Son evicts father : ଘରୁ ତଡ଼ିଦେଲେ ପୁଅବୋହୂ, ୧୫ ଦିନ ହେଲା ବସ୍ଷ୍ଟପ୍ରେ ବସି ଭାଗ୍ୟକୁ ନିନ୍ଦୁଛନ୍ତି ବୃଦ୍ଧ

ରାଉରକେଲା, ୨୭/୦୭ : ‘୨୨ ବର୍ଷର ଭେଣ୍ଡିଆ ପୁଅ ମରିଗଲା । ସ୍ତ୍ରୀ ବି ଅଧାରାସ୍ତାରେ ଏକା କରି ଛାଡ଼ି ଚାଲିଗଲା । ବଡ଼ପୁଅକୁ ଭରସା କରିଥିଲି । ସେ ବି ଧୋକା ଦେଲା । ବୁଢ଼ା ବୟସରେ କାମ କରିବାକୁ ବାଧ୍ୟ କଲା । କୁଲିମଜୁରି ଲାଗି ଯାହା ଆଣି ଦେଲି ଖର୍ଚ୍ଚ କଲା । ଏ ବୟସରେ ଆଉ କାମ କରିପାରୁନି ବୋଲି କହିବାରୁ ସ୍ତ୍ରୀ କଥାରେ ପଡ଼ି ଧକ୍କା ଦେଇ ଘରୁ ବିଦା କରିଦେଲା । ୧୫ଦିନ ହେଲା ବସ୍ଷ୍ଟପ୍ରେ ପଡ଼ିଛି । ଯିଏ ଯାହା ଦେଲା ଖାଇକରି ବଞ୍ଚିଛି । କେହି ଗାଡ଼ି ଖର୍ଚ୍ଚ ଦେଲେ ଗାଁକୁ ପଳାଇବି । ସେଠାରେ ଶୁଖିଶୁଖି ମରିଯିବି ପଛେ ଆଉ ପୁଅ-ବୋହୂର ମୁହଁ ଚାହିଁବିନି ।’
ଏହା କୌଣସି ସିନେମାର ସଂଳାପ ନୁହେଁ । ଏହା ହେଉଛି ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ କରୁଣ ବିଳାପ । ରାଉରକେଲା ଡିଏଭି ବସ୍ଷ୍ଟପ୍ରେ ଭାଗ୍ୟକୁ ବାହୁନି କାନ୍ଦୁଥିବା ଅବସ୍ଥାରେ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବୃଦ୍ଧ ଜଣକ । ପାଖକୁ ଯାଇ ପଚାରିବା ପରେ ସେ ବଖାଣିଥିଲେ ବେଦନାଭରା ଜୀବନଯନ୍ତ୍ରଣା । ପୁଅ-ବୋହୂଙ୍କ ନିର୍ଯାତନାର ଶିକାର ହୋଇଥିବା ବୃଦ୍ଧ ଜଣକ କାଳନ୍ଦୀ ଚରଣ ସେଠୀ । ଘର ପୁରୀ ଜିଲ୍ଲା ନିମାପଡ଼ାରେ । କାଳନ୍ଦୀଙ୍କ କହିବା କଥା, ରୋଜଗାର ତଲାସରେ ୪୦ ବର୍ଷ ତଳେ ସ୍ତ୍ରୀଙ୍କୁ ନେଇ ରାଉରକେଲା ଚାଲି ଆସିଥିଲେ । ପିଲାମାନଙ୍କୁ ମଣିଷ କରିବାକୁ ସ୍ୱପ୍ନ ଦେଖିଥିଲେ । ଶିଖିଥିବା ୱେଲଡିଂ କାମ କରି ଭଲ ରୋଜଗାର କରୁଥିଲେ । ଦୁଇପୁଅକୁ ମଣିଷ କଲେ । ଝିଅକୁ ବିବାହ ଦେଲେ । ହେଲେ ଦୁର୍ଭାଗ୍ୟ ପିଛା ଛାଡ଼ିଲାନି । ୨୨ ବର୍ଷର ଭେଣ୍ଡିଆ ସାନ ପୁଅ ମରିଗଲା । କିଛି ବର୍ଷ ଅନ୍ତରରେ ସ୍ତ୍ରୀ ବି ଚାଲିଗଲା ।
ବଡ଼ପୁଅ ଏକ ଘରୋଇ କମ୍ପାନିରେ କାମ କରୁଥିଲା । କିଛିମାସ ହେଲା ସେ କାମକୁ ଯାଉନାହିଁ । ଘରେ ବସିଛି । ନିଜେ ରୋଜଗାର କରିବା ବଦଳରେ ବୁଢ଼ା ବୟସରେ ରୋଜଗାର କରିବାକୁ ବାଧ୍ୟ କଲା । ଅନ୍ୟ ଉପାୟ ନ ଥିବାରୁ ମୂଲ ଲାଗିଲି । ସବୁଥର ରୋଜଗାର ଟଙ୍କା ପୁଅ ଛଡ଼ାଇ ନେଇଗଲା । ଘରେ ପହଞ୍ଚିବା ପରେ ବୋହୂ ପଇସା ମାଗିଲା । ଦେଇ ନ ପାରିବାରୁ ଅକଥନୀୟ ନିର୍ଯାତନା ଦେଲା । ଶେଷରେ ଘରୁ ତଡ଼ିଦେଲା । ୧୫ଦିନ ହେଲା ବସ୍ଷ୍ଟପ୍ରେ ମୁଣ୍ଡ ଗୁଞ୍ଜିଛି । ଗାଁକୁ ପଠାଇ ଦେବା ବ୍ୟବସ୍ଥା କରିବାକୁ ଅନେକଙ୍କୁ ନେହୁରା ହେଉଛି । ବସ୍ ଭଡ଼ା ଦେଲେ ଗାଁକୁ ପଳାଇବି ବୋଲି କାଳନ୍ଦୀ କୋହଭରା କଣ୍ଠରେ କହିଛନ୍ତି । ଅନ୍ୟପଟେ କାଳନ୍ଦୀଙ୍କ ବେଦନା ଶୁଣିବା ପରେ କେତେଜଣ ବଦାନ୍ୟ ବ୍ୟକ୍ତି ସହାୟତା ପାଇଁ ହାତ ବଢ଼ାଇଛନ୍ତି । ତାଙ୍କୁ ଗାଁକୁ ପଠାଇବା ବ୍ୟବସ୍ଥା କରୁଥିବା ଜଣାପଡ଼ିଛି ।
ସୌଜନ୍ୟ ପ୍ରମେୟ




