ରାଜ୍ୟ

SIR: ଆହୁରି ୧୨ଲକ୍ଷ ଭୋଟର କଟିବେ: ୪୬ଲକ୍ଷଙ୍କ ତଥ୍ୟ ମେଳ ଖାଉନି, ୫୮.୩୬ଲକ୍ଷ ଭୋଟରଙ୍କୁ ନୋଟିସ୍

ରାଜ୍ୟରେ ଏସ୍‌ଆଇଆର୍ ପ୍ରକ୍ରିୟା ଚାଲିଥିବାବେଳେ ଚିଠା ଭୋଟର ତାଲିକାରେ ୩,୧୩,୮୭,୦୩୪ ଜଣ ଭୋଟରଙ୍କ ନାମ ପ୍ରକାଶ ପାଇଥିଲା। ଏଥିରେ ୨୦,୧୨,୬୭୬ଜଣ ଭୋଟରଙ୍କ ନାମ କଟିଥିଲା।

ଭୁବନେଶ୍ବର: ରାଜ୍ୟରେ ଏସ୍‌ଆଇଆର୍ ପ୍ରକ୍ରିୟା ଚାଲିଥିବାବେଳେ ଚିଠା ଭୋଟର ତାଲିକାରେ ୩,୧୩,୮୭,୦୩୪ ଜଣ ଭୋଟରଙ୍କ ନାମ ପ୍ରକାଶ ପାଇଥିଲା। ଏଥିରେ ୨୦,୧୨,୬୭୬ଜଣ ଭୋଟରଙ୍କ ନାମ କଟିଥିଲା। ଏହାପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତି ପାଇଁ ‌ନାମ ଯୋଡ଼ିବା, କାଟିବା ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାରେ ଏବେ ଏମିତି ୫୮,୩୬,୩୪୧ଜଣ ଭୋଟରଙ୍କୁ ଚିହ୍ନଟ କରାଯାଇଛି, ଯେଉଁମାନଙ୍କର କୌଣସି ତଥ୍ୟ ୨୦୦୨ ମସିହାର ଭୋଟର ତାଲିକାରେ ଉପଲବ୍ଧ ତଥ୍ୟ ସହ ମେଳ ଖାଉନି କିମ୍ବା ପରିଗଣନା ସମୟରେ ସେମାନେ ଯେଉଁ ତଥ୍ୟ ଦେଇଥିଲେ ତାହା ସହ ସାମଞ୍ଜସ୍ୟ ନାହିଁ। ଆଶ୍ଚର୍ଯ୍ୟର ବିଷୟ‌ ଏଥିରୁ ପ୍ରାୟ ୧୨ଲକ୍ଷ ଭୋଟରଙ୍କର କୌଣସି ତଥ୍ୟ ନାହିଁ। ଅର୍ଥାତ୍ ନା ସେମାନେ ଓଡ଼ିଶାର ଭୋଟର ତାଲିକାରେ ଅଛନ୍ତି ନା ଅନ୍ୟ କୌଣସି ରାଜ୍ୟର ଭୋଟର ତାଲିକାରେ ଅଛନ୍ତି। ସେମାନଙ୍କ ନାମ ପ୍ରାୟତଃ ଭୋଟର ତାଲିକାରୁ କଟାଯିବ ବୋଲି ନିଷ୍ପତ୍ତି ହୋଇଛି। କିନ୍ତୁ ନିୟମ ଅନୁଯାୟୀ, ସେମାନଙ୍କ ପାଖରେ ଯଦି କୌଣସି ତଥ୍ୟ ପ୍ରମାଣ ଥିବ ତାହାକୁ ଇଆର୍‌ଓଙ୍କ ନିକଟରେ ଦାଖଲ କଲେ ବିଚାରକୁ ନିଆଯିବ। ବାକି ୪୬ଲକ୍ଷରୁ ଅଧିକ ଭୋଟରଙ୍କର ନାମଗତ, ପିତାଙ୍କ ନାମ, ବୟସ ସମ୍ପର୍କିତ କିଛି ତ୍ରୁଟି ଥିବାରୁ ସେମାନଙ୍କୁ ନୋଟିସ୍ କରାଯାଇଛି। ଏହି ୪୬ଲକ୍ଷ ଭୋଟରଙ୍କର ନାମ କଟିବା ସମ୍ଭାବନା କମ୍। କିନ୍ତୁ ସମସ୍ତ ତଥ୍ୟ ଦେବାକୁ ପଡ଼ିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌. ସନ୍ଥ ଗୋପାଳନ୍ କହିଛନ୍ତି।

ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗୋପାଳନ୍ କହିଛନ୍ତି ଯେ ଆମେ ସନ୍ଦେହ ଘେରରେ ଥିବା ୫୮,୩୬,୩୪୧ଜଣ ଭୋଟରଙ୍କୁ ଚିହ୍ନଟ କରି ନୋଟିସ୍‌ କରିବାକୁ ନିଷ୍ପତ୍ତି ନେଇଛୁ। ଏଥିରୁ ୫୭,୯୮,୮୮୯ଜଣ ଭୋଟରଙ୍କୁ ନୋଟିସ୍ ଜାରି କରାଯାଇଥିବାବେଳେ ୭,୯୩,୪୯୦ ଜଣ ଭୋଟରଙ୍କୁ ନୋଟିସ୍ ବିତରଣ କରାଯାଇଛି। ଏଥିରୁ ୧,୪୨,୧୧୧ ଭୋଟରଙ୍କର ଶୁଣାଣି ସରିଲାଣି। ବାକି ୫୦,୦୫,୩୯୯ଜଣ ଭୋଟରଙ୍କୁ ଖୁବ୍‌ଶୀଘ୍ର ବିତରଣ କରାଯିବ। ଯେଉଁମାନଙ୍କୁ ନୋଟିସ୍ କରାଯାଇଛି ସେମାନଙ୍କ ନାମ କଟିବ କି ରହିବ ସେନେଇ ଇଆର୍‌ଓମାନେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ତେଣୁ ୨୦୦୨ମସିହାରେ ଯେଉଁମାନଙ୍କର ନାମ ନଥିଲା ସେମାନେ ବ୍ୟକ୍ତିଗତ ଭାବେ ଇଆର୍‌ଓଙ୍କ ନିକଟରେ ହଜାର ହେବା ପରେ ସମସ୍ତ ଦିଗକୁ ବିଚାର କରି ସେ ନିଷ୍ପତ୍ତି ନେବେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button