ନବରଙ୍ଗପୁର (ସୁରେଶ ନାଇଡୁ): ପୌରପାଳିକା ପକ୍ଷରୁ କୋଟିଏ ୩୭ ଲକ୍ଷର ୩ଟି ରାସ୍ତା ଓ ଗୋଟିଏ ଜଳାଶୟର ପୁନଃରୁଦ୍ଧାର ପାଇଁ ଟେଣ୍ଡର ଆହ୍ବାନ କରିଥିଲେ। ଏଥିରେ ଜଣେ ବି ଠିକାଦାର ଭାଗ ନେଇନଥିବା କହିଛନ୍ତି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ଅଶୋକ କୁମାର କର୍ଣ୍ଣ। ବାରମ୍ବାର ବିଭିନ୍ନ ବୈଠକରେ ଦାବି ହୋଇ ଆସୁଥିବା ସହରର ଗୁରୁତ୍ବପୂର୍ଣ୍ଣ ରାସ୍ତା ମୀରାଅଟୋଛକରୁ ଦଶହରାପଦା ରାସ୍ତାର ପୁନଃରୁଦ୍ଧାର ଓ ପ୍ରଶସ୍ତିକରଣ ପାଇଁ ୫୬ଲକ୍ଷର ବିଡିଂ ପାଇଁ ଆହ୍ବନ୍ କରାଯାଇଥିଲା। ଦ୍ବିତୀୟ ରାସ୍ତାଟି ଗୋରାମୁଣ୍ଡା ପୋଖରୀର ସିନେମାହଲ୍ ଛକରୁ ସାପ୍ତାହିକ ହାଟ (ପେରଣ୍ଟସ୍ ପ୍ରାଇଡ୍ ସ୍କୁଲ) ଯିବାକୁ ଥିବା ରାସ୍ତା ପର୍ଯ୍ୟନ୍ତ ୨୮ଲକ୍ଷରେ ବିଡିଂ ଆହ୍ବାନ କରାଯାଇଥିଲା। ତୃତୀୟ ରାସ୍ତାଟି ହେଉଛି କେଜେ ରାଓଙ୍କ ଘର ଠାରୁ ଆଗକୁ ଯାଇଥିବା ସିମେଣ୍ଟ କଂକ୍ରିଟ ରୋଡ(ଏମସିସି ଆରଏଫ୍ ) ରୋଡରେ ପିଚୁ ଡାଲି ପୁନଃରୁଦ୍ଧାର ପାଇଁ ୨୦ଲକ୍ଷରେ ବିଡିଂ ହୋଇଥିଲା। ଏଥିରେ ବି କେହି ଭାଗ ନେଇନାହନ୍ତି।
ଏହି ରାସ୍ତାଟି ଗତ ୨୦୦୭-୦୮ଆର୍ଥିକ ବର୍ଷରେ ନିର୍ମାଣ ହୋଇଥିଲା। ଦୀର୍ଘ ୧୮ବର୍ଷ ହେବ ଏହି ଏମସିସି ଆରଏଫ୍ ରୋଡର ପୁନଃରୁଦ୍ଧାର ହୋଇନଥିଲା। ସେହିପରି ଜିଲ୍ଲା ଜଳବିଭାଜିକା କାର୍ଯ୍ୟାଳୟ ପାର୍ଶ୍ବରେ ଥିବା ଜଳାଶୟକୁ ୩୩ଲକ୍ଷରେ ପୁନଃରୁଦ୍ଧାର କରିବାକୁ ବିଡିଂ କରାଯାଇଥିଲା। ଏହାର ମଧ୍ୟ କେହି ଠିକାଦାର ବିଡିଂ ପକାଇ ନାହାନ୍ତି। ନୂଆସରକାର ଆସିବା ପରେ ଠିକାଦାର ମାନେ ବିଡିଂ କରିବା ସମୟରେ ବିଭିନ୍ନ କାଗଜପତ୍ର ସହ ନିଜ ନିକଟରେ ଥିବା ଯନ୍ତ୍ରାଂଶର କାଗଜପତ୍ର ସହ ଫଟୋ ଅପଲୋଡ କରିବାକୁ ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି।
ତେବେ ଅଧିକାଂଶ ଠିକାଦାର ଯଦିଓ ସେମାନଙ୍କ ନିକଟରେ ଲାଇସେନସ୍ ଥିଲେ ହେଁ ବୈଷୟିକ ଯନ୍ତ୍ରାଂଶ ନାହିଁ। ଭଡ଼ା ସୁତ୍ରରେ ଆଣି ଏମାନେ କାମ କରୁଛନ୍ତି। ଜଣେ ଦାଖଲ କରିଥିବା କାଗଜପତ୍ର ଅନ୍ୟ ଜଣେ ଦାଖଲ କଲେ ଦୁଇ ଜଣ ଜାକର ବିଡିଂ ନାକଚ ହେବ ଏବଂ ଏଭଳି ବାରମ୍ବାର କଲେ ଠିକାଦାର ବି ବ୍ଲାକ୍ ଲିଷ୍ଟେଡ ହେବାର ସମ୍ଭାବନା ରହିଛି। ଲାଇସେନସ୍ ଓ ବୈଷୟିକ ଯନ୍ତ୍ରାଂଶ ଆଦି ନିଜ ନାଁରେ ରହିଥିବା ଠିକାଦାର ବିଡିଂ କରି ପାଇଲେ ଅନ୍ୟ ଠିକାଦାର ମାନେ ସବଲିଜ୍ ରେ କାମ ନେଇ କରୁଥିବା କିଛି ଠିକାଦାର କହିଛନ୍ତି। ତେବେ ସରକାରୀ ମାର୍ଗଦର୍ଶିକାକୁ ପରିବର୍ତ୍ତନ କରିବା ସମ୍ଭବ ପର ନୁହେଁ। ତେଣୁ ପୁଣି ଥରେ ଟେଣ୍ଡର ଆହ୍ବାନ କରାଯିବ ବୋଲି କହିଛନ୍ତି ନିର୍ବାହୀ ଅଧିକାରୀ। ଏହା ସହ ପ୍ରତାପ ସାଗର, ନୂଆବନ୍ଦସାହି ଆଦିର ଡିପିଆର ପ୍ରସ୍ତୁତ ଚାଳିଛି। ତାହା ଆସିବା ପରେ ସରକାରଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯିବ ବୋଲି କହିଛନ୍ତି ନିର୍ବାହୀ ଅଧିକାରୀ। ଅପରପରେ ଦିନକୁ ୪୦ରୁ ୫୦ଟି ଆମ୍ବୁଲାନସ୍ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଯାଉଥିବା ମୀରା ଅଟୋଛକରୁ ଦଶହରାପଦା ରାସ୍ତା ପୁଣି ଲଟକି ଗଲା।
ସୌଜନ୍ୟ ସମ୍ବାଦ
