ବିଶ୍ରାମଘାଟ
ଉତ୍ତରପ୍ରଦେଶର ମଥୁରାନଗରୀ ନିକଟରେ ପ୍ରବାହିତ ଯମୁନା ନଦୀ ତୀରରେ ଥିବା ପଚିଶଗୋଟି ଘାଟ ମଧ୍ୟରୁ ବିଶ୍ରାମଘାଟ ମୁଖ୍ୟ। ଏହି ଘାଟର ପବିତ୍ରତା ତଥା ପୌରାଣିକ ମାହାତ୍ମ୍ୟ ସୁଦୂରପ୍ରସାରୀ। କଂସ ଓ ତାର ଅନୁଚର ରାକ୍ଷସମାନଙ୍କର ଅତ୍ୟାଚାରରେ ନିପୀଡ଼ିତ ହୋଇ ମାତା ବସୁନ୍ଧରା ଗାଭୀରୂପ ଧାରଣ କରି ଯେତେବେଳେ ଦେବତାମାନଙ୍କୁ ଗୁହାରି କଲେ, ତାଙ୍କର ବିକଳ ସହ୍ୟ କରି ନ ପାରି ଦେବତାମାନେ ଯାଇ ବିଷ୍ଣୁଙ୍କ ପାଖରେ ପହଞ୍ଚିଲେ। ବିଷ୍ଣୁ ବସୁନ୍ଧରାଙ୍କର ଦୁଃଖ ଦୂର କରିବାପାଇଁ ପ୍ରତିଶ୍ରୁତି ଦେଇ ଦେବତାମାନଙ୍କୁ ବିଦାୟ ଦେଲେ।
ପରେ ଭଗବାନ ବିଷ୍ଣୁ କୃଷ୍ଣରୂପ ଧାରଣ କରି ଧରାବତରଣ କଲେ। କଂସ ଯେତେବେଳେ ଜାଣିଲା, ଶ୍ରୀକୃଷ୍ଣ ଦେବକୀଙ୍କର ଅଷ୍ଟମ ଗର୍ଭର ସନ୍ତାନ, ସେ ବାଳୁତ କାଳରୁ କୃଷ୍ଣଙ୍କୁ ମାରିବାପାଇଁ ପୁତନାଠାରୁ ଆରମ୍ଭ କରି ଅଘାସୁର, ବକାସୁର, ଶକଟାସୁର, ପ୍ରଳମ୍ବାସୁର ପର୍ଯ୍ୟନ୍ତ ଅନେକ ରାକ୍ଷସଙ୍କୁ ପଠାଇଲା। କିନ୍ତୁ କୃଷ୍ଣଙ୍କ ହାତରେ ସେମାନେ ନିହତ ହେଲେ। ଶେଷରେ କୌଣସି ଉପାୟ ନ ପାଇ କଂସ ଧନୁଯାତ୍ରା ଆଳରେ ରାମ ଓ କୃଷ୍ଣଙ୍କୁ ମଥୁରା ନିମନ୍ତ୍ରଣ କରି ଆଣିଲା। ମଥୁରାରେ ମଧ୍ୟ କୃଷ୍ଣ କଂସର ମଲ୍ଲମାନଙ୍କ ସହିତ ଯୁଦ୍ଧ କରି ସେମାନଙ୍କୁ ବଧ କଲେ। ପରିଶେଷରେ ଶ୍ରୀକୃଷ୍ଣ କଂସକୁ ନିହତ କଲେ।
ଅସୁରମାନଙ୍କ ସହିତ ଯୁଦ୍ଧ କରି କରି ଶ୍ରୀକୃଷ୍ଣ କ୍ଳାନ୍ତ ହୋଇ ପଡ଼ିଥିଲେ। ତେଣୁ ନିଜର ପ୍ରିୟ ଯମୁନା ତୀରକୁ ଯାଇ, ସେଠାରେ ସ୍ନାନ କରି, ସେ କିଛି ସମୟ ବିଶ୍ରାମ ନେଲେ। ପରବର୍ତ୍ତୀ କାଳରେ ଏହି ସ୍ନାନଘାଟ ବିଶ୍ରାମଘାଟ ନାମରେ ବିଖ୍ୟାତ ହେଲା। ଏହି ଘାଟ ସଂପର୍କରେ ‘ବରାହପୁରାଣ’ରେ ବର୍ଣ୍ଣିତ ଅଛି। ଆଦିବରାହ ରସାତଳରୁ ପୃଥ୍ବୀକୁ ଉଦ୍ଧାର କରି ଆଣିବା ପରେ ଏଠାରେ ବିଶ୍ରାମ ନେଇଥିଲେ। ଅନ୍ୟ ଏକ କିଂବଦନ୍ତି ଅନୁସାରେ- ଶ୍ରୀରାମଚନ୍ଦ୍ରଙ୍କର କନିଷ୍ଠ ଭ୍ରାତା ଶତ୍ରୁଘ୍ନ ଲବଣାସୁରକୁ ବଧ କଲାପରେ ଏହିଠାରେ ବିଶ୍ରାମ ନେଇଥିଲେ। ଏହିପରି ଅନେକ କଂବଦନ୍ତି ସହିତ ଜଡ଼ିତ ହୋଇ ବିଶ୍ରାମଘାଟ ମଥୁରାର ଏକ ପ୍ରମୁଖ ଘାଟ ଭାବରେ ପରିଚିତ ହୋଇଛି। ଯେଉଁମାନେ ବ୍ରଜମଣ୍ଡଳ ପରିକ୍ରମା କରନ୍ତି ସେମାନେ ଏହିଠାରୁ ଯାତ୍ରା ଆରମ୍ଭ କରି ପୁଣି ଏହିଠାରେ ପରିକ୍ରମା ଶେଷ କରିଥାନ୍ତି।
ଶ୍ରୀକୃଷ୍ଣଙ୍କର ପଦରଜ ଏଠାରେ ପଡ଼ିଥିବାରୁ ଏହାକୁ ଅତ୍ୟନ୍ତ ପବିତ୍ର ମନେକରି ଭକ୍ତମାନେ ଏଠାରେ ସ୍ନାନ କରନ୍ତି।
ଏହି ଘାଟରେ ଭ୍ରାତୃଦ୍ବିତୀୟା ପର୍ବ ମହାସମାରୋହରେ ପାଳିତ ହୋଇଥାଏ। ଭାଇମାନଙ୍କ ସହିତ ଭଉଣୀମାନେ ଏହି ଘାଟକୁ ଆସି ପବିତ୍ର ସ୍ନାନ କଲା ପରେ, ଯମୁନା ମହାରାଣୀଙ୍କୁ ଦର୍ଶନ କରିଥାନ୍ତି। ବ୍ରତକଥା ଅନୁସାରେ- ଦେବୀ ଯମୁନା ନିଜ ଭାଇଙ୍କଠାରୁ ବରଦାନ ପାଇଥିଲେ ଯେ ଏହି ଘାଟରେ ସ୍ନାନ କରି ଯେଉଁ ଭଉଣୀ ଯମୁନାଙ୍କୁ ଦର୍ଶନ କରିବ, ତା’ର ଭାଇକୁ ଯମଲୋକ ଯିବାକୁ ପଡ଼ିବ ନାହିଁ। ଏହି ଘାଟ ମଥୁରାର ୨୫ଟି ଘାଟ ମଧ୍ୟରୁ ସର୍ବଶ୍ରେଷ୍ଠ ତଥା କେନ୍ଦ୍ରୀୟ ଘାଟ। ଏଠାର ସକାଳ ଓ ସଂଧ୍ୟା ଆଳତି ଅତ୍ୟନ୍ତ ମନୋମୁଗ୍ଧକର। ସଂଧ୍ୟାକାଳରେ ଯମୁନା ଆଳତି ସମୟରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପାନପତ୍ରରେ ତେଲ ସଳିତା ଜାଳି ଯମୁନାର ସ୍ରୋତରେ ଭସାଇଥାଆନ୍ତି। ଏହି ଦୃଶ୍ୟ ଯେପରି ହୃଦ୍ୟ ସେହିପରି ଅଲୌକିକ। ଏହି ସମୟରେ ସମଗ୍ର ଯମୁନାର ଜଳ ଦୀପମାଳାରେ ଭୂଷିତ ହୋଇ ଏକ ଅନବଦ୍ୟ ଚିତ୍ର ପ୍ରକଟ କରେ।
ସୌଜନ୍ୟ ସମ୍ବାଦ

