Robbery Attempt: ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଡ଼ମାଳ- ଟିଟିଲାଗଡ଼ ରାସ୍ତାରେ ବନ୍ଧୁକ ଦେଖାଇ ଡକାୟତି ଉଦ୍ୟମ ବିଫଳ, ଥାନାରେ ଏତଲା
ଟିଟିଲାଗଡ଼ ଥାନା ଅନ୍ତର୍ଗତ ବାଞ୍ଜିଝାଲ ଗାଁ ନିକଟ ଜଙ୍ଗଲରେ ସଶସ୍ତ୍ର ଡକାୟତି ଉଦ୍ୟମ ହୋଇଥିବା ଟିଟିଲାଗଡ଼ ଥାନାରେ ଅଭିଯୋଗ ହୋଇଛି। ହାତରେ ପିସ୍ତଲ ଧରି ଡ୍ରାଇଭର ଓ ଅନ୍ୟମାନଙ୍କୁ ଗାଳି ଗୁଲଜ କରିବା ସହିତ ପାଖରେ ଥିବା ସମସ୍ତ ଟଙ୍କା ଓ ସୁନା ଅଳଙ୍କାର ଦେବାକୁ କହିଥିଲେ।

ସଇଁତଳା: ଗତକାଲି ରାତି ପ୍ରାୟ ୯:୪୦ ମିନିଟ ସମୟରେ ଟିଟିଲାଗଡ଼ ଥାନା ଅନ୍ତର୍ଗତ ବାଞ୍ଜିଝାଲ ଗାଁ ନିକଟ ଜଙ୍ଗଲରେ ସଶସ୍ତ୍ରଡକାୟତି ଉଦ୍ୟମ ହୋଇଥିବା ଟିଟିଲାଗଡ଼ ଥାନାରେଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଟିଟିଲାଗଡ଼ ଉପଖଣ୍ଡ ସିନ୍ଧେକେଲା ଗାଁରୁ ସରଜୁ କୁମ୍ଭାର ଓ ସ୍ତ୍ରୀ ଶାନ୍ତିଲତା ବରଗଡ଼ ଏକ ଦଶାହ କାମରେ ଯୋଗ ଦେବାକୁ ଯାଇଥିଲେ ଓ ବରଗଡ଼ରୁ ରାତିରେ ଫେରୁଥିବା ସମୟରେ ବାଞ୍ଜିଝାଲ ଗାଁ ନିକଟ ଜଙ୍ଗଲରେ ରାସ୍ତା ଉପରେ ଗଛ ପଡିଥିବା ଦେଖିବାକୁ ପାଇଥିଲେ। ରାସ୍ତାରେ ଗଛ ପଡିଥିବାରୁ ଗାଡ଼ି ଅଟକାଇ ପରିସ୍ଥିତି ଦେଖିବା ପୂର୍ବରୁ ଜଙ୍ଗଲ ଭିତରୁ ପ୍ରାୟ ୧୦/୧୫ ଜଣ ଯୁବକ ବାହାରି ଗାଡ଼ି ଉପରକୁ ଅତର୍କିତ ଆକ୍ରମଣ କରିଥିଲେ।
ଯୁବକମାନେ ଠେଙ୍ଗାରେ ଆକ୍ରମଣ କରି ଗାଡ଼ିର କାଚ ଭାଙ୍ଗିବା ସହିତ ପଥର ମାଡ଼ ମଧ୍ୟ କରିଥିଲେ। ୨ ଜଣ ଯୁବକ ହାତରେ ପିସ୍ତଲ ଧରି ଡ୍ରାଇଭର ଓ ଅନ୍ୟମାନଙ୍କୁ ଗାଳି ଗୁଲଜ କରିବା ସହିତ ପାଖରେ ଥିବା ସମସ୍ତ ଟଙ୍କା ଓ ସୁନା ଅଳଙ୍କାର ଦେବାକୁ କହିଥିଲେ। ଡକାୟତମାନଙ୍କ ଅତର୍କିତ ଆକ୍ରମଣ ଓ ପିସ୍ତଲ ଦେଖି ସମସ୍ତେ ଭୟଭୀତ ହୋଇ ଯାଇଥିବା ବେଳେ ଡ୍ରାଇଭରଙ୍କର ଉପସ୍ଥିତ ବୁଦ୍ଧି ଯୋଗୁ ଡକାୟତି ଉଦ୍ୟମ ବିଫଳ ହୋଇ ଯାଇଛି।
ଟିଟିଲାଗଡ଼ ପୁଲିସ୍ ର ତଦନ୍ତ ଜାରି
ଡକାୟତମାନେ ଗାଳି ଗୁଲଜ କରିବା ସମୟରେ ଓ ଆକ୍ରମଣ କରିବା ସମୟରେ ଡ୍ରାଇଭର ଗାଡ଼ିକୁ ସାମାନ୍ୟ ପଛକୁ ନେଇ ପୁଣି ତୀବ୍ର ବେଗ ବଢାଇ ଫେରାର ମାରିଥିଲେ । ଏନେଇ ଦମ୍ପତି ଓ ଡ୍ରାଇଭର ଟିଟିଲାଗଡ଼ ଆସି ଥାନାରେ ଏତଲା ଦେଇଥିଲେ। ଟିଟିଲାଗଡ଼ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ସୌଜନ୍ୟ ସମ୍ବାଦ




