ଦେଶ ବିଦେଶ

Rahul Gandhi: ରାହୁଲଙ୍କ ଇନ୍ଦୋର କାର୍ଯ୍ୟକ୍ରମ: ସୁରକ୍ଷା ନିୟମରେ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ରିପୋର୍ଟ ଉଲ୍ଲେଖ ନେଇ ବିବାଦ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଇନ୍ଦୋରରେ ଶନିବାର ‘ଛାତ୍ରୋଁ କି ଗୁଞ୍ଜ’ କାର୍ଯ୍ୟକ୍ରମ ପାଇଁ ପୁଲିସ ପକ୍ଷରୁ ଜାରି ସୁରକ୍ଷା ସର୍ତ୍ତାବଳୀକୁ ନେଇ ବଡ଼ ରାଜନୈତିକ ବିବାଦ ସୃଷ୍ଟି ହୋଇଛି।

ଇନ୍ଦୋର: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଇନ୍ଦୋରରେ ଶନିବାର ‘ଛାତ୍ରୋଁ କି ଗୁଞ୍ଜ’ କାର୍ଯ୍ୟକ୍ରମ ପାଇଁ ପୁଲିସ ପକ୍ଷରୁ ଜାରି ସୁରକ୍ଷା ସର୍ତ୍ତାବଳୀକୁ ନେଇ ବଡ଼ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ୧୯୯୧ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡ ଘଟଣାର ତଦନ୍ତ କରିଥିବା ଜଷ୍ଟିସ୍ ବର୍ମା କମିସନ ରିପୋର୍ଟର ତଥ୍ୟକୁ ପୁଲିସ ଏହି ସୁରକ୍ଷା ନିର୍ଦ୍ଦେଶନାମାରେ ଉଲ୍ଲେଖ କରିବା ପରେ କଂଗ୍ରେସ ଏହାକୁ ନେଇ କଡ଼ା ଆପତ୍ତି ଜଣାଇଛି।

ପୁଲିସ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ଯେ ତାମିଲନାଡ଼ୁର ଶ୍ରୀପେରୁମ୍ବୁଦୁରରେ ଘଟିଥିବା ବିସ୍ଫୋରଣରେ ଆୟୋଜକଙ୍କ ଅସାବଧାନତା ସୁରକ୍ଷା ତ୍ରୁଟିର ମୁଖ୍ୟ କାରଣ ଥିଲା। ତେଣୁ ବଡ଼ ଧରଣର କାର୍ଯ୍ୟକ୍ରମଗୁଡ଼ିକରେ ଆୟୋଜକମାନେ ନିଜର ଦାୟିତ୍ୱ ସଠିକ୍ ଭାବେ ତୁଲାଇବା ଆବଶ୍ୟକ। ତେବେ ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ଜିତୁ ପଟୱାରୀ ଏହାକୁ ନିନ୍ଦା କରି କହିଛନ୍ତି ଯେ ପ୍ରଥମେ ୨୦୧୯ରେ ରାହୁଲଙ୍କ ଏସ୍‌ପିଜି ସୁରକ୍ଷା ହଟାଗଲା, ଆଉ ଏବେ କାର୍ଯ୍ୟକ୍ରମ ପାଇଁ ଅନୁମତି ଦେବା ବାହାନାରେ ତାଙ୍କ ସ୍ୱର୍ଗତ ପିତାଙ୍କ ହତ୍ୟାକାଣ୍ଡ ଘଟଣାକୁ ଉଲ୍ଲେଖ କରି ଭୟ ଏବଂ ବାଧା ସୃଷ୍ଟି କରାଯାଉଛି।

ଅନ୍ୟପଟେ ବିଜେପି ପ୍ରବକ୍ତା ରାକେଶ ସିଂହ ଯାଦବ ଏବଂ ଅତିରିକ୍ତ ପୁଲିସ କମିସନର ରାଜେଶ ଦଣ୍ଡୋତିୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ରାହୁଲ ଗାନ୍ଧୀଙ୍କର ‘ଜେଡ୍ ପ୍ଲସ୍’ ସୁରକ୍ଷା ଥିବାରୁ ଏବଂ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଏହି ରିପୋର୍ଟକୁ ଏକ ସାଧାରଣ ନିର୍ଦ୍ଦେଶାବଳୀ ଭାବେ ବ୍ୟବହାର କରାଯାଇଛି ବୋଲି ପୁଲିସ ସ୍ପଷ୍ଟ କରିଛି। ଏହି ନିୟମ ଅନୁସାରେ ଆୟୋଜକଙ୍କୁ ୧୫୦୦ ସ୍ୱେଚ୍ଛାସେବୀ ନିୟୋଜିତ କରିବା ସହ ଭିଡ଼ ନିୟନ୍ତ୍ରଣ ଓ ଜରୁରୀକାଳୀନ କୋରିଡର୍ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button