ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ପରିସରରେ ଆଜି ଏକ ଅଭାବନୀୟ ତଥା ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି। ବଢ଼ୁଥିବା ମୁଦ୍ରାସ୍ଫୀତି ଓ ଇନ୍ଧନ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଇରଫାନ ଅନସାରୀ ଏକ ନିଆରା ଶୈଳୀ ଆପଣାଇଥିଲେ। ସେ ନିଜେ ରିକ୍ସା ଚଳାଇ ବିଧାନସଭାକୁ ଆସିଥିବା ବେଳେ ତାଙ୍କ ସହ କୃଷିମନ୍ତ୍ରୀ ଶିଳ୍ପୀ ନେହା ତିର୍କୀ ମଧ୍ୟ ଉପସ୍ଥିତ ଥିଲେ। ମନ୍ତ୍ରୀଙ୍କର ଏହି “ରିକ୍ସା ଅବତାର” କେବଳ ପଥଚାରୀଙ୍କୁ ଆଶ୍ଚର୍ଯ୍ୟ କରିନଥିଲା, ବରଂ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
ବିଧାନସଭାର ମୁଖ୍ୟ ପ୍ରବେଶ ଦ୍ୱାରରେ ରିକ୍ସା ଅଟକାଇବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଗଣମାଧ୍ୟମ ଆଗରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। କେନ୍ଦ୍ରର ତ୍ରୁଟିପୂର୍ଣ୍ଣ ଆର୍ଥିକ ଓ ବୈଦେଶିକ ନୀତିକୁ ସମାଲୋଚନା କରି ସେ କହିଥିଲେ, “ଆଜି ଦେଶର ଅବସ୍ଥା ଅତି ସୋଚନୀୟ। ମୁଦ୍ରାସ୍ଫୀତି ଓ ବେକାରୀ ସାଧାରଣ ଲୋକଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଲୋକମାନେ ନିଜର ମୌଳିକ ଆବଶ୍ୟକତା ପୂରଣ ପାଇଁ ଲମ୍ବା ଧାଡ଼ିରେ ଠିଆ ହେବାକୁ ବାଧ୍ୟ ହେଉଛନ୍ତି।
ଇଣ୍ଡିଆ ମେଣ୍ଟର ବିଧାୟକମାନଙ୍କ ସ୍ଲୋଗାନରେ ପ୍ରକମ୍ପିତ ହୋଇଥିଲା ବିଧାନସଭା
ବିଧାନସଭା ପରିସର କେବଳ ରିକ୍ସା ନୁହେଁ, ବରଂ ଇଣ୍ଡିଆ ମେଣ୍ଟର ବିଧାୟକମାନଙ୍କ ସ୍ଲୋଗାନରେ ପ୍ରକମ୍ପିତ ହୋଇଥିଲା। ଅନେକ ବିଧାୟକ ହାତରେ ଗ୍ୟାସ ସିଲିଣ୍ଡର ଧରି କେନ୍ଦ୍ର ବିରୋଧୀ ନାରାବାଜି କରିଥିଲେ। ଏଲପିଜି ଓ ପେଟ୍ରୋଲିୟମ ଉତ୍ପାଦର ଅହେତୁକ ଦର ବୃଦ୍ଧି ଯୋଗୁଁ ସାଧାରଣ ପରିବାରର ବଜେଟ୍ ବିଗିଡ଼ି ଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ତେବେ ମନ୍ତ୍ରୀଙ୍କର ଏହି ପ୍ରତିବାଦର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ବିରୋଧୀ ଦଳ ଏହାକୁ କେବଳ ଏକ ”ରାଜନୈତିକ ଷ୍ଟଣ୍ଟ” ବୋଲି କହୁଥିବା ବେଳେ, ଶାସକ ଦଳ ଏହାକୁ ଜନସାଧାରଣଙ୍କ ସ୍ୱର ବୋଲି ଅଭିହିତ କରିଛି। ଗୃହ କାର୍ଯ୍ୟ ଆରମ୍ଭ ପୂର୍ବରୁ ଏହି ପ୍ରତିବାଦ ବିଧାନସଭାର ପରିବେଶକୁ ବେଶ୍ ଉଷ୍ମ କରିଦେଇଛି।
ସୌଜନ୍ୟ ସମ୍ବାଦ
