ଚନ୍ଦ୍ରଶେଖରପୁର: ଅଖିଳ ଭାରତୀୟ ବରିଷ୍ଠ ନାଗରିକ ମହାସଂଘର ୨୩ତମ ଜାତୀୟ ସମ୍ମିଳନୀ ଚନ୍ଦ୍ରଶେଖରପୁର ରେଳ ଅଡିଟୋରିୟମ୍ରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ଭାରତର ବରିଷ୍ଠଙ୍କ ସଂଖ୍ୟା ବୃଦ୍ଧି ଏବଂ ସମସ୍ୟା ସମାଧାନ ପାଇଁ ସାମୂହିକ ମୁକାବିଲାର ଆହ୍ୱାନ’ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ବିଭିନ୍ନ ରାଜ୍ୟରୁ ୨ ହଜାରରୁ ଅଧିକ ପ୍ରତିନିଧି ଏବଂ ନେପାଳରୁ ଶ୍ରୀମତୀ ସାରଦା ଚନ୍ଦଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ।
ସଭାପତି ଏମ୍ କେ ରୈନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଅଧ୍ୟକ୍ଷ ଟିପି ଆର ଉନି, ମହାସଚିବ ଶ୍ରୀହରି ସିଦ୍ଧାୟେ, ପରାମର୍ଶଦାତା ଭୱଁର ସେଠ, କୃପାସିନ୍ଧୁ ସାହୁଙ୍କ ସହିତ ମହାସଂଘର ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ସାଂସଦ ଡ଼ା. ସମ୍ବିତ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହିତ ଜ୍ୟେଷ୍ଠ ନାଗରିକଙ୍କ ପାଇଁ ସରକାରଙ୍କ ପ୍ରୟାସ ଓ ଯୋଜନା ବିଷୟରେ ଆଲୋଚନା କରିଥିଲେ। ପଦ୍ମଚରଣ ନାୟକ ଓ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ନିର୍ଦ୍ଦେଶକ ଡା. ପ୍ରଭାତ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଡା. ପି କେ ଦାସଙ୍କ ସ୍ବାଗତ ଅଭିଭାଷଣ ପରେ ମହାସଂଘର ମହାସଚିବ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ପରବର୍ତ୍ତୀ କାର୍ଯ୍ୟକ୍ରମରେ ଜଗଦାନନ୍ଦ, ହନିଫା ରାଉଥର, ଆଡ୍ଭୋକେଟ୍ ବିଭୁ ପ୍ରସାଦ ତ୍ରିପାଠୀ, ଭଗବନ୍ତ କୌର, ୟମ୍ଲା ସାହୁ ଓ ଭାରତୀ ଚକ୍ର ଅତିଥି ଭାବେ ଯୋଗଦେଇ ଭାରତର ବରିଷ୍ଠଙ୍କ ଜନସଂଖ୍ୟା ବୃଦ୍ଧି, ସେମାନଙ୍କ ଆଇନଗତ ଅଧିକାର, ମହିଳା ସଶକ୍ତୀକରଣ ଆଇନ, ସାଇବର ସୁରକ୍ଷା, ଆର୍ଥିକ ସୁରକ୍ଷା, ସ୍ୱାସ୍ଥ୍ୟ ସମସ୍ୟା ଓ କ୍ୟାନ୍ସର ପ୍ରତିରୋଧ ଆଦି ବିଷୟରେ ଆଲୋଚନା କରିଥିଲେ।
ସୌଜନ୍ୟ ସମ୍ବାଦ
