ରାଜ୍ୟ

Rayagada Migrant Worker Dies ଆନ୍ଧ୍ରପ୍ରଦେଶରେ କାଶୀପୁରର ଜଣେ ଶ୍ରମିକ ମୃତ, ମାସକମଧ୍ୟରେ ତିନି ଶ୍ରମିକଙ୍କ ମୃତ୍ୟୁ

ରାୟଗଡ଼ା ଜିଲ୍ଲା କାଶୀପୁରର ଦାଦନ ଶ୍ରମିକ ପାଇକ ମାଝୀଙ୍କ ଆନ୍ଧ୍ରପ୍ରଦେଶରେ ମୃତ୍ୟୁ। କେମିକାଲ୍ କାରଖାନାରେ କାମ ବେଳେ ରସାୟନ ସଂସ୍ପର୍ଶରେ ଆସିଥିବା ଅଭିଯୋଗ। ମାସକରେ ୩ ଓ ଚଳିତ ବର୍ଷ ୧୧ ଦାଦନ ଶ୍ରମିକଙ୍କ ମୃତ୍ୟୁ।

କାଶୀପୁର(ରତ୍ନାକର ନାୟକ): ଆନ୍ଧ୍ରପ୍ରଦେଶରେ ଶ୍ରମିକ ଭାବେ କାର୍ଯ୍ୟକରୁଥିବା ରାୟଗଡ଼ାଜିଲ୍ଲା କାଶୀପୁର ବ୍ଲକ୍‌ର ଜଣେ ଦାଦନ ଶ୍ରମିକ ପାଇକ ମାଝୀ(୩୫)ଙ୍କ ମୃତ୍ୟୁ ଘଟିଛି। ଏହା ସହ ଗତ ମାସକ ମଧ୍ୟରେ ବ୍ଲକର ତିନିଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି।

ପାଇକଙ୍କ ବୁଧବାରରେ ଆନ୍ଧ୍ରପ୍ରଦେଶରେ ମୃତ୍ୟୁ ଘଟିଥିଲା। ଆଜି (ଗୁରୁବାର) ସକାଳେ ଶ୍ରମିକଙ୍କ ମୃତଦେହ ଶିରିପାଇ ପଞ୍ଚାୟତ  ଲେଲିଗୁମା ଗ୍ରାମରେ ପହଞ୍ଚିଥିଲା।  ଶୋକକୁଳ ପରିବେଶରେ ଅନ୍ତିମ ସଂସ୍କାର କରାଯାଇଛି ।ମିଳିଥିବା ସୂଚନାରେ, ଲେଲିଗୁମା ଗ୍ରାମର ପାଇକ ମାଝୀ ଆନ୍ଧ୍ରପ୍ରଦେଶର ଏକ ରସାୟନିକ ସାମଗ୍ରୀ କାରଖାନାରେ କାମ କରୁଥିଲେ । ଗତ ବୁଧବାରରେ କାରଖାନାରେ କାମକରୁଥିବା ବେଳେ କେମିକାଲ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇ ଥିବାର ଜଣାଯାଇଛି। କାର୍ଯ୍ୟ କ୍ଷେତ୍ରରେ ଶ୍ରମିକଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆ ଯାଉ ନଥିବାରୁ ପାଇକଙ୍କ ମୃତ୍ୟୁ ଘଟିଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ମୃତକଙ୍କ ପରିବାରରେ ପତ୍ନୀ ଏବଂ ଚାରୋଟି ସନ୍ତାନ ଅଛନ୍ତି। ସେମାନେ ନିହାତି ଗରିବ ପରିବାର ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।
ସୂଚନାଯୋଗ୍ୟ, ଗତ ଏକ ମାସ ମଧ୍ୟରେ କାଶୀପୁର ବ୍ଲକର ତିନି ଶ୍ରମିକଙ୍କ ବିଭିନ୍ନ କାରଣରୁ ତାମିଲନାଡୁ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟରେ ମୃତ୍ୟୁ ହୋଇଛି।ସେହିପରି ଚଳିତ ବର୍ଷ ଜାନୁୟାରୀପହିଲା ଠାରୁ ବର୍ତ୍ତମାନ ସୁଦ୍ଧା କାଶୀପୁର ବ୍ଲକର ଏଗାର ଜଣ ଦାଦନ ଶ୍ରମିକଙ୍କ ରାଜ୍ୟ ବାହାରେ ମୃତ୍ୟୁ ହୋଇଥିବାର ଜଣା ପଡ଼ିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button