Rain Alert: ୨୨ରେ ଲଘୁଚାପ; ଘନୀଭୂତ ହୋଇ ଓଡ଼ିଶା ମୁହାଁଇପାରେ, ଉପକୂଳରେ ଅଜାଡ଼ିବ

ଭୁବନେଶ୍ୱର,୧୬/୦୯; ଆସୁଛି ବଡ଼ ବର୍ଷା (ରେନ୍ ଷ୍ଟର୍ମ) । ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷାଢାଳିବ ଓଡ଼ିଶାରେ । ଉପକୂଳ ଏବଂ ପାଶ୍ୱବର୍ତ୍ତୀ ଅଞ୍ଚଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଜୋରଦାର ବର୍ଷା ହୋଇପାରେ । ଏମିତି ଆକଳନ ଦେଖାଇଲାଣି ସମ୍ଭାବ୍ୟ ଲଘୁଚାପ, ଯାହାକି ଘନୀଭୂତ ହୋଇ ଅଧିକ ଶକ୍ତିଶାଳୀ ହେବା ସମ୍ଭାବନା ରହିଛି । ପାଣିପାଗ ବିଭାଗ ଗତ ୧୦ତାରିଖରେ ଦୁଇ ସପ୍ତାହ ପାଇଁ ପ୍ରାକ ଆକଳନ କରିଥିଲା । ଏଥିରେ ପୂର୍ବାନୁମାନ ଥିଲା, ୨୦ ତାରିଖବେଳକୁ ଥାଇଲାଣ୍ଡ ପାଖ ଉତ୍ତର ଆଣ୍ଡାମାନ ସାଗର ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ୨୨ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳ ନିକଟବର୍ତ୍ତୀ ଅଞ୍ଚଳରେ ଲଘୁଚାପ ରୂପ ନେଇପାରେ ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଲା, ୧୮ ତାରିଖ ବେଳକୁ ଆଣ୍ଡାମାନ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ୨୦ ତାରିଖବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଲଘୁଚାପ ରୂପ ନେବ । ପ୍ରଥମେ ଉତ୍ତର-ଉତ୍ତର ପଶ୍ଚିମ ଅବପାତ ରୂପ ନେଇଯିବ । ପରେ ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶାକୁ ମୁହାଁଇବ । ୨୪ ତାରିଖବେଳକୁ ଗଭୀର ଅବପାତ ଅବସ୍ଥାରେ ଓଡ଼ିଶା ଉପକୂଳ ଛୁଇଁପାରେ । ସମ୍ଭବତଃ ପୁରୀରୁ ଜଗତସିଂହପୁର ମଧ୍ୟରେ ସ୍ଥଳଭାଗକୁ ପ୍ରବେଶ କରିପାରେ । ସେପ୍ଟେମ୍ବରରେ ବାତ୍ୟା ସମ୍ଭାବନା କମ୍ ଥାଏ । ତଥାପି ବାତ୍ୟା ସମ୍ଭାବନାକୁ ବି ସମ୍ପୂର୍ଣ୍ଣ ଏଡ଼ାଇ ହେବନି । ଯଦି ବାତ୍ୟା ହୁଏ, ଏହା ଅଧିକ ଘନୀଭୂତ ହେବନି । ଅଳ୍ପ ସମୟ ପାଇଁ ସମୁଦ୍ର ଭିତରେ ବାତ୍ୟା ରୂପ ନେଇପାରେ ।
ସୌଜନ୍ୟ ପ୍ରମେୟ




