Risk of eye infections: ବର୍ଷାଋତୁରେ ଆଖି ସଂକ୍ରମଣର ବିପଦ
ବର୍ଷାଋତୁ ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତି ଦେଇଥାଏ। ତେବେ ଏଥିସହିତ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ନେଇ ଆସିଥାଏ। ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଆଖି ସଂକ୍ରମଣ। ଏହି ଋତୁରେ ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି, ଜଳ ଉତ୍ସ...

ବର୍ଷାଋତୁ ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତି ଦେଇଥାଏ। ତେବେ ଏଥିସହିତ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ନେଇ ଆସିଥାଏ। ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଆଖି ସଂକ୍ରମଣ। ଏହି ଋତୁରେ ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି, ଜଳ ଉତ୍ସ ଦୂଷିତ ହେବା ଏବଂ ବାହ୍ୟ ବାତାବରଣ ଅପରିଚ୍ଛନ୍ନ ହେବା ଆଶଙ୍କା ବୃଦ୍ଧି ପାଇଥାଏ। ଏହିସବୁ କାରଣ ହେତୁ ଆଖିରେ ସଂକ୍ରମଣର ବିପଦ ବହୁ ମାତ୍ରାରେ ବଢ଼ି ଯାଇଥାଏ। ଯଦି ଏଥିପ୍ରତି ତୁରନ୍ତ ଧ୍ୟାନ ଦିଆ ନ ଯାଏ, ତେବେ ସମସ୍ୟା ଗମ୍ଭୀର ହୋଇପାରେ।
ଏକ ରିପୋର୍ଟ ଅନୁଯାୟୀ, ବର୍ଷା ପାଣି ସିଧାସଳଖ ଆଖିରେ ସଂକ୍ରମଣ ଘଟାଇ ନଥାଏ। କିନ୍ତୁ ଏହି ଋତୁରେ ବ୍ୟାକ୍ଟେରିଆ ଓ ଭାଇରସ୍ ଦ୍ବାରା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିଥାଏ। ଜନଗହଳିପୂର୍ଣ୍ଣ ସ୍ଥାନକୁ ଯିବା, ଅପରିଷ୍କାର ହାତରେ ଆଖିକୁ ଛୁଇଁବା, ସଂକ୍ରମିତ ବ୍ୟକ୍ତିଙ୍କର ଟାୱେଲ୍ କିମ୍ବା ରୁମାଲ୍ ବ୍ୟବହାର ଫଳରେ ଚକ୍ଷୁ ସଂକ୍ରମଣ ହୋଇଥାଏ। ଯଦି ଆପଣ କଣ୍ଟାକ୍ଟ୍ ଲେନ୍ସ ପିନ୍ଧୁଛନ୍ତି, ତେବେ ତାକୁ ଠିକ୍ ଭାବେ ସଫା ନକଲେ ମଧ୍ୟ ସଂକ୍ରମଣର ବିପଦ ବଢ଼ିଥାଏ। ଆଖି ଲାଲ ପଡ଼ିଯିବା, କ୍ରମାଗତ ପାଣି ବାହାରିବା, କୁଣ୍ଡାଇ ହେବା କିମ୍ବା ଜଳାପୋଡ଼ା ଅନୁଭବ ହେବା, ଆଖିରୁ ହଳଦିଆ-ଧଳା ମଇଳା ବାହାରିବା ଆଦି ସଂକ୍ରମଣର ଲକ୍ଷଣ।
ବର୍ଷାଦିନେ ଅନେକ ସମୟରେ ଆଲର୍ଜି, ଧୂଳି, ପ୍ରଦୂଷଣ କିମ୍ବା ଦୀର୍ଘ ସମୟ ଧରି ସ୍କ୍ରିନ୍ ଦେଖିବା କାରଣରୁ ମଧ୍ୟ ଆଖି ଲାଲ୍ ହୋଇପାରେ। ଏଣୁ ପ୍ରତ୍ୟେକ ଲାଲ୍ ଆଖିକୁ ସଂକ୍ରମଣ ବୋଲି ଭାବି ନିଜ ଆଡୁ ଆଣ୍ଟିବାୟୋଟିକ୍ ଆଇ ଡ୍ରପ୍ ପକାଇବା ଠିକ୍ ନୁହେଁ। ଯଦି ଯନ୍ତ୍ରଣା ଅଧିକ ହୁଏ, ଦୃଷ୍ଟିଶକ୍ତି ଅସ୍ପଷ୍ଟ ହେବାକୁ ଲାଗେ କିମ୍ବା ଆଲୋକରେ ଆଖି ଟାଣେ, ତେବେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଘରର କୌଣସି ସଦସ୍ୟଙ୍କର କଞ୍ଜକ୍ଟିଭାଇଟିସ୍ କିମ୍ବା ଆଖିର ଭାଇରାଲ୍ ସଂକ୍ରମଣ ହୋଇଥିଲେ, ଏହା ସହଜରେ ଅନ୍ୟମାନଙ୍କୁ ବ୍ୟାପିପାରେ। ସମାନ ଟାୱେଲ୍, ତକିଆ, ରୁମାଲ୍, ଆଇ ଡ୍ରପ୍, ମେକ୍ଅପ୍ କିମ୍ବା ଚଷମାକୁ ଏକାଧିକ ବ୍ୟକ୍ତି ବ୍ୟବହାର କରିବା ଦ୍ୱାରା ସଂକ୍ରମଣ ବ୍ୟାପିବା ଆଶଙ୍କା ବଢ଼ି ଯାଇଥାଏ। ଏଣୁ ସଂକ୍ରମିତ ବ୍ୟକ୍ତିଙ୍କର ବ୍ୟକ୍ତିଗତ ଜିନିଷଗୁଡ଼ିକୁ ଅଲଗା ରଖିବା ଦରକାର, ଯେଭଳି ସେଗୁଡ଼ିକୁ ଅନ୍ୟ ସୁସ୍ଥ ଲୋକ ବ୍ୟବହାର ନ କରନ୍ତି।
ସୌଜନ୍ୟ ସମ୍ବାଦ




