Ram Sutar Passed Away: ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ର ନିର୍ମାତା ପ୍ରଖ୍ୟାତ ମୂର୍ତ୍ତିକାର ରାମ ଭାଞ୍ଜୀ ସୂତାରଙ୍କ ଦେହାନ୍ତ

ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟିର ନିର୍ମାତା ପ୍ରଖ୍ୟାତ ମୂର୍ତ୍ତିକାର ରାମ ଭାଞ୍ଜୀ ସୂତାରଙ୍କ ଦେହାନ୍ତ। ବୁଧବାର ମଧ୍ୟରାତ୍ରରେ ତାଙ୍କର ପରଲୋକ ହୋଇଥିବା ଜଣାଯାଇଛି। ସେ ନୋଏଡାସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟିର ନିର୍ମାତା ପ୍ରଖ୍ୟାତ ମୂର୍ତ୍ତିକାର ରାମ ଭାଞ୍ଜୀ ସୂତାରଙ୍କ ଦେହାନ୍ତ। ବୁଧବାର ମଧ୍ୟରାତ୍ରରେ ତାଙ୍କର ପରଲୋକ ହୋଇଥିବା ଜଣାଯାଇଛି। ସେ ନୋଏଡାସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୧୦୦ବର୍ଷ ବୟସ ହୋଇଥିଲା। ତାଙ୍କ ପୁଅ ଅନିଲ ସୂତାର ଏହି ଖବରକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ, “ଗଭୀର ଦୁଃଖର ସହିତ ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ, ମୋ ବାପା ରାମ ଭାଞ୍ଜୀ ସୂତାରଙ୍କ ୧୭ ଡିସେମ୍ବର ମଧ୍ୟରାତ୍ରରେ ଆମ ବାସଭବନରେ ପରଲୋକ ଘଟିଛି।”

୧୯୯୯ରେ ମିଳିଥିଲା ପଦ୍ମଶ୍ରୀ

କେବଳ ଷ୍ଟାଚ୍ୟୁ ଅଫ୍ ୟୁନିଟି ନୁହେଁ ସେ ସଂସଦ ପରିସରରେ ମହାତ୍ମା ଗାନ୍ଧୀଙ୍କ ଧ୍ୟାନ ମୁଦ୍ରାରେ ବସିଥିବା ଏବଂ ଛତ୍ରପତି ଶିବାଜୀଙ୍କ ଘୋଡା ଚଢ଼ିଥିବା ପ୍ରତିମୂର୍ତ୍ତି ମଧ୍ୟ ନିର୍ମାଣ କରିଥିଲେ। ଗୁଜରାଟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୮୨ ମିଟର ଉଚ୍ଚ ପ୍ରତିମୂର୍ତ୍ତି ନିର୍ମାଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବ‌ା ରାମ ଭାଞ୍ଜୀ ସୂତାର ଛଅ ଦଶନ୍ଧି ଧରି ମୂର୍ତ୍ତିକାର ଭାବେ କାମ କରିଥିଲେ। ତାଙ୍କ କାମ ପାଇଁ ୧୯୯୯ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ରାମ ସୂତାର କିଏ ଥିଲେ?

ଧୂଲେ ଜିଲ୍ଲାର ଗୋନୁର ଗ୍ରାମରେ ଫେବ୍ରୁଆରି ୧୯୨୫ମସିହାରେ ଜନ୍ମଗ୍ରହଣ କରିଥିବା ରାମ ସୂତାର ଶ୍ରୀରାମ କୃଷ୍ଣ ଜୋଶୀଙ୍କ ଅଧୀନରେ ତାଲିମ ନେଇଥିଲେ। ୧୯୫୩ ମସିହାରେ ଡିପ୍ଲୋମା ହାସଲ କରି, ସେ ମୁମ୍ବାଇର ଜେଜେ ସ୍କୁଲ ଅଫ୍ ଆର୍ଟ ଆଣ୍ଡ୍ ଆର୍କିଟେକ୍ଚରରେ ମାୟୋ ସ୍ୱର୍ଣ୍ଣ ପଦକ ବିଜେତା ଥିଲେ। ଯୁବାବସ୍ଥାରୁ ଏହି କଳା ପ୍ରତି ଆକର୍ଷିତ ହୋଇ, ସେ ଅଜନ୍ତା-ଏଲୋରାରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣରେ ଯୋଗ ଦେଇଥିଲେ। ସେ ଦିଲ୍ଲୀର ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟରେ ମଧ୍ୟ ଯୋଗ ଦେଇଥିଲେ। ହେଲେ ୧୯୫୯ ମସିହାରେ ମୂର୍ତ୍ତି ନିର୍ମାଣ ପାଇଁ ସେ ଚାକିରିରୁ ଇସ୍ତଫା ଦେଇଥିଲେ। ରାମ ସୂତାରଙ୍କୁ ସାରା ବିଶ୍ୱରେ ୮୦୦୦ ରୁ ଅଧିକ କାର୍ଯ୍ୟ ଏବଂ ଗାନ୍ଧୀଙ୍କ ୨୦୦ ରୁ ଅଧିକ ମୂର୍ତ୍ତି ତିଆରି କରିବାର ଶ୍ରେୟ ଦିଆଯାଇଛି। ଭାରତର ସର୍ବଶ୍ରେଷ୍ଠ ମୂର୍ତ୍ତିକାର ଭାବରେ ସମ୍ମାନିତ ରାମ ସୂତାରଙ୍କୁ ୨୦୧୬ରେ ପଦ୍ମ ଭୂଷଣ ଏବଂ ଏହି ବର୍ଷ ମହାରାଷ୍ଟ୍ର ଭୂଷଣ ପୁରସ୍କାର ମିଳିଥିଲା।

ସୌଜନ୍ୟ ସମ୍ବାଦ

Exit mobile version