ପୁରୀ: ରଥଖଳାରେ ରଥ ନିର୍ମାଣର ଆଜି ଥିଲା ତୃତୀୟ ଦିବସ। ଗତକାଲି ତିନିରଥର ଗୋଟିଏ ଲେଖାଏଁ ତୁମ୍ବ କାର୍ଯ୍ୟ ଶେଷ ହୋଇଥିଲା। ଆଜି ସୁଦ୍ଧା ୪୨ ଗୋଟି ତୁମ୍ବ ମଧ୍ୟରୁ ୨୧ଟି ତୁମ୍ବ ମାପ ପ୍ରକାରେ ଗଡ଼ କରି କରତି ସେବକମାନେ ତିନି ରଥଚାଳିକୁ ଯୋଗାଇ ଦେଇଛନ୍ତି। ପ୍ରତ୍ୟେକ ଚାଳିକୁ ୭ଟି ଲେଖାଏଁ ତୁମ୍ବ ଯୋଗାଇଛନ୍ତି। ଉକ୍ତ ତୁମ୍ବ ଗଡ଼ଗୁଡ଼ିକରୁ ତିନି ରଥ ମହାରଣା ସେବକମାନେ ଆଜି ସୁଦ୍ଧା ୧୦ଟି ତୁମ୍ବ ଗଡ଼କୁ ବାରିସିରେ ହାଣି ଗୋଲେଇ କାର୍ଯ୍ୟ ଶେଷ କରିଛନ୍ତି।
ତାଳଧ୍ବଜ ରଥ ଚାଳିକୁ ଯୋଗାଇ ଦିଆଯାଇଥିବା ମୋଟ ୭ଟି ତୁମ୍ବ ଗଡ଼ରୁ ନିର୍ମାଣକାରୀ ସେବକମାନେ ୪ଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ କରିଛନ୍ତି। ଆଉ ୩ଟି ତୁମ୍ବର ଗୋଲେଇ କାର୍ଯ୍ୟ ଜାରି ରଖିଛନ୍ତି। ଏଥିସହ ଆଜି ସୁଦ୍ଧା ଦେବୀ ରଥର ଚାଳିକୁ ଯୋଗାଇ ଦିଆଯାଇଥିବା ୭ଟି ତୁମ୍ବ ମଧ୍ୟରୁ ୩ ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ଦେବୀ ରଥ ମହାରଣା ସେବକମାନେ ଶେଷ କରି ଅନ୍ୟ ୪ଟି ତୁମ୍ବର ଗୋଲେଇ କାର୍ଯ୍ୟ ଜାରି ରଖିଛନ୍ତି। ନନ୍ଦିଘୋଷ ରଥ ଚାଳିକୁ ଯୋଗାଇ ଦିଆଯାଇଥିବା ୭ଟି ତୁମ୍ବ ଗଡ଼ ମଧ୍ୟରୁ ୩ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ ହୋଇଛି। ଆଉ ୪ଟି ତୁମ୍ବର ଗୋଲେଇ କାର୍ଯ୍ୟ ଜାରି ରହିଛି। ଦୋଳବେଦିସ୍ଥିତ ଅସ୍ଥାୟୀ କମାରଶାଳରେ ଗତକାଲି ଶାଳ ପୂଜା ହେବା ପରେ ଶୁଭ ଦେଇ ଅନୁକୂଳ ଅର କଣ୍ଟା ନିର୍ମାଣ ଆରମ୍ଭ ହୋଇଛି।
ଆଜି ୩ ରଥର ଅରକଣ୍ଟା ନିର୍ମାଣ ପାଇଁ ୧୦ ଏମ୍ଏମ୍ ସାଇଜ୍ର ଲୁହା ରଡ୍ କଟିଂ କାର୍ଯ୍ୟ ତିନି ରଥର ଓଝା ସେବକମାନେ ଜାରି ରଖିଛନ୍ତି। ଏହାବ୍ୟତୀତ ଅର କଣ୍ଟା ନିର୍ମାଣ ଆରମ୍ଭ ହୋଇଛି। ଆଜି ତିନିରଥ ପାଇଁ ୨୫ ମହାରଣା ସେବକ, ୪ କରତୀ ସେବକ, ୬ କମାର ସେବକ, ୧୪ ଭୋଇ ସେବକ, ଜଣେ ରଥଖଳା ସହାୟକ ସମେତ ମୋଟ ୫୦ ଜଣ ସେବା ଯୋଗାଇ ଦେଇଛନ୍ତି।
ସୌଜନ୍ୟ ସମ୍ବାଦ

