Site icon Swayam News

RTO brokers: ପୁଣି ସକ୍ରିୟ ଆର୍‌ଟିଓ ଦଲାଲ ୯ ଜଣଙ୍କୁ ବାନ୍ଧିଲା ପୁଲିସ

ଭୁବନେଶ୍ବର: ନିଜକୁ ଆର୍‌ଟିଓ କର୍ମଚାରୀ ବୋଲି ପରିଚୟ ଦେଉଥିଲେ। ଆଉ କମ୍‌ ସମୟରେ ଶସ୍ତାରେ ଲାଇସେନ୍ସ କରାଇ ଦେବାକୁ କହି ଲୁଟୁଥିଲେ। ରାଜଧାନୀରେ ସକ୍ରିୟ ଥିବା ଏଭଳି ଏକ ଆର୍‌ଟିଓ ଦଲାଲ ରୢାକେଟ୍‌କୁ ଠାବ କରିଛି ସହିଦନଗର ଥାନା ପୁଲିସ। ରୢାକେଟ୍‌ର ୯ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ମହାରାଜା ବସ୍ତିର ବିପିନ ନାୟକ(୩୦), ସବ୍ୟସାଚୀ ଖଣ୍ଡୁଆଳ(୨୨), ସିତୁନ୍‌ ମହାନ୍ତି(୨୫), ସୋନୁ ବାରିକ(୨୨), ବିଶ୍ବରଂଜନ ବାରିକ(୩୫), ବିକ୍ରମ ମହାରଣା(୩୬), ନିରଂଜନ ଖଟୁଆ(୪୨), ଶୁକବିହାର ବସ୍ତିର ଜୀବନ ଦାସ(୨୩) ଓ ସୁକାନ୍ତ ବାରିକ ଓରଫ ସୁକା(୩୩)। ପୁଲିସ ସେମାନଙ୍କ ନିକଟରୁ ୯ଟି ଲ୍ୟାପଟପ୍‌, ୨ଟି ପ୍ରିଣ୍ଟର ଓ ୫ ହଜାର ଟଙ୍କା ଜବତ କରିଛି।

ସୂଚନା ମୁତାବକ, ଦୀର୍ଘଦିନ ହେବ ଏହି ରୢାକେଟ୍‌ ଆର୍‌ଟିଓ-୧ ନିକଟରେ ଜଗି ରହି ଲୋକଙ୍କୁ ଭ୍ରମିତ କରୁଥିଲେ। ଲୋକମାନେ ଆର୍‌ଟିଓ କାର୍ଯ୍ୟାଳୟ ଭିତରକୁ ଯିବା ପୂର୍ବରୁ ସେମାନଙ୍କୁ ଡାକିନେଇ ନିଜକୁ ଆର୍‌ଟିଓ କର୍ମଚାରୀ ବୋଲି ପରିଚୟ ଦେଉଥିଲେ। ଶସ୍ତାରେ ଓ କମ୍‌ ସମୟରେ ଲାଇସେନ୍ସ କରାଇ ଦେବାକୁ ପ୍ରତିଶ୍ରୁତି ଦେଇ ତଥ୍ୟ ହାତାଉଥିଲେ। ଲାଇସେନ୍ସ ବାବଦକୁ ଜଣଙ୍କ ପିଛା ୫ ହଜାର ଟଙ୍କା ନେଉଥିଲେ। ସେମିତି ନବୀକରଣ, ଏନଓସି, ମାଲିକାନା ହସ୍ତାନ୍ତର, ପଞ୍ଜୀକରଣ, ଫିଟନେସ୍ ସାର୍ଟିଫିକେଟ୍ ଓ ବୀମା ସହ ସମ୍ପର୍କିତ କାମ ପାଇଁ ଜନସାଧାରଣଙ୍କଠାରୁ ଅବୈଧ ଟଙ୍କା ଆଦାୟ କରୁଥିଲେ। ଅନେକ ସମୟରେ ଲୋକଙ୍କ ଠାରୁ ଅଧିକ ଟଙ୍କା ନେଇ ଆଉ ଫେରସ୍ତ କରୁନଥିଲେ। ଆର୍‌ଟିଓ ସମ୍ମୁଖରେ ଏଭଳି ଦଲାଲ୍‌ ସକ୍ରିୟ ଥିବା ନେଇ ସହିଦନଗର ଥାନା ପୁଲିସ ଜାଣିବା ପରେ ଆଜି ସକାଳୁ ୨ଟି ଟିମ୍‌ ସେଠାରେ ଚଢ଼ଉ କରିଥିଲା। ପୁଲିସ ଚଢ଼ଉ ଦେଖି ଦଲାଲ୍‌ମାନେ ଛତ୍ରଭଙ୍ଗ ଦେଇଥିଲେ। ହେଲେ ପୁଲିସ ୯ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା। ଅନ୍ୟମାନେ ଖସିପଳାଇଥିଲେ। ଏନେଇ ସହିଦନଗର ଥାନା ପୁଲିସ ଏକ ମାମଲା ରୁଜୁକରି ୯ଜଣଙ୍କୁ କୋର୍ଟ ଚାଲାଣ କରିଛି। ରୢ‌ାକେଟ୍‌ରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଗିରଫ ପାଇଁ ପୁଲିସ ‌ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି।

ସୌଜନ୍ୟ – ସମ୍ବାଦ

Exit mobile version