Ratha yatra: ବର୍ଷା ହେଲା ବାଧକ: ଆଜି ନନ୍ଦିଘୋଷ, ତାଳଧ୍ବଜର ଦକ୍ଷିଣ ମୋଡ଼
ନବଦିନାତ୍ମକ ଯାତ୍ରା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଜନ୍ମବେଦି ଲୀଳା ସାରି ରତ୍ନବେଦିକୁ ବାହୁଡ଼ିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ପ୍ରତ୍ୟାଗମନ ପାଇଁ ରଥ ଦକ୍ଷିଣାଭିମୁଖୀ ହୋଇଛି। ପରମ୍ପରା ମୁତାବକ, ହେରାପଞ୍ଚମୀ ପରଦିନ....

ପୁରୀ: ନବଦିନାତ୍ମକ ଯାତ୍ରା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଜନ୍ମବେଦି ଲୀଳା ସାରି ରତ୍ନବେଦିକୁ ବାହୁଡ଼ିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ପ୍ରତ୍ୟାଗମନ ପାଇଁ ରଥ ଦକ୍ଷିଣାଭିମୁଖୀ ହୋଇଛି। ପରମ୍ପରା ମୁତାବକ, ହେରାପଞ୍ଚମୀ ପରଦିନ, ଅର୍ଥାତ୍ ନବଦିନାତ୍ମକ ଯାତ୍ରାର ଷଷ୍ଠ ଦିନ ରଥର ଦକ୍ଷିଣ ମୋଡ଼ ଅନୁଷ୍ଠିତ ହେବାର ବିଧିକୁ ଅନୁସରଣ ପୂର୍ବକ ଆଜି ରଥ ନାକଚଣା ଦ୍ବାର ସମ୍ମୁଖ ଭାଗକୁ ନିଆଯାଇଛି। ତେବେ ନୀତି ବିଳମ୍ବର ପ୍ରଭାବ ପୁଣି ଦକ୍ଷିଣମୋଡ଼ ଉପରେ ପଡ଼ିଛି। ବିଳମ୍ବ ଏବଂ ମୂଷଳ ଧାରାରେ ବୃଷ୍ଟିପାତ ଯୋଗୁଁ କେବଳ ଦେବଦଳନ ରଥ ନାକଚଣା ଦ୍ବାର ସମ୍ମୁଖ ଶରଧାବାଲିରେ ପହଞ୍ଚିଛି। ତାଳଧ୍ବଜ ଅଳ୍ପ ବାଟ ଗଡ଼ି ଅଟକିଛି। ନନ୍ଦିଘୋଷ ରଥ ଆଦୌ ଗଡ଼ିପାରିନାହିଁ। ସନ୍ଧ୍ୟା ହୋଇଯିବାରୁ ଏବଂ ପ୍ରବଳ ବର୍ଷା ହେବାରୁ ନନ୍ଦିଘୋଷ ରଥଟଣା ହୋଇପାରିନାହିଁ। ଆଜି ରଥରେ ମହାପ୍ରଭୁ ନଥିଲେ କି ଘୋଡ଼ା ସଂଯୋଗ ହୋଇନଥିଲା। ମାତ୍ର ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ରଥକୁ ଦକ୍ଷିଣାଭିମୁଖୀ କରାଯାଇଥିଲା।
ମହାପ୍ରଭୁ ନାକଚଣା ଦ୍ବାର ବାଟେ ପହଣ୍ଡି ହୋଇ ରଥରେ ବିରାଜମାନ କରି ଶ୍ରୀମନ୍ଦିର ଅଭିମୁଖେ ବାହାରିବେ। ଜନ୍ମବେଦି ଲୀଳା ସାରି ପୁଣି ରତ୍ନବେଦି ଅଭିମୁଖେ ବାହୁଡ଼ିବେ। ଏନେଇ ସ୍ବତନ୍ତ୍ର ନୀତିକାନ୍ତି ସହ ରଥଟଣା ହେବା ପୂର୍ବରୁ ମହାପ୍ରଭୁଙ୍କ ଆଜ୍ଞା ସ୍ବରୂପ ଆଜ୍ଞାମାଳ ଆସିଥିଲା। ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ତିନି ଠାକୁରଙ୍କର ଆଜ୍ଞାମାଳକୁ ତିନିଜଣ ପାଳିଆ ପୂଜାପଣ୍ଡା ହସ୍ତରେ ଧାରଣ କରି ଘଣ୍ଟ, ଛତା ଓ କାହାଳୀ ସହ ତିନି ରଥକୁ ଆଜ୍ଞାମାଳ ଆଣି ପ୍ରଦାନ କରିଥିଲେ। ଅପରାହ୍ଣ ୨ଟାରେ ଆଜ୍ଞାମାଳ ବିଜେ ପରେ ରଥଟଣା ଆରମ୍ଭ ହୋଇ ଦକ୍ଷିଣ ମୋଡ଼ କରାଯାଇଥିଲା। ପୁଲିସ କର୍ମଚାରୀଙ୍କ ଦ୍ବାରା ଶ୍ରୀମନ୍ଦିରର ଅଧିକାରୀ, କର୍ମଚାରୀଙ୍କ ଉପସ୍ଥିତିରେ ଦକ୍ଷିଣମୋଡ଼ କରାଇଯାଇଥିଲା। ରଥରେ ଶ୍ରୀବିଗ୍ରହ ଅନୁପସ୍ଥିତ ରହୁଥିବାରୁ ଭକ୍ତମାନେ ରଥ ଟାଣିନଥିଲେ। ଅନ୍ୟପକ୍ଷରେ ଦକ୍ଷିଣ ମୋଡ଼ କରିବା ପାଇଁ ରଥକୁ ଆବଶ୍ୟକତା ଅନୁସାରେ ଆଗପଛ ହୋଇ ଟଣାଯାଉଥିବାରୁ ଏଥିରେ ଭକ୍ତମାନଙ୍କୁ ଜଡ଼ିତ କରାଯାଇନଥିଲା।
ସୌଜନ୍ୟ ସମ୍ବାଦ




