School Problem: ୧୫୪ ବର୍ଷର ବିଦ୍ୟାଳୟର ବିକଳ ଚିତ୍ର: ବିପଦ ଭିତରେ ଭବିଷ୍ୟତର ସ୍ବପ୍ନ ଦେଖୁଛନ୍ତି କୁନି କୁନି ପିଲା

ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ପ୍ରାଥମିକ ଶିକ୍ଷା ରସାତଳଗାମୀ ହେବାରେ ଲାଗିଛି।ରାଜ୍ୟ ସରକାରଙ୍କ ସର୍ବଶିକ୍ଷା ଅଭିଯାନର ନାରା ସଭିଏଁ ପଢିବେ ସଭିଏଁ ବଢ଼ିବେ ନାରା ବର୍ତ୍ତମାନ ନାରାରେ ଥିବା ଭଳି ମନେ ହେଉଛି |

ଘୁ.ଉଦୟଗିରି: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ପ୍ରାଥମିକ ଶିକ୍ଷା ରସାତଳଗାମୀ ହେବାରେ ଲାଗିଛି।ରାଜ୍ୟ ସରକାରଙ୍କ ସର୍ବଶିକ୍ଷା ଅଭିଯାନର ନାରା ସଭିଏଁ ପଢିବେ ସଭିଏଁ ବଢ଼ିବେ ନାରା ବର୍ତ୍ତମାନ ନାରାରେ ଥିବା ଭଳି ମନେ ହେଉଛି | କାରଣ ଅଞ୍ଚଳବାସୀଙ୍କ ପ୍ରଶ୍ନ ସମସ୍ତେ କିଭଳି ପଢିବେ କିଭଳି ବଢ଼ିବେ। ବିଦ୍ୟାଳୟରେ ପିଲା ଅଛନ୍ତି ପାଠ ପଢେଇବାକୁ ଶିକ୍ଷକ ନାହାନ୍ତି,ଶ୍ରେଣୀ ଗୃହର ଅଭାବ ପୁଣି ବିପଦସଂକୁଳ ଶ୍ରେଣୀ ଗୃହରେ ପିଲା ପାଠ ପଢି ବଢିବା ସ୍ୱପ୍ନକୁ ନେଇ ସନ୍ଧିହାନ    ଘୁ.ଉଦୟଗିରି ବ୍ଲକ କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ କୂର୍ମୀଙ୍ଗିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ । କୁରୁମିଙ୍ଗିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ ଦେଖିଲେ ଶିକ୍ଷା ବ୍ୟବସ୍ଥାର ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶ୍ରେଣୀକକ୍ଷ ମଧ୍ୟରେ ଛାତ୍ରଛାତ୍ରୀମାନେ ପଢ଼ୁଥିବାବେଳେ ଶିକ୍ଷକ ଅଭାବ ଯୋଗୁଁ ଶିକ୍ଷା ପ୍ରଦାନ ମଧ୍ୟ ବାଧାପ୍ରାପ୍ତ ହେଉଥିବା ଦେଖାଯାଇଛି।

ସୂଚନା ଅନୁସାରେ, ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୮ଗୋଟି ଶ୍ରେଣୀରେ ମୋଟ ୫୦ ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ସେମାନଙ୍କ ମଧ୍ୟରୁ ୨୫ ଜଣ ପୁଅ ଓ ୨୫ ଜଣ ଝିଅ ଅଛନ୍ତି। ଏତେ ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ପାଇଁ ବିଦ୍ୟାଳୟରେ କେବଳ ୪ ଜଣ ଶିକ୍ଷକ ରହିଥିବାରୁ ପାଠପଢ଼ା ବ୍ୟବସ୍ଥା ଗଭୀର ସମସ୍ୟାରେ ପଡ଼ିଛି। ଏହା ସହିତ ବିଦ୍ୟାଳୟରେ ମୋଟ ୫ଟି ଶ୍ରେଣୀ କକ୍ଷ ଥିବାବେଳେ ୨ଟି କକ୍ଷର ଅବସ୍ଥା ଶୋଚନୀୟ ଓ ବିପଦସଙ୍କୁଳ ହୋଇପଡ଼ିଛି।୮ଗୋଟି ଶ୍ରେଣୀରେ ପିଲା ପାଠ ପଢୁଛନ୍ତି ହେଲେ ନା ଶ୍ରେଣୀ ଗୃହ ଅଛି ନା ଶିକ୍ଷକ ଅଛନ୍ତି। ଗୋଟିଏ ଶ୍ରେଣୀ ଗୃହରେ ଦୁଇ ଦୁଇଟି କ୍ଲାସ ପିଲା ବସି ପାଠ ପଢ଼ନ୍ତି। ହେଲେ ପ୍ରକୃତରେ କଣ ଏମିତି ପାଠ ପଢା ହୋଇପାରିବ ଗୋଟିଏ କକ୍ଷରେ ଦୁଇଟି ଶ୍ରେଣୀର ପିଲା ବସି କଣ ପଢିବେ। ଏହିଭଳି ବ୍ୟବସ୍ଥାରେ ଚାଲିଛି ଅଞ୍ଚଳର ଶିକ୍ଷା ବ୍ୟବସ୍ଥା। ଶ୍ରେଣୀକକ୍ଷର କାନ୍ଥରେ ଗଭୀର ଫାଟ ପଡ଼ିଥିବା ବେଳେ କେତେବେଳେ ଭାଙ୍ଗି ପଡ଼ିବ ତାହା କହିବା କଷ୍ଟକର।

ଟିଣ ମଧ୍ୟ ଅନେକ ସ୍ଥାନରେ ଭାଙ୍ଗି ଯାଇ କଣା ହୋଇପଡ଼ିଛି। ଏଭଳି ବିପଦ ପୂର୍ଣ୍ଣ ପରିସ୍ଥିତି ମଧ୍ୟରେ ଶିକ୍ଷକ ଶିକ୍ଷୟତ୍ରୀମାନେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାକୁ ବାଧ୍ୟ ହେଉଛନ୍ତି। ଏହା ନେଇ ଅଭିଭାବକ ଓ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ମଧ୍ୟ ଚିନ୍ତା ପ୍ରକାଶ ପାଇଛି। ଅନ୍ୟପଟେ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ରହିଥିବାରୁ ବର୍ତ୍ତମାନ ଜଣେ ଶିକ୍ଷୟତ୍ରୀ ଦାୟିତ୍ୱ ନେଇ ବିଦ୍ୟାଳୟ ପରିଚାଳନା କରୁଛନ୍ତି। ପୂର୍ବରୁ ଯେଉଁ ପ୍ରଧାନ ଶିକ୍ଷକ ଥିଲେ ସେ ବର୍ତ୍ତମାନ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ବଦଳି ହୋଇଯାଇଥିବାରୁ ବିଦ୍ୟାଳୟରେ ପ୍ରଶାସନିକ ସମସ୍ୟା ମଧ୍ୟ ଦେଖାଦେଇଛି। ଏହି ପରିସ୍ଥିତିରେ ଛାତ୍ରଛାତ୍ରୀମାନେ ପୂର୍ବତନ ପ୍ରଧାନ ଶିକ୍ଷକଙ୍କୁ ପୁନର୍ବାର ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ଦାବି କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ପୂର୍ବରୁ ସେହି ଶିକ୍ଷକ ଥିବା ସମୟରେ ପାଠପଢ଼ା ବ୍ୟବସ୍ଥା ଭଲ ଭାବେ ଚାଲୁଥିଲା ଓ ସେ ବହୁତ୍ ଭଲ ଭାବରେ ପାଠ ପଢ଼ାଉଥିଲେ।

ଏହା ସହିତ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶ୍ରେଣୀକକ୍ଷଗୁଡ଼ିକୁ ତୁରନ୍ତ ମରାମତି କରିବା ସହ ଆବଶ୍ୟକ ଅନୁଯାୟୀ ଶିକ୍ଷକ ନିଯୁକ୍ତି କରାଯାଇ ସମସ୍ତ ଶ୍ରେଣୀ ପାଇଁ ସୁଚାରୁ ଶିକ୍ଷା ବ୍ୟବସ୍ଥା କରାଯାଉ ବୋଲି ବିଦ୍ୟାଳୟ ପକ୍ଷରୁ ଓ ଅଭିଭାବକ ମହଳରୁ ଦାବି ହେଉଛି। ଯଦି ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ନାହିଁ, ତେବେ ଛାତ୍ରଛାତ୍ରୀଙ୍କ ଜୀବନ ସହିତ ଶିକ୍ଷା ଭବିଷ୍ୟତ ମଧ୍ୟ ବିପଦରେ ପଡ଼ିବାର ଆଶଙ୍କା କରାଯାଉଛି।

 

ସୌଜନ୍ୟ ସମ୍ବାଦ

Exit mobile version