Republic Day: ଗଣତନ୍ତ୍ର ଦିବସରେ ‘ଜିନ୍ନା ଅମର ରହେ’ ଶ୍ଲୋଗାନ ଦେଇ ଶିକ୍ଷକ ଗିରଫ

ଜଣେ ଶିକ୍ଷକ ’ଜିନ୍ନା ଅମର ରହେ’ ବୋଲି ଶ୍ଲୋଗାନ ଦେଇଛନ୍ତି। ସୁପୌଲ ଜିଲ୍ଲା କିଶନପୁର ଉପଖଣ୍ଡ ଅଭୁବାର ଉଚ୍ଚ ବିଦ୍ୟାଳୟରେ ଏହି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି

ପାଟନା: ୭୭ତମ ଗଣତନ୍ତ୍ର ଦିବସ ଅବସରରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ଆଜି ଏକ ବିଦ୍ୟାଳୟରେ ଏଠାକାର ଜଣେ ଶିକ୍ଷକ ’ଜିନ୍ନା ଅମର ରହେ’ ବୋଲି ଶ୍ଲୋଗାନ ଦେଇଛନ୍ତି। ସୁପୌଲ ଜିଲ୍ଲା କିଶନପୁର ଉପଖଣ୍ଡ ଅଭୁବାର ଉଚ୍ଚ ବିଦ୍ୟାଳୟରେ ଏହି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ଏହି କାରଣରୁ ସଂପୃକ୍ତ ଶିକ୍ଷକଙ୍କୁ ପୁଲିସ ହାତରେ ଗିରଫ ହେବାକୁ ପଡ଼ିଛି। ଅଭିଯୁକ୍ତ ଶିକ୍ଷକ ହେଲେ ମହମ୍ମଦ ମନସୁର ଆଲମ।

ପୁଲିସ କହିଛି ଯେ, କିଶନପୁର ଉପଖଣ୍ଡ ଅଭୁବାର ଉଚ୍ଚ ବିଦ୍ୟାଳୟରେ ଆଜି ୭୭ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଜାତୀୟ ସଂଗୀତ ଗାନ କରାଯାଇଥିଲା। ଏହା ପରେ ଶିକ୍ଷକ ମନସୁର ଆଲମଙ୍କୁ ଶ୍ଲୋଗାନ ଦେବା ‌ପାଇଁ ପୂର୍ବରୁ କୁହାଯାଇଥିଲା। ସମାରୋହରେ ଶିକ୍ଷକ ମନସୁର ଆଲମଙ୍କ ଦ୍ବାରା ଦିଆଯାଇଥିବା ଶ୍ଲୋଗାନ ଯୋଗୁଁ ଅନ୍ୟ ଶିକ୍ଷକ, ଛାତ୍ର ଏବଂ ଅଭିଭାବକ ନିରବ ରହିଯାଇଥିଲେ। ଉପସ୍ଥିତ କିଛି ଲୋକ ତୁରନ୍ତ ଏହାକୁ ରେକର୍ଡିଂ କରିଥିଲେ ଏବଂ ଅନ୍ୟମାନେ ଅଭିଯୋଗ ଆଣିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଏହି ଘଟଣାକୁ ଗୁରୁତ୍ବ ମନେ କରି ତୁରନ୍ତ ସ୍ଥାନୀୟ କିଶନପୁର ଥାନାରେ ଏତଲା ଦେଇଥିଲେ। ପ୍ରଧାନଶିକ୍ଷକ କହିଛନ୍ତି ଯେ, ଏଭଳି ଶିକ୍ଷକଙ୍କ ଦ୍ବାରା ଛାତ୍ରଛାତ୍ରୀମାନେ ଅନୁଶାସନ ବ୍ୟବସ୍ଥାରେ ପ୍ରଭାବିତ ହେବେ। ଏତଦ୍‌ ବ୍ୟତୀତ ଦେଶର ଗାରିମା ମଧ୍ୟ ଆଘାତ ପାଇବ।

ପୁଲିସ ତ୍ବରିତ କାର୍ଯ୍ୟାନୁଷ୍ଠାନ ନେଇ ଶିକ୍ଷକ ମହମ୍ମଦ ମନସୁର ଆଲମଙ୍କୁ ଗିରଫ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ସଂପୃକ୍ତ ଶିକ୍ଷକ ଅନାବଶ୍ୟକ ଶ୍ଲୋଗାନ ଦେଇଥିଲେ। ତେବେ ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଏହି ଘଟଣା ନେଇ ବିଦ୍ୟାଳୟ ଏବଂ ଆଖପାଖ ଅଞ୍ଚଳରେ ଚର୍ଚ୍ଚା ଧରିଛି।

ସୌଜନ୍ୟ ସମ୍ବାଦ

Exit mobile version