Resignation: ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ରବନୀତି ସିଂହ ବିଟ୍ଟୁ: ରାଷ୍ଟ୍ରପତିଙ୍କ ଦ୍ବାରା ଇସ୍ତଫା ଗୃହୀତ
ପଞ୍ଜାବ ବିଜେପି ନେତା ରବନୀତ ସିଂହ ବିଟ୍ଟୁ ଶୁକ୍ରବାର କେନ୍ଦ୍ର ରେଳ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ବୋଲି ଶୁକ୍ରବାର ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।

ନୂଆଦିଲ୍ଲୀ: ପଞ୍ଜାବ ବିଜେପି ନେତା ରବନୀତ ସିଂହ ବିଟ୍ଟୁ ଶୁକ୍ରବାର କେନ୍ଦ୍ର ରେଳ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ବୋଲି ଶୁକ୍ରବାର ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି। ୨୦୨୪ ମସିହାରୁ କେନ୍ଦ୍ରମନ୍ତ୍ରୀ ପରିଷଦରେ ସାମିଲ ହୋଇଥିବା ବିଟ୍ଟୁ ପଞ୍ଜାବରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବାକୁ ଇସ୍ତଫା ଦେଇଥିବା ଜଣାପଡ଼ିଛି।
ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବିୟନ୍ତ ସିଂହଙ୍କ ନାତି ରବନୀତ ବିଟ୍ଟୁ ୨୦୨୪ରେ ବିଜେପିରେ ଯୋଗ ଦେଇଥିଲେ। ସେହିବର୍ଷ ସେ ଲୋକସଭା ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ପରେ ରାଜସ୍ଥାନରୁ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ ହୋଇଥିଲେ। ବିଟ୍ଟୁ ଗୁରୁବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ଚିଠି ଲେଖି ରାଜ୍ୟରେ ବିଳମ୍ବିତ ହେଉଥିବା ଗୁରୁତ୍ୱପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପ ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ତାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। କେନ୍ଦ୍ରମନ୍ତ୍ରୀ କହିଥିଲେ, ସଠିକ୍ ସମୟରେ ପ୍ରକଳ୍ପ ଶେଷ ହେବା ପଞ୍ଜାବର ଅର୍ଥନୈତିକ ଓ ଶିଳ୍ପ ବିକାଶ ତଥା ଯାତ୍ରୀ ଓ ମାଲ ପରିବହନ ପାଇଁ ଗୁରୁତ୍ବପୂର୍ଣ୍ଣ।
ସୌଜନ୍ୟ ସମ୍ବାଦ




