭଲ ଲାଗେ। ପରିବେଶ ସୁରକ୍ଷା ପ୍ରତି ପିଲାଟିଦିନରୁ ମଧ୍ୟ ସେ ବେଶ୍ ସଚେତନ ଥିଲେ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ଉଭୟ ପରିବେଶପ୍ରୀତି ଓ ଗଣେଶ ମୂର୍ତ୍ତି ନିର୍ମାଣ ପ୍ରତି ତାଙ୍କର ଅାଗ୍ରହ ବଢ଼ିଚାଲିଥିଲା। ପରିବେଶ ସୁରକ୍ଷାକୁ ଅକ୍ଷୁଣ୍ଣ ରଖି ଗଣେଶ ମୂର୍ତ୍ତି ଗଢ଼ିବାର ଚିନ୍ତାଧାରା ତାଙ୍କୁ ‘ବିଶାଳ ଆଲମ୍ ଆଇଡଲ୍ୱାଲା’ର ପରିଚୟ େଦଲା।
ଅଫିସ୍କୁ ଆସିଥିବା ଗଣେଶ ମୂର୍ତ୍ତିକୁ ଦେଖି ସେ ଚିନ୍ତାକେଲ ଏହି
ମୂର୍ତ୍ତି ବିସର୍ଜନ ପରେ ପାଣିକୁ ଖୁବ୍ ଦୂଷିତ କରେ। ଫିଟିକିରି ପାଣିକୁ ବିଶୁଦ୍ଧ କରୁଥିବାରୁ ଯଦି ଏଥିରେ ମୂର୍ତ୍ତି ଗଢ଼ିହୁଅନ୍ତା ତେବେ ଜଳ ପ୍ରଦୂଷଣ ହ୍ରାସ ପାଆନ୍ତା। ପ୍ରଥମେ ସେ ଫିଟିକିରିର ଗୁଣ, ପ୍ରକାର ଓ ଗଠନ ନେଇ ଗଭୀର ଅଧ୍ୟୟନ କଲେ। ପରୀକ୍ଷା ସ୍ୱରୂପ ସେ ଏକ ବଡ଼ ଫିଟିକିରି ପଥରକୁ ମଇଳା ପାଣିରେ ରଖି ଦେଖିଲେ ଯେ ଏହା ପାଣିକୁ ପରିଷ୍କାର କରୁଛି କି ନାହିଁ। ଏହା ତାଙ୍କ ଉତ୍ସାହକୁ ଆହୁରି ବଢ଼ାଇଥିଲା। ସେ ପ୍ରଥମେ ତାଙ୍କର ଇଞ୍ଜିନିୟର ବନ୍ଧୁମାନଙ୍କ ସହ ଫିଟିକିରିରେ ମୂର୍ତ୍ତି ଗଢ଼ିବା କଥା ଆଲୋଚନା କଲେ। ଆରମ୍ଭରେ କେହି ତାଙ୍କର ଚିନ୍ତାଧାରାକୁ ଠିକ୍ ଭାବେ ଗ୍ରହଣ କରିପାରି ନଥିଲେ। ମାତ୍ର ପରବର୍ତ୍ତୀ ସମୟରେ ତାଙ୍କ କାମକୁ ସେମାନେ ପ୍ରଶଂସା କଲେ।
ବିଶାଳ କହନ୍ତି, ‘‘ଯେହେତୁ ମୋ ବାପା ମା’ ପରିବେଶବିତ୍ ଥିଲେ, ସେମାନେ ମୋତେ ପିଓପିର କୁପ୍ରଭାବ ବିଷୟରେ କହୁଥିଲେ। ଏହାଛଡ଼ା ପରିବେଶକୁ ରକ୍ଷା କରିବା ମୋର କର୍ତ୍ତବ୍ୟ ବୋଲି ବୁଝାଉଥିଲେ।
ଏବେ ସୁଦ୍ଧା ବିଶାଳ ପ୍ରାୟ ୩୦୦୦ ଫିଟିକିରି ମୂର୍ତ୍ତି ବିକ୍ରି କରି ସାରିଲେଣି। ତାଙ୍କ କହିବାନୁସାରେ ଏହା ବ୍ୟବସାୟ ନୁହେଁ, ବରଂ ପରିବେଶ ପାଇଁ ଏକ ସେବା। ଗତ କିଛିବର୍ଷ ହେବ ଅନେକ ଗ୍ରାହକ ପ୍ରତିବର୍ଷ ତାଙ୍କ ପାଖରୁ ମୂର୍ତ୍ତି କିଣୁଛନ୍ତି, ଯାହା ପରିବେଶ ସଚେତନତା ବୃଦ୍ଧିର ଏକ ଉଦାହରଣ। ଅଧିକରୁ ଅଧିକ ଲୋକ ଏହି ପଦକ୍ଷେପକୁ ଅନୁସରଣ କରିବେ ବୋଲି ଏହି ଯୁବ ଇଞ୍ଜିନିୟରଜଣକ ଆଶା ରଖିଛନ୍ତି।
ସୌଜନ୍ୟ ସମ୍ବାଦ