Rasagola controversy : ଅଗଷ୍ଟ ୬ରେ ଶେଷ ଶୁଣାଣି, ନଲଢିଲେ ଜିଆଇ ପ୍ରମାଣପତ୍ର ଧରି ବସିଥିବ ଓଡ଼ିଶା, ବଙ୍ଗଳା ହାତକୁ ଚାଲିଯିବ ରସଗୋଲା !

ଭୁବନେଶ୍ୱର, ୨୭/୦୭ : ରସଗୋଲାର ମୂଳ ଉତ୍ପତ୍ତି ଓଡ଼ିଶା ନା ପଶ୍ଚିମବଙ୍ଗ । ଲଢ଼େଇ ଭିତରେ ୨୦୧୮ ମସିହା ଫେବ୍ରୁଆରୀ ୨୩ରେ ‘ଓଡ଼ିଶା ରସଗୋଲା’କୁ ମିଳିଲା ଭୌଗୋଳିକ ସୂଚକ (ଜିଆଇ) । ମହାପ୍ରଭୁଙ୍କ ସହିତ ସମ୍ପର୍କ ଆଧାରରେ ନୀଳାଦ୍ରି ବିଜେ ଦିନ ଧୂମ୍ଧାମ୍ରେ ‘ରସଗୋଲା ଦିବସ’ ପାଳିଲୁ । ଏଭିତରେ ୮ ବର୍ଷ ବିତିଯାଇଥିଲେ ବି ରସଗୋଲାର ମୂଳ ଉତ୍ପତ୍ତିକୁ ନେଇ ବିବାଦର ଅନ୍ତ ଘଟିନି । ଏବେ ପୁଣି ଡର ଘାରିଛି, ରସଗୋଲା ଓଡ଼ିଶାର ହୋଇ ରହିବ ନା ବଙ୍ଗଳା ଅର୍ଥାତ୍ ପଶ୍ଚିମବଙ୍ଗ ହାତକୁ ଚାଲିଯିବ କାରଣ ଏ ଯାଏଁ ଏହାର ସମାଧାନ ହୋଇନି ।
ଆଜି ରସଗୋଲା ଦିବସ ପାଳନ ହେଉଥିବାବେଳେ ଏନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ରିଜିଓନାଲ ଡେଭଲପମେଣ୍ଟ ଟ୍ରଷ୍ଟର ସଂଯୋଜକ ପ୍ରଭାତ କୁମାର ଜେନା କହିଛନ୍ତି, ୨୦୧୮ ମସିହା ମାର୍ଚ୍ଚ ୧୪ ତାରିଖରୁ ଆଜି ପର୍ଯ୍ୟନ୍ତ ଲଢ଼େଇ ଚାଲିଛି । ଓଡ଼ିଶାର ଐତିହ୍ୟ, ପରମ୍ପରା, ସଂସ୍କୃତି ଓ ସ୍ୱାଭିମାନକୁ ନେଇ ‘ଓଡ଼ିଶା ରସଗୋଲା’ ଟ୍ୟାଗ୍ ମିଳିଲା । ଲୋକଙ୍କ ମନୋବଳ ବଢ଼ିଲା କିନ୍ତୁ ଦୁଇ ରାଜ୍ୟ ମଧ୍ୟରେ ବିବାଦ ତୁଟିଲାନି । ଗୋଟିଏ ଜିନିଷ ଉପରେ ୨ଟି ରାଜ୍ୟକୁ ଟ୍ୟାଗ୍ ମିଳିବା କେତେଦୂର ଯଥାର୍ଥ? ମହାପ୍ରଭୁ ଶ୍ରୀଜଗନ୍ନାଥ ଯେଉଁ ରସଗୋଲା ମହାଲକ୍ଷ୍ମୀଙ୍କୁ ଦେଇଥିଲେ ତାହା ଓଡ଼ିଶାର ନା’ ପଶ୍ଚିମବଙ୍ଗର? ରସଗୋଲାର ମୂଳ ଓଡ଼ିଶା ନା ପଶ୍ଚିମବଙ୍ଗ? ଏହି କେସ୍କୁ ପଶ୍ଚିମବଙ୍ଗ ସରକାର ନିଜେ ଲଢ଼ିବା ସହ ଏକ ସଙ୍ଗଠନ ଭାବେ ଓଡ଼ିଶାର ଅସ୍ମିତା ପାଇଁ ବର୍ତ୍ତମାନ ଏହି ଲଢ଼େଇ ମାଡ୍ରାସ ଉଚ୍ଚ ନ୍ୟାୟାଳୟରେ କେସ୍ ନଂ-ଜିଆଇ୫୩୩ରେ ବିଚାରାଧୀନ ଅଛି ଏବଂ ଶୁଣାଣି ଚାଲିଛି । ଏହାର ଶେଷ ଶୁଣାଣି ଆସନ୍ତା ଅଗଷ୍ଟ ୬ ତାରିଖରେ ଅଛି । ଏ ନେଇ ପ୍ରତି ୧୫ ଦିନରେ ଥରେ ଓଡ଼ିଶା ସରକାରଙ୍କ ପାଖକୁ ଚିଠି ଆସୁଛି କିନ୍ତୁ ସରକାର ଶୋଇଛନ୍ତି । ଏହି ବିଷୟ ଉପରେ ସଂସ୍କୃତି, ପର୍ଯ୍ୟଟନ, ଏମ୍ଏସ୍ଏମ୍ଇ ବିଭାଗ ଏବଂ ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ପରେ ବି ସମସ୍ତେ ଚୁପ୍ । ଏବେ ଶେଷ ସୁଯୋଗ । ଯଦି ସରକାର ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହସ୍ତକ୍ଷେପ କରି ରସଗୋଲା ଓଡ଼ିଶାର ବୋଲି ଦାବି ନରଖନ୍ତି, ତେବେ ଶେଷ ମଉକାରେ ଚଉକା ମାରିନେବ ବଙ୍ଗଳା । ଜଳକା ପରି ଆମେ କେବଳ ଜିଆଇ ପ୍ରମାଣପତ୍ର ଧରି ଖୁସି ହେଉଥିବା ।
ପ୍ରତି ଜିଆଇର ଅବଧି ୧୦ ବର୍ଷ । ୨ ବର୍ଷ ପରେ ୨୦୨୮ରେ ବି ଏହାର ଅବଧି ସରିଯିବ । ୨୦୧୫ ସେପ୍ଟେମ୍ବର ୧୮ରେ ଜିଆଇ ପାଇଥିବା ‘ବାଙ୍ଗଲାର ରସଗୋଲା’ର ଅବଧି ୨୦୨୫ରେ ସରିବାରୁ ସେମାନେ ଏବେ ପୁଣି ଆବେଦନ କରିଛନ୍ତି। ରିଜିଓନାଲ ଡେଭଲପମେଣ୍ଟ ଟ୍ରଷ୍ଟର ସଂଯୋଜକ ଶ୍ରୀ ଜେନା କହିଛନ୍ତି, ଓଡ଼ିଆ ଅସ୍ମିତାର ପ୍ରତୀକ ଓଡ଼ିଶାର ରସଗୋଲା ସାରା ବିଶ୍ୱରେ ପ୍ରସିଦ୍ଧ । ରସଗୋଲାର ପ୍ରତ୍ୟେକଟି ବିନ୍ଦୁ ଓଡ଼ିଶାର ଇତିହାସ ସହ ସଂଶ୍ଲିଷ୍ଟ । ନୀଳାଦ୍ରି ବିଜେ ବେଳେ ମହାପ୍ରଭୁ ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରନ୍ତି ବୋଲି ଏହାକୁ ଶ୍ରେଷ୍ଠ ଭୋଗ ଭାବରେ ବି ବିବେଚନା କରାଯାଏ । ପୁରାଣରେ ମଧ୍ୟ ରସଗୋଲାର ବର୍ଣ୍ଣନା ରହିଛି । ସାରଳା ମହାଭାରତ, ଦାଣ୍ଡି ରାମାୟଣ ଓ ମାଦଳା ପାଞ୍ଜିରେ ଦୀର୍ଘ ୮୦୦ ବର୍ଷ ତଳୁ ରସଗୋଲାର ଶ୍ରେଷ୍ଠତ୍ୱ ଉଲ୍ଲେଖ କରାଯାଇଛି । ଏତେସବୁ ପରେ କିଏ ରସଗୋଲାକୁ ତା’ର କହି ନେବାକୁ ଚେଷ୍ଟା କରିବ ଏବଂ ଆମେ ଶୋଇରହିଥିବା, ଏହା ହୋଇପାରିବନି । ଓଡ଼ିଆ ଅସ୍ମିତା ଓ ଓଡ଼ିଶାର ସ୍ୱାଭିମାନର ଏହି ଲଢ଼େଇରେ ରସଗୋଲାର ମୂଳତତ୍ତ୍ୱକୁ ଲୋକଲୋଚନକୁ ଆଣିବାକୁ ହେବ । ଓଡ଼ିଶା ସରକାର ପ୍ରସଙ୍ଗକୁ ଗମ୍ଭୀରତାର ସହ ନେବେ ବୋଲି ଶ୍ରୀ ଜେନା ଆଶାପ୍ରକାଶ କରିଛନ୍ତି । ଶ୍ରୀ ଜେନା କହିଛନ୍ତି, ମିଠା ବ୍ୟବସାୟୀଙ୍କ ଦୀର୍ଘ ଦିନ ଦାବି ପୂରଣ ମୁତାବକ ସରକାର ଚଳିତ ବର୍ଷ ଜୁନ୍ ୨୮ରେ ୧୭.୭ କୋଟି ଟଙ୍କାରେ ପାହାଳରେ ରସଗୋଲା କ୍ଲଷ୍ଟର୍ ଭିତ୍ତି ସ୍ଥାପନ କରିଛନ୍ତି । କିନ୍ତୁ ସେହି ଖୁସିକୁ ନିରନ୍ତର ରଖିବା ପାଇଁ ସରକାରଙ୍କୁ ଏହା ଉପରେ ଧ୍ୟାନ ଦେବାକୁ ହେବ ନ ହେଲେ ଏ ଖୁସି ମଧ୍ୟ ରହିବନି ।
ସୌଜନ୍ୟ ପ୍ରମେୟ




