Singer Usha Uthup: ମମତାଙ୍କୁ କଟାକ୍ଷ: ଚର୍ଚ୍ଚାରେ ଗାୟିକା ଉଷା ଉଥୁପ୍‌

କୋଲକାତା: ଏକ ଭାଇରାଲ୍‌ ଭିଡିଓକୁ ନେଇ ବରିଷ୍ଠ ଗାୟିକା ଉଷା ଉଥୁପ୍‌, ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ସେ “ଦିଦି” ନାମକ ଏକ ବଙ୍ଗଳା ଗୀତ ଗାଉଥିବା ଦେଖିବାକୁ ମିଳିଛି। ଯେଉଁଥିରେ କିଛି ୟୁଜର୍‌ ଦାବି କରିଥିଲେ ଯେ,ଏହି ଗୀତରେ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରୋକ୍ଷ ଭାବେ କଟାକ୍ଷ କରିଛନ୍ତି।
ଭିଡିଓଟି ଭାଇରାଲ୍‌ ହେବା ପରେ ସୋସିଆଲ୍‌ ମିଡିଆରେ ବିଭିନ୍ନ ପ୍ରକାରର ଅଭିଯୋଗ ଆସିଥିଲା। ଜଣେ ୟୁଜର୍‌ ଦାବି କରିଥିଲେ ଯେ, “ଦିଦି” ଗୀତ ଗାଇ ଉଷା ଉଥୁପ୍‌ ମମତା ବାନାର୍ଜୀଙ୍କ ବିରୋଧରେ କଟାକ୍ଷ କରିଛନ୍ତି। ସେହି ପୋଷ୍ଟରେ ଏହା ମଧ୍ୟ କୁହାଯାଇଥିଲା ଯେ ଟିଏମସି ଶାସନକାଳରେ ତାଙ୍କ ଶୋ’ ପାଇଁ କମିଶନ ଚାହିଁବାରୁ ସେ ଅସନ୍ତୁଷ୍ଟ ହୋଇ କୋଲକାତା ଛାଡିଥିଲେ।

“ଦିଦି”ଏକ ପୁରୁଣା ବଙ୍ଗଳା ଗୀତ

ଏହି ବିବାଦ ବଢ଼ିବା ପରେ ଉଷା ଉଥୁପ୍‌ ନିଜେ ଆଗକୁ ଆସି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି କହିଛନ୍ତି ଯେ ଭାଇରାଲ୍‌ ପୋଷ୍ଟରେ ଥିବା ଅନେକ ତଥ୍ୟ ଭୁଲ୍‌ ଅଟେ । “ଦିଦି” ଏକ ପୁରୁଣା ବଙ୍ଗଳା ଗୀତ, ଯାହା ବର୍ଷ ପୂର୍ବରୁ ଲେଖାଯାଇଥିଲା। ସେ ଦୁଇ ଦଶକରୁ ଅଧିକ ସମୟ ଧରି ନିଜ ଲାଇଭ୍‌ ଶୋ’ରେ ଏହି ଗୀତ ଗାଇ ଆସୁଥିବା କହିଛନ୍ତି।
ସେ ଆହୁରି ସ୍ପଷ୍ଟ କରିଛନ୍ତି ଯେ ୧୯୭୬ ମସିହାରୁ ସେ କୋଲକାତାରେ ରହୁଛନ୍ତି ଏବଂ କେବେ ମଧ୍ୟ ସହର ଛାଡ଼ି ମୁମ୍ବାଇକୁ ସ୍ଥାୟୀ ଭାବେ ଯାଇନାହାନ୍ତି। “କୋଲକାତା ମୋର ଘର। ଏହି ସହର ଓ ଏହାର ଲୋକଙ୍କ ପ୍ରତି ମୋର ଅପାର ଭଲପାଇବା ରହିଛି,” ।ଉଷା ଉଥୁପ୍‌ ଭାଇରାଲ୍‌ ପୋଷ୍ଟରେ ଥିବା ମନ୍ତବ୍ୟ ଓ ବୟାନ ସହ ନିଜର କୌଣସି ସମ୍ପର୍କ ନଥିବା କହିବା ସହ ତାଙ୍କୁ ଅନାବଶ୍ୟକ ଭାବେ ରାଜନୈତିକ ବିବାଦରେ ନଆଣିବାକୁ ଅନୁରୋଧ କରିଛନ୍ତି। ।

 

 

 

ସୌଜନ୍ୟ ସମ୍ବାଦ