ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କର ରତ୍ନଭଣ୍ଡାରରୁ ଅଳଙ୍କାର ଗଣତିମଣତି ଆରମ୍ଭ ହେବ। ଏଥି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗଣତିମଣତି ପାଇଁ ମାହେନ୍ଦ୍ର ବେଳା ଧାର୍ଯ୍ୟ ହୋଇଛି ମଧ୍ୟାହ୍ନ ୧୨ଟା ୯ ରୁ ୧ଟା ୪୫। ଏହି ଗଣତିମଣତି ପାଇଁ ଗଠିତ ଦୁଇଟି କମିଟି ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଓ ରତ୍ନ ଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ। ଏଥିରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ଗଣତିର ଭିଡିଓଗ୍ରାଫି, ଫଟୋଗ୍ରାଫି, ଓ ୩ଡି ମ୍ୟାପିଂ ହେବ। ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର ଗଣତିମଣତି ହେବ। ୧୯୭୮ ମସିହାର ଗଣତିମଣତି ପୂର୍ଣ୍ଣାଙ୍ଗ ତାଲିକା ରହିଛି। ଏହି ତାଲିକା ସହ ମେଳକ ହେବ। ସ୍ୱର୍ଣ୍ଣ ଅଳଙ୍କାର ହଳଦିଆ ରଙ୍ଗର ଭେଲଭେଟ୍ କପଡ଼ାରେ ଗୁଡ଼ାଯାଇ ଟିଣ ବାକ୍ସରେ ରଖାଯିବ। ପରେ ତାକୁ ସିନ୍ଦୁକରେ ରଖାଯିବ। ରୌପ୍ୟ ଅଳଙ୍କାର ଧଳା ବା ସିଲଭର ରଙ୍ଗ କପଡ଼ାରେ ଗୁଡ଼ା ଯାଇ ରଖାଯିବ। ଅନ୍ୟାନ୍ୟ ଅଳଙ୍କାର ଲାଲ ରଙ୍ଗ ଭେଲଭେଟ କନାରେ ଗୁଡ଼ାଯାଇ ରଖାଯିବ। ତେବେ ବିଶେଷ ଦିନ, ପର୍ବପର୍ବାଣି, ଶନିବାର ଓ ରବିବାର ଗଣତିମଣତି ହେବନାହିଁ। ଗଣତିମଣତି ଦିନ ଭକ୍ତମାନେ ବାହାରକାଠରୁ ଦର୍ଶନ କରିବେ।
ମେଳକ ଓ ଗଣତି ସହ ଓଜନ ମଧ୍ୟ ହେବ। ହେଲେ ଅଳଙ୍କାରର ମୂଲ୍ୟାୟନ ହେବନାହିଁ। ୧୯୭୮ ମସିହାରେ ୭୨ ଦିନ ଗଣତିମଣତି ହୋଇଥିଲା। କିନ୍ତୁ ଏଥର ସମ୍ପୂର୍ଣ୍ଣ ଗଣତିମଣତି କେବେ ସରିବ, କହିହେବ ନାହିଁ। ସୁପରଭାଇଜିଂ ଟିମ୍ ଓ ହାଣ୍ଡେଲିଂ ଟିମ୍, ଉଭୟ ଟିମ୍ର ସମସ୍ତ ସଦସ୍ୟ ଓ ଗଣତିରେ ଉପସ୍ଥିତ ରହିବାକୁ ଥିବା ସମସ୍ତ ବ୍ୟକ୍ତି ପାରମ୍ପରିକ ବସ୍ତ୍ର ପରିଧାନ କରିବେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁପରଭାଇଜିଂ ଟିମ୍ର ଅଧ୍ୟକ୍ଷ ରହିଥିବା ବେଳେ ରତ୍ନଭଣ୍ଡାର ତଦାରଖ କମିଟିର ଦୁଇ ଜଣ ଏଥିରେ ସଦସ୍ୟ ଓ ଜଣେ ସେବାୟତ ସଦସ୍ୟ ରହିଛନ୍ତି। ହ୍ୟାଣ୍ଡଲିଂ ଟିମ୍ରେ ଶ୍ରୀମନ୍ଦିର ପରିଚାଳନା କମିଟିର ଜଣେ ସଦସ୍ୟ, ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଢ଼ଉକରଣ, ଦେଉଳକରଣ, ଶ୍ରୀମନ୍ଦିର ବଣିଆ ସେବକ, ଦୁଇ ଜଣ ସ୍ୱର୍ଣ୍ଣକାର, ଦୁଇ ଜଣ ରତ୍ନବିଜ୍ଞାନୀ ଓ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜଣେ ଅଧିକାରୀ ଉପସ୍ଥିତ ରହିବେ ବୋଲି ନିଷ୍ପତ୍ତି ହୋଇଛି।
ଗଣତିମଣତି ସାରିବା ପାଇଁ ହାଇକୋର୍ଟ ୩ ମାସ ସମୟ ଦେବା ପରେ ଏହି କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ୨୫ ତାରିଖ ଦିନ ଟ୍ରେଜେରିରୁ ଚାବି ଆସିବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଖୋଲାଯିବ ଏବଂ ବନ୍ଦ କରାଯିବ। ସମସ୍ତ ପ୍ରକ୍ରିୟାକୁ ସ୍ୱଚ୍ଛତାର ସହ କରାଯିବ ବୋଲି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି।
ସୌଜନ୍ୟ ସମ୍ବାଦ
